ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ଵରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭାବେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ୨ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଆସୁଥିବାବେଳେ ଆଜି ଦିନ ପ୍ରାୟ ୧୧ଟା ୧୫ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ଭୁବନେଶ୍ଵରର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ କାର୍ଯ୍ୟକ୍ରମ ଶେଷ ହେବାପରେ ମଧ୍ୟାହ୍ନ ୧ଟା ୫ ମିନିଟରେ ସେ ରାଜଭବନରେ ଭୋଜନ କରିବେ। ଏହାପରେ ଅପରାହ୍ନରେ ରମାଦେବୀ ମହିଳା ବିଶ୍ୱବଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରେ କଟକର ନ୍ୟାସନାଲ୍ ରାଇସ୍ ରିସର୍ଚ୍ଚ ସେଣ୍ଟର ଇନଷ୍ଟିଚ୍ୟୁଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଇଣ୍ଡିଆ ରାଇସ୍ କଂଗ୍ରେସକୁ ଉଦଘାଟନ କରିବେ। ସେଠାରୁ ସିଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଫେରିଯିବେ। ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ନିଜେ ପଢ଼ିଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ଯାହାକୁ ନେଇ ରମାଦେବୀ ୟୁନିଭର୍ସିଟିର ଛାତ୍ରୀଙ୍କ ସହ ରାଷ୍ଟ୍ରପତିଙ୍କ ସହପାଠିନୀ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।

ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋଟ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଭୁବନେଶ୍ଵରରେ ୪୦ ପ୍ଲାଟୁନ୍ ଫୋର୍ସ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି। ବ୍ଲୁ ବୁକ୍ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୧୪ ଜଣ ଅତିରିକ୍ତ ଡିସିପି, ୩୫ ଜଣ ଏସିପି ଓ ୪୭ ଜଣ ଇନସପେକ୍ଟର ନିୟୋଜିତ ହୋଇଛନ୍ତି।୧୮୮ ଏସଆଇ ଏବଂ ଏଏସଆଇ ରାଙ୍କ ଅଫିସର ସହ ୫୦ ହୋମଗାର୍ଡ ରହିବେ।

ସେହିଭଳି ଶନିବାର ରାଷ୍ଟ୍ରପତିଙ୍କ ଲିଙ୍ଗରାଜ ଦର୍ଶନ ସମୟରେ ଅଧଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ରୁଟ ଲାଇନିଂ, ନାଇଟ ଗାର୍ଡ, ଚପର ଗାର୍ଡ ଓ଼ ରୁଫ ଟଫରେ ସୁରକ୍ଷା କର୍ମୀ ମୁତୟନ ରହିବେ। ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଏଣ୍ଟ୍ରି ଓ ଏକ୍‌ଜିଟ୍ ପଏଣ୍ଟ ସିସିଟିଭି ସର୍ଭେଲାନ୍ସରେ ରହିବ। ସେହିପରି ରାଷ୍ଟ୍ରପତିଙ୍କ କାରକେଡ଼ ଇନଚାର୍ଜ ଜଣେ ଏସପି ରାଙ୍କ ଅଫିସର ରହିବେ ବୋଲି ସୂଚନା ମିଳିଛି ।

Related Posts