ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଶେଷକୃତ୍ୟରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଶେଷକୃତ୍ୟରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିପାଇଁ ଆସନ୍ତା ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଲଣ୍ଡନ ଗସ୍ତ କରିବେ । ୧୯ ତାରିଖରେ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ଅନ୍ତିମ ସଂସ୍କାର ରାଜଧାନୀ ଲଣ୍ଡନରେ ସମ୍ପୂର୍ଣ୍ଣ ବ୍ରିଟିଶ ରାଜକୀୟ ପରମ୍ପରା ଅନୁଯାୟୀ ଶେଷ ହେବାକୁ ଧାର୍ଯ୍ୟ କରାଯାଇଛି । ଭାରତ ପକ୍ଷରୁ ରାଷ୍ଟ୍ରପତି ମୁର୍ମୁ ନିଜେ ଏହି ଅନ୍ତିମ ସଂସ୍କାରରେ ସାମିଲ ହୋଇ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ।

ବ୍ରିଟେନ ମହାରାଣୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ,ଉପ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଥିଲେ । ଏହାସହିତ ଭାରତ ମଧ୍ୟ ଏକଦିବସୀୟ ଶୋକ ପାଳିଥିଲା । ତେବେ ବର୍ତ୍ତମାନ ରାଣୀଙ୍କର ମରଶରୀରକୁ ଦେଶବ୍ୟାପୀ ପରିକ୍ରମା କରାଯାଉଛି । ସମଗ୍ର ବ୍ରିଟେନବାସୀ ରାଣୀଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି । ସ୍କଟଲ୍ୟାଣ୍ଡରୁ ବାହାରିଥିବା ପାର୍ଥୀବ ଶରୀର ବ୍ରିଟେନ ପରିକ୍ରମା ସାରି ଲଣ୍ଡନରେ ପହଞ୍ଚିବା ପରେ ସେଠାରେ ବ୍ରିଟିଶ ପରମ୍ପରା ଅନୁସାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହ ରାଣୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିରେ ସମଗ୍ର ବିଶ୍ବରୁ ବହୁ ରାଷ୍ଟ୍ରମୁଖ୍ୟ, ତଥା ପ୍ରତିନିଧିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବାର ସୂଚନା ରହିଛି । ରାଷ୍ଟ୍ରପତି ମୁର୍ମୁ ମଧ୍ୟ ଲଣ୍ଡନରେ ପହଞ୍ଚି ଭାରତର ପ୍ରତିନିଧିତ୍ବ କରିବେ ।

ସୂଚନା ଅନୁସାରେ, ଲଣ୍ଡନର ବଙ୍କିଂହମ୍‌ ପ୍ରସାଦରେ ଏଲିଜାବେଥ ଦ୍ଵିତୀୟଙ୍କ ପାର୍ଥିବ ଶରୀର ତିନି ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ରଖାଯିବ । ପରେ ୱଣ୍ଡସର୍‌ କ୍ୟାସେଲ୍‌ର ରାଜା ଜର୍ଜ ଷଷ୍ଠ ମେମୋରିଆଲ ଚାପେଲ୍‌ରେ ମହାରାଣୀଙ୍କ ପାର୍ଥୀବ ଶରୀରକୁ କବର ଦିଆଯିବ । ଏସମସ୍ତ କାର୍ଯ୍ୟକ୍ରମ ବ୍ରିଟିଶ ରାଜକୀୟ ପରମ୍ପରା ଅନୁସାରେ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୮ତାରିଖରେ ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡରେ ଦେହାନ୍ତ ହୋଇଥିଲା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣକୁ ମହାରାଣୀ ଏଲିଜାବେଥ ବାଲମୋରାଲ କ୍ୟାସେଲରେ ଅବସ୍ଥାନ କରୁଥିଲେ । ତେବେ ତାଙ୍କର ମୃତ୍ୟୁ ସ୍କଟଲ୍ୟାଣ୍ଡରେ ହୋଇଥିବା ବେଳେ ଅନ୍ତିମସଂସ୍କାର କିନ୍ତୁ ରାଜଧାନୀ ଲଣ୍ଡନରେ ହେବାର ପରମ୍ପରା ରହିଛି । ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ଯୋଗୁଁ ତାଙ୍କର ୭ ଦଶନ୍ଧିର ରାଜତ୍ବର ଅନ୍ତ ହୋଇଛି । ତେବେ ନିଜ ମୃତ୍ୟୁର ଦୁଇଦିନ ପୂର୍ବରୁ ବ୍ରିଟେନର ନବନିଯୁକ୍ତ ୧୫ ତମ ପ୍ରଧାନମନ୍ତ୍ରୀ ଲିଜ ଟ୍ରିସଙ୍କୁ ନିଯୁକ୍ତି ଦେଇଥିଲେ ରାଣୀ ଏଲିଜାବେଥ ଦ୍ଵିତୀୟ । ତାର ମାତ୍ର କିଛି ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡିଥିବା ରାଜପ୍ରସାଦ ପକ୍ଷରୁ ସୂଚନା ମିଳିଥିଲା । ପରେ ସେ ଗୁରୁତର ହୋଇପଡିବା ସହ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

Related Posts