ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀମନ୍ଦିରରୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଛନ୍ତି। ସେ ପ୍ରାୟ ୩୦ ମିନିଟ ଧରି ସେ ଶ୍ରୀମନ୍ଦିରରେ ଥିଲେ। ‌ତାଙ୍କର କୌଳିକ ପଣ୍ଡାଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ତୁଳସୀମାଳ ଦେଇଥିଲେ ଏବଂ ଦୀପ ଜାଳିଥିଲେ। ମହାବାହୁଙ୍କ ଦର୍ଶନ ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା। ତାପରେ ସେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଶେଷରେ ସେ ରେଜିଷ୍ଟାରରେ ଦସ୍ତଖତ କରିଥିଲେ। ଜଣେ ସାଧାରଣ ଭକ୍ତଙ୍କ ପରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେବାୟତମାନେ ତାଙ୍କୁ ଆଶୀର୍ବାଦ କରିଥିଲେ। ଏହାସହ ସେ ବାରମ୍ବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।

ବଡ଼ଦାଣ୍ଡରେ ଭାବବିହ୍ବଳ ହୋଇପଡ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରୀ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ ଆସିଲେ ଓଡ଼ିଶା ମାଟିର ଝିଅ। ସେ ଆଜି ତାଳବଣିଆ ହେଲିପ୍ଯାଡରୁ ଓହ୍ଲାଇବା ପରେ କାରରେ ଶ୍ରୀମନ୍ଦିରକୁ ଆସୁଥିବା ବେଳେ ବଳଗଣ୍ଡି ଛକରେ କାରରୁ ଓହ୍ଲାଇଗଲେ। ସେଠାରେ ମହାବାହୁଙ୍କୁ ହାତଟେକି ନିଜର ଭକ୍ତିଭାବ ପ୍ରଦର୍ଶନ କରିଥିଲେ। ସେ ସେଠାରୁ ଚାଲି ଚାଲି ଆସିଲେ। ବାଟରେ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ଲାଗି ମିଶିଥିଲେ। ସାଧାରଣ ଲୋକଙ୍କ ଭଳି ଭଳି ଆସି ଅରୁଣସ୍ତମ୍ଭ ସ୍ପର୍ଶ କରି ଆଶୀର୍ବାଦ ନେଲେ। ପରେ ପାଦ ପ୍ରକ୍ଷାଳନ ଜାଗାକୁ ଯାଇ ପାଦ ଧୋଇବା ପରେ ଦର୍ଶନ ପାଇଁ ଗଲେ। ବାଇଶି ପାହାଚ ଦେଇ ଯିବା ବେଳେ ପ୍ରତି ପାହାଚକୁ ସ୍ପର୍ଶ କରି ସେ ମୁଣ୍ଡିଆ ମାରିଛନ୍ତି।

ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଭୂମିରେ ମୁଣ୍ଡ ଲଗାଇ ପ୍ରଣିପାତ କରିଥିଲେ। ଏସବୁ ଦୃଶ୍ୟ ସାରା ଓଡ଼ିଶାବାସୀଙ୍କୁ ଅଭିଭୂତ କରିଛି। ତାଙ୍କ ସହ ରାଜ୍ୟପାଳ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଓ ରାଷ୍ଟ୍ରପତିଙ୍କ କନ୍ୟା ପ୍ରମୁଖ ବି ଥିଲେ। ସିଂହଦ୍ବାର ନିକଟରେ ଗଜପତି ଦିବ୍ୟସିଂହ ଦେବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଅରୁଣ ସ୍ତମ୍ଭଙ୍କୁ ଛୁଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

Related Posts