ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବୁଲିବେ ନିଜ ସ୍କୁଲ ଓ ହଷ୍ଟେଲ, ପିଲାଙ୍କ ସହ ବାଣ୍ଟିବେ ସ୍ମୃତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଏହି ଅବସରରେ ସେ ନିଜ ସ୍କୁଲ ଓ ହଷ୍ଟେଲ ବୁଲିବେ । ନିଜର ପୁରୁଣା ସ୍ମୃତି ସହ ୧୦ ମିନିଟ ବିତାଇବେ । କେବଳ ପୁରୁଣା ଛାତ୍ରୀ ନୁହେଁ ସ୍କୁଲ ଆଲୁମିନି ଭାବେ ସ୍କୁଲ କଥା ବି ବୁଝିବେ ।ଯାହାକୁ ନେଇ ସ୍କୁଲରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ସମସ୍ତେ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି ।

ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ଓଡ଼ିଶା ମାଟିର ଓଡ଼ିଆ ଝିଅ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଆସିବେ ନିଜ ରାଜ୍ୟକୁ । ୧୦ ଓ ୧୧ ଦୁଇ ଦିନ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ । ପୁରୀ ଯାଇ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଅବଢ଼ା ଖାଇବେ । ଏହାସହ ନିଜ ପୁରୁଣା ସ୍ମୃତି ମନେପକାଇବାକୁ ନିଜ ସ୍କୁଲ ଓ ହଷ୍ଟେଲ ବୁଲିବାର କାର୍ଯ୍ୟକ୍ରମ ରହିଛି । ୧୧ ତାରିଖ ସକାଳ ୯ ଟାରୁ ୧୦ ମଧ୍ୟରେ ଖଣ୍ଡଗିରି ସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟ ଓ ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟ ବୁଲିବେ । ଉଭୟ ବିଦ୍ୟାଳୟରେ ୧୦ମିନିଟ ଲେଖାଏଁ ରହିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ସ୍କୁଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍କୁଲ ସଫେଇ ସାଙ୍ଗକୁ ଆରମ୍ଭ ହୋଇଛି ସାଜସଜା । ଗଣଶିକ୍ଷା ସଚିବଙ୍କ ସହ ବିଭିନ୍ନ ବିଭାଗ ଅଧିକାରୀମାନେ ଏହି ଦୁଇ ସ୍କୁଲ ପରିଦର୍ଶନ କରିଛନ୍ତି । ସ୍କୁଲ ଗୁଡିକୁ ନିର୍ଦ୍ଦେଶ ମିଳିବା ପରେ ଆରମ୍ଭ ହୋଇଛି କାମ । କେଉଁ ଗେଟରେ ଆସିବେ କିଭଳି ସ୍ୱାଗତ କରାଯିବ ସେ ନେଇ ବୈଠକ ସରିଛି । ଏହାସହ ପିଲାଙ୍କୁ ବି ଉଦବୋଧନ ଦେବେ ବୋଲି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ।

ସୂଚନା ଅନୁସାରେ, ୧୯୭୦ରୁ ୧୯୭୪ମସିହା ପର୍ଯ୍ୟନ୍ତ ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ ଦ୍ରୌପଦି ମୁର୍ମୁ । ସୁଦୂର ମୟୁରଭଞ୍ଜ ଜିଲାରୁ ଭୁବନେଶ୍ୱର ଆସି ପଢୁଥିବାରୁ କୁନ୍ତଳା କୁମାରୀ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲେ । ଏଣୁ ସ୍କୁଲ ସହ ନିଜ ହଷ୍ଟେଲକୁ ବି ଯିବାର କାର୍ଯ୍ୟକ୍ରମ ରହିଛି । ହଷ୍ଟେଲରେ ନିଜେ ରହୁଥିବା ରୁମ ବୁଲିବା ସହ ହଷ୍ଟେଲ ଛାତ୍ରୀଙ୍କ ସହ ଆଲୋଚନା କରିବେ । ପ୍ରାୟ ୩ରୁ ୪ ମିନିଟ ସେ ସ୍କୁଲ ହଷ୍ଟେଲରେ ରହିବେ । ତାଙ୍କର ସ୍ୱାଗତ ପାଇଁ ଆୟୋଜନ ଆରମ୍ଭ ହୋଇଥିବାବେଳେ ପିଲାମାନେ ମଧ୍ୟ ନିଜ ନିଜ ତରଫରୁ ଉପହାର ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି । ୧୦ ଓ ୧୧ ତାରିଖ ଦୁଇ ଦିନିଆ ଗସ୍ତରେ ଅନେକ କାର୍ଯ୍ୟକ୍ରମ ରହିଥିବାବେଳେ ୧୧ ତାରିଖ ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ।

Related Posts