ଦୁଇଦିନିଆ ଓଡିଶା ଗସ୍ତ ଶେଷ କରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): ଦୁଇଦିନିଆ ଓଡିଶା ଗସ୍ତ ଶେଷ କରି ପୁଣି ନିଜ କର୍ମସ୍ଥଳୀକୁ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ଏୟାରପୋର୍ଟରୁ ସେ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯାଇଛନ୍ତି । ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି ସୁନୀଲ ବଂଶଲ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କୁ ବିଦାୟ ଦେଇଛନ୍ତି ।

ତେବେ ଗତକାଲି ଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବାପରେ ନିଜ ଜନ୍ମମାଟି ଓଡ଼ିଶାକୁ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ । ଗତକାଲି ପୂର୍ବାହ୍ନ ୧୦.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସିଧା ସେ ପୁରୀ ଯାଇଥିଲେ। ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶିଷ ଗ୍ରହଣ କରିଥିଲେ ଓ ମହାପ୍ରସାଦ ସେବନ କରିଥିଲେ। ପରେ ଅପରାହ୍ନରେ ଭୁବନେଶ୍ବର ଫେରି ସହରର ବିଭିନ୍ନ ଛକରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସନ୍ଧ୍ୟାରେ ରାଜଭବନ ଠାରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ବର୍ଦ୍ଧନା ସଭାରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତି ମାନେ ସମ୍ବର୍ଦ୍ଧିତ କରିଥିଲେ। ରାଜଭବନରେ ରାତ୍ରିଯାପନ କରିଥିଲେ ମହାମହିମ।

ଏହାପରେ ଦ୍ୱିତୀୟ ଦିନକୁ ସଂପୂର୍ଣ୍ଣ ରାଜଧାନୀରେ କାଟିଥିଲେ ରାଷ୍ଟ୍ରପତି । ଗସ୍ତର ଦ୍ୱିତୀୟ ଦିନରେ ନିଜେ ପଢିଥିବା ସ୍କୁଲ ଓ ରହିଥିବା ହଷ୍ଟେଲ ବୁଲି ସ୍ମୃତି ସାଉଁଟିଥିଲେ ଦେଶର ପ୍ରଥମ ନାଗରିକ ।ଆଉ ପିଲାଦିନର ସାଙ୍ଗମାନଙ୍କୁ ଭେଟି ଅନେକ ଖୁସି ଅନୁଭବ କରିଥିଲେ ।ଭୁବନେଶ୍ୱର ତପୋବନ ହାଇସ୍କୁଲ, ୟୁନିଟ ୨ ସ୍ଥିତ ଗାର୍ଲ୍ସ ହାଇସ୍କୁଲକୁ ଯାଇ ସ୍ମୃତିଚାରଣ କରିଥିଲେ ମାଡାମ ପ୍ରେସିଡେଣ୍ଟ । ଯେଉଁଠି ସେ ୧୯୭୦ରୁ ୭୪ ଯାଏଁ ପାଠ ପଢିଥିଲେ, ସେଠି ତାଙ୍କୁ ମିଳିଥିଲା ଭବ୍ୟ ସ୍ୱାଗତ । ତାଙ୍କୁ ପାଖରେ ପାଇ ପିଲାଦିନର ସାଙ୍ଗ ମାନେ ଓ ସ୍କୁଲର ବର୍ତ୍ତମାନର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ବେଶ୍ ଉତ୍ସାହିତ ହୋଇଥିଲେ । ସେଠାରୁ ଫେରି ଜୟଦେବ ଭବନରେ ସେ ଇଂଞ୍ଜିନିୟରିଂ ପାଇଁ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଲଞ୍ଚ୍ କରିଥିଲେ । ଆଜି ହେଉଛି ଜାତୀୟ ଶିକ୍ଷା ଦିବସ । ଏଆଇସିଟିଇ ଦ୍ୱାରା ଓଡିଆରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହି ଗୁଡିକୁ ସେ ଲୋକର୍ପଣ କରାବେଳେ ରାଷ୍ଟ୍ରପତି ନିଜ ଭାଷଣରେ କହିଥିଲେ, ଜାତୀୟ ଶିକ୍ଷାନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ୍ ।

ବହି ଓ ପୋର୍ଟାଲ ଲଞ୍ଚ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏଆଇସିଟିଇ ଚେୟାରମ୍ୟାନ ପ୍ରଫେସର ଏନ.ଜଗଦିଶ କୁମାର ଏବଂ ଶିକ୍ଷାବିତ୍ ଅବସର ବେଉରିଆ ମଧ୍ୟ ସାମିଲ ହୋଇଥିଲେ ।

Related Posts