ରାଷ୍ଟ୍ରପତି ନିର୍ବାଚନ: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ z+ ସୁରକ୍ଷା, ସେପଟେ ସକାଳୁ ସକାଳୁ କଲେ ଭଗବାନ ଙ୍କ ଦର୍ଶନ

ରାଇରଙ୍ଗପୁର: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ଵାଧୀନ ଏନଡିଏ ତାର ପ୍ରାର୍ଥୀ ନାଁ ଘୋଷଣା କରିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମାଟିର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ନାଁ ରେ ମୋହର ମାରିଛି ଏନଡିଏ । ନାମ ଘୋଷଣା ପରେ ଆଜି (ବୁଧବାର) ସକାଳୁ କଡ଼ା ସୁରକ୍ଷା ମଧ୍ୟରେ ବାସଭବନରୁ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର, ମୁର୍ମୁ ଛକ ନିକଟ ଶିବ ମନ୍ଦିର, ଗଢ ଗ୍ରାମରେ ଥିବା ଐଶନେଶ୍ବର ବାବାଙ୍କ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

ବାସଭବନ ନିକଟରେ ଥିବା ସମସ୍ତ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ସହତ ମନ୍ଦିର ଭେଡା ମଧ୍ୟ ଓଳାଇଥିବା ଦେଖିବାକୁ ମିଳିଛି । ଏହା ପରେ ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀର ମୁଖ୍ୟ କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଜାପିତା ବ୍ରହ୍ମ କୁମାରୀର ସଦସ୍ୟ ମାନେ । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତାଙ୍କୁ z+ ସୁରକ୍ଷା ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉ କି, ଗତକାଲି (ମଙ୍ଗଳବାର) ଏନଡିଏ ନେତୃତ୍ବାଧୀନ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେ ଓଡିଶାରେ 4 ବର୍ଷ ମନ୍ତ୍ରୀ ଓ ଦୁଇ ଥର ବିଧାୟକ ଅଛନ୍ତି । ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଥିଲେ ଦ୍ରୌପଦୀ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଓଡିଶାବାସୀଙ୍କ ପାଇଁ ଗର୍ବର ମୁର୍ହୂର୍ତ୍ତ । ଆସନ୍ତା 25ରେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇପାରନ୍ତି ଦ୍ରୌପଦୀ ମୁର୍ମୁ ।

Related Posts