ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଗଜପତି ମହାରାଜଙ୍କ ସହ ମହାପ୍ରସାଦ ସେବନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜିଠାରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ସକାଳ ପ୍ରାୟ ୧୦.୩୦ ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ପୁରୀ ଯାଇଥିଲେ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗଜପତି ମହାରାଜ, ମହାରାଣୀ ଓ ନିଜର ଝିଅଙ୍କ ସହ ପୁରୀସ୍ଥିତ ରାଜଭବନରେ ମହାପ୍ରସାଦ ସେବନ କରିଛନ୍ତି। ଏନେଇ ରାଷ୍ଟ୍ରପତି ନିଜର ଟୁଇଟର ଆକାଉଣ୍ଟରେ ଫୋଟୋ ସେୟାର କରି ସୂଚନା ପ୍ରଦାନ କରିଛନ୍ତି।

ମହାପ୍ରସାଦ ସେବନ କରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେ ପ୍ରାୟ ୩୦ ମିନିଟ ଧରି ଶ୍ରୀମନ୍ଦିରରେ ଥିଲେ। ‌ତାଙ୍କର କୌଳିକ ପଣ୍ଡାଙ୍କ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ତୁଳସୀମାଳ ଦେଇଥିଲେ ଏବଂ ଦୀପ ଜାଳିଥିଲେ। ମହାବାହୁଙ୍କ ଦର୍ଶନ ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା। ତାପରେ ସେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ। ଶେଷରେ ସେ ରେଜିଷ୍ଟାରରେ ଦସ୍ତଖତ କରିଥିଲେ। ଜଣେ ସାଧାରଣ ଭକ୍ତଙ୍କ ପରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେବାୟତମାନେ ତାଙ୍କୁ ଆଶୀର୍ବାଦ କରିଥିଲେ। ସେ ବାରମ୍ବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ।

Related Posts