ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ କ୍ଷେତ୍ରରୁ ଭୋଟର ହେବେ। ରାଷ୍ଟ୍ରପତିଙ୍କ ଭୋଟର ପରିଚୟ ପତ୍ର (ଆଇଡି) କାର୍ଡର ଠିକଣା ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରାଷ୍ଟ୍ରପତି ମୁର୍ମୁ ଫର୍ମ-୮ ପୂରଣ କରିଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପି.କୃଷ୍ଣମୂର୍ତ୍ତି ଶୁକ୍ରବାର ରାଷ୍ଟ୍ରପତି ଭବନରେ ପହଞ୍ଚି ଏହି କାର୍ଯ୍ୟ ଆରମ୍ଭ କରାଇଥିଲେ। ବର୍ତ୍ତମାନ ରାଷ୍ଟ୍ରପତିଙ୍କର ଭୋଟର ଆଇଡି କାର୍ଡ ଓଡ଼ିଶାର ମୟୂରଭଂଜ ଜିଲ୍ଲାର ଠିକଣାରେ ଅଛି।
ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରପତି ତାଙ୍କ ଦିଲ୍ଲୀ ଠିକଣା ସହ ନୂଆ ଭୋଟର ପରିଚୟ ପତ୍ର ପାଇବେ। ଏଥି ସହିତ ଆଗମୀ ନିର୍ବାଚନରେ ନୂଆଦିଲ୍ଲୀ କ୍ଷେତ୍ରରୁ ହିଁ ଭୋଟଦାନ କରିବା ପାଇଁ ଯୋଗ୍ୟ ହେବେ ବୋଲି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଦିଲ୍ଲୀରେ ଜାରି ରହିଥିବା ଭୋଟର ତାଲିକାରେ ନାମ ଯୋଗ, ସଂଶୋଧନ କାର୍ଯ୍ୟକ୍ରମର ବିଶେଷ ଅଭିଯାନ-୨୦୨୪ ସଂପର୍କରେ ରାଷ୍ଟ୍ରପତିଙ୍କୁ ଦିଲ୍ଲୀର ସିଇଓ ଅବଗତ କରାଇଥିଲେ। ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟାରେ ସହଯୋଗ ପାଇଁ ଦିଲ୍ଲୀ ସିଇଓ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ଆଦିବାସୀ ମହିଳାଭାବେ ଗତବର୍ଷ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ଇତିହାସ ରଚିଛନ୍ତି।