‘କୌଣସି ଦେଶକୁ ନମିଳୁ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି’; ବିବାଦରେ କଂଗ୍ରେସ ନେତାଙ୍କ ଟ୍ବିଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପରେ ରାଷ୍ଟ୍ରପତିଙ୍କୁ ନେଇ ପୁଣି ଜଣେ କଂଗ୍ରେସ ନେତା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ଟ୍ବିଟ କରିଛନ୍ତି । ରାଜ କରିଥିବା ଟ୍ବିଟରେ ଲେଖିଛନ୍ତି ଯେ, କୌଣସି ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି ନମିଳୁ ।ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ ଦେଶର ୭୦ ପ୍ରତିଶତ ନାଗରିକ ଗୁଜୁରାଟର ଲୁଣ ଖାଉଥିବା ମନ୍ତବ୍ୟକୁ ସେ ନିନ୍ଦା କରି ଏପରି ଟ୍ବିଟ କରିଥିବା ଜଣାପଡିଛି । ତେବେ ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ, ଚାମଚା ଗିରିର ମଧ୍ୟ ଏକ ସୀମା ଥାଏ ବୋଲି ଉଦିତ ରାଜ କହିଛନ୍ତି।

କଂଗ୍ରେସ ନେତାଙ୍କ ଏପରି ବୟାନ ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସେହଜାଦ ପୁନାଓ୍ବାଲା ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ।

ତେବେ ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ବିବାଦକୁ ଆସିଥିଲେ। ପରେ ସେ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଦେଶ୍ୟମୂଳକ ନୁହେଁ ବରଂ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ସଫେଇ ଦେଇଥିଲେ । ଆବଶ୍ୟକ ପଡିଲେ ସେ ରାଷ୍ଟ୍ରପତିଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା ମଧ୍ୟ କରିବା ନେଇ ସୂଚନା ଦେଇଥିଲେ । ବିଜେପି ଏହି ଘଟଣାରେ ଅଧିର ରଞ୍ଜନଙ୍କ ସମେତ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ମଧ୍ୟ ଦାବି କରିଥିଲା ।ଏହାର ମାତ୍ର କିଛି ଦିନ ପରେ ପୁଣି ଜଣେ କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ନେଇ ଏପରି ମନ୍ତବ୍ୟ ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ମୁର୍ମୁ ନିକଟରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ କିଛି କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଥିଲେ । ଲୁଣ ଉତ୍ପାଦନରେ ଦେଶରେ ସବୁଠୁ ଆଗରେ ଥିବା ଗୁଜୁରାଟ ସମ୍ପର୍କରେ ସେ ନିଜ ସମ୍ବୋଧନରେ କହିଥିଲେ ଯେ, ଦେଶର ୭୦ ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଆନ୍ତି । ଏହାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏପରି ବିବାଦୀୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

Related Posts