ଭୁବନେଶ୍ୱରର ପ୍ରମୁଖ ଛକରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଆଜି ସକାଳ ୧୦.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଵାଗତ କରିଥିଲେ। ଏହାପରେ ରାଷ୍ଟ୍ରପତିଙ୍କୁ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେଠାରୁ ସେ ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାଇଥିଲେ। ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ପୁରୀ ରାଜଭବନରେ ଗଜପତି ମହାରାଜଙ୍କ ସହ ମହାପ୍ରସାଦ ସେବନ କରିଥିଲେ। ଏହାପରେ ପୁନର୍ବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଏବେ ରାଜଧାନୀର ୬ଟି ପ୍ରମୁଖ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ‌ ମାଲ୍ୟାର୍ପଣ କରିଛନ୍ତି । ଏହି ସମୟରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ମହାମହିମ ରାଷ୍ଟ୍ରପତି ପ୍ରଥମେ କଳ୍ପନା ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ରାଜଭବନ ଛକରେ ଥିବା ମଧୁସୂଦନ ଦାସ, ଗୋପବନ୍ଧୁ ଛକରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହାପରେ ପାୱାର ହାଉସ ଛକରେ ଥିବା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି, ନାଲକୋ ଛକରେ ଥିବା ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ସହ ଉତ୍କଳ ହସ୍ପିଟାଲ ନିକଟ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି । ସେହିପରି ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡା ଓ ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ଏହାପରେ ଆଜି ସନ୍ଧ୍ୟାରେ ରାଜଭବନରେ ତାଙ୍କ ସମ୍ମାନାର୍ଥେ ନାଗରିକ ସମ୍ବର୍ଦ୍ଧନାର ବ୍ୟବସ୍ଥା ହୋଇଛି । ଆଜି ଶ୍ରୀମତୀ ମୁର୍ମୁ ରାଜଭବନରେ ରାତ୍ରିଯାପନ କରିବେ। ପରେ କାଲି ସକାଳୁ ସେ ଭୁବନେଶ୍ୱର ର ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟ ଓ ତପୋବନ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନରେ ଯିବେ। ପରେ ଜୟଦେବ ଭବନ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅପରାହ୍ନରେ ଦିଲ୍ଲୀ ଫେରିଯିବେ।

Related Posts