ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି; ଶ୍ରୀମନ୍ଦିରରେ କରିବେ ଜଗା ଦର୍ଶନ, ଭୁବନେଶ୍ବରର ବିଭିନ୍ନ ଛକରେ ମହାପୁରୁଷଙ୍କୁ ଦେବେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି‌ ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଳଙ୍କୃତ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଏଥିପାଇଁ ସାରା ରାଜ୍ୟରେ ଜୋରଦାର ଉତ୍ସାହ ଉଦ୍ଦୀପନା ଦେଖା ଦେଇଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ ଅନୁସାରେ ଆଜି ଅର୍ଥାତ୍‌ ଗୁରୁବାର ସକାଳ ସାଢ଼େ ୯ଟା ସମୟରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅର୍ନର ପ୍ରଦାନ କରାଯିବ।

ଏହାପରେ ସେଠାରୁ ସେ ହେଲିକପ୍ଟର ଯୋଗେ ପୁରୀ ଯିବେ। ସାଢ଼େ ୧୦ଟା ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ କାର୍‌କେଡ୍‌ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି। ଶ୍ରୀମନ୍ଦିରରେ ପାଖାପାଖି ଏକ ଘଣ୍ଟା ରହିବେ। ମହାପ୍ରଭୁଙ୍କ ଦର୍ଶନ ସାରି ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ବାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଏବଂ ସେଠାରୁ ସିଧା ରାଜଭବନ ବାହାରିବେ। ୧୨ଟାରେ ରାଜଭବନରେ ପହଞ୍ଚିବେ। ସେଠାରେ ସେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ରାଷ୍ଟ୍ରପତି ଅପରାହ୍‌ଣ ୨ଟା ୧୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଆସିବେ। ଦିନ ୨ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଜଭବନ ଯିବେ। ଏହାପରେ ଦିନ ୩ଟା ୧୫ରୁ ୪ଟା୧୫ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ରାଜଧାନୀର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ୮ଜଣ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି।

ପ୍ରଥମେ କଳ୍ପନା ଛକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ପରେ ରାଜଭବନ ଛକରେ ଥିବା ଉତ୍କଳମଣି ମଧୁସୁଦନ ଦାସ, ପରେ ଗୋପବନ୍ଧୁ ଛକରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସହ ପାଓ୍ବାର ହାଉସ ଛକରେ ଥିବା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ନାଲକୋ ଛକରେ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସହ ଉତ୍କଳ ହସ୍ପିଟାଲ ନିକଟ ଲକ୍ଷଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହାପରେ ୧୧ ତାରିଖ ଦିନ ସକାଳ ୯ଟାରୁ ୧୦ଟା ସମୟ ମଧ୍ୟରେ ରାଷ୍ଟ୍ରପତି ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ। ପରେ ସାଢ଼େ ୧୧ଟା ସମୟରେ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମରେ ଯୋଗ ଦେବେ। ସମସ୍ତ କାର୍ଯ୍ୟକ୍ରମ ସାରିବା ପରେ ସେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି।

ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଇପାରେ। ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ ପକ୍ଷରୁ ଅତିରିକ୍ତ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ରିଜର୍ଭ ବାଟାଲିୟନ, ସ୍ବତନ୍ତ୍ର ସୁରକ୍ଷା, ଓଡ଼ିଶା ଆର୍ମ ପୁଲିସ ଫୋର୍ସ ସହ ଅତିରିକ୍ତ ୩ୟ ବାଟାଲିୟନ କୋରାପୁଟ, ଖୋର୍ଦ୍ଧା ବାଟାଲିୟନ ସମେତ ମୋଟ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ତଦାରଖ ପାଇଁ ୪ଜଣ ଡିସିପି ରାଙ୍କର ଅଧିକାରୀଙ୍କ ସମେତ ୨୨ଜଣ ଅତିରିକ୍ତ ଡିସିପି, ୫୬ଜଣ ଡିଏସ୍‌ପି, ୬୨ଜଣ ଇନ୍‌ସ୍ପେକ୍ଟର ଓ ୨୦୦ଜଣ ଏସ୍‌ଆଇ ଓ ଏସ୍‌ଆଇ ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାର୍ଡ, ବମ୍‌ ସ୍କ୍ବାର୍ଡ, ଆମ୍ବୁଲାନ୍ସ, ଫାୟାର ସର୍ଭିସ୍‌ ମଧ୍ୟ ସାମିଲ ହେବେ। ଆଜି ଏନେଇ ଫୁଲ ଡ୍ରେସ୍‌ ରିହର୍ସଲ କରିଛି। ସେହିପରି ଗୁଇନ୍ଦା ନିର୍ଦେଶକ ସଞ୍ଜୀବ ପଣ୍ଡା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା(ଡିଆଇଜି) ଅନୁପ ସାହୁ, ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଥିଲେ।

ସେହିପରି ପୁରୀରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ଏସପି କେ ବିଶାଲ ସିଂହଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଜଣ ଅଫିସର ନିୟୋଜିତ ହେବେ । ରାଷ୍ଟ୍ରପତି ଯିବା ଆସିବା ରୁଟ୍‌ରେ ମଧ୍ୟ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ । ତାଳବଣିଆ ହେଲିପ୍ୟାଡ଼ରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ଦୁଇଟି ଜୋନରେ ବିଭକ୍ତ କରାଯାଇଛି । ଏଗୁଡ଼ିକୁ ଏକାଧିକ ସେକ୍ଟରରେ ମଧ୍ୟ ଭାଗ କରାଯାଇଛି । ବିଭିନ୍ନ ସେକ୍ଟରରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି । ଟ୍ରାଫିକ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୦ ଟା ୩୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ବାହାରିଯିବା ପରେ ତୁରନ୍ତ ଦର୍ଶନ ସ୍ବଭାବିକ କରାଯିବ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବୁଧବାର ଏକାଧିକ ଥର କାରକେଡ ରିହର୍ସଲ କରାଯାଇଛି ।

ରାଜଧାନୀରେ ଅଧାଦିନ ଛୁଟି ଘୋଷଣା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ବରରେ ଅଧାଦିନ ଛୁଟି ଘୋଷଣା ହୋଇଛି। ଆଜି ଅର୍ଥାତ୍ ୧୦ତାରିଖ ଦିନ ୧ଟାରୁ ଭୁବନେଶ୍ବର ମହାନଗର(ବିଏମ୍‌ସି) ଅଞ୍ଚଳରେ ଏହି ଛୁଟି ବଳବତ୍ତର ରହିବ। ବିଏମ୍‌ସିରେ ଥିବା ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ସଫଳତାକୁ ‌ଦୃଷ୍ଟିରେ ରଖି ତାଙ୍କ ସମ୍ମାନାର୍ଥେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

Related Posts