ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିମାନବନ୍ଦରରେ ସ୍ଵାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଭୁବନେଶ୍ବର ବିମାନ ବନ୍ଦରରେ ଓହ୍ଲାଇଛନ୍ତି ।ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡିଜିପି ସୁନୀଲ ବଂଶଲ, ମୁଖ୍ୟ ଶାସନ ସଚିବ ପ୍ରମୁଖ ମହାମହିମଙ୍କୁ ସ୍ବାଗତ କରିଛନ୍ତି । ବିମାନ ବନ୍ଦରରେ ତାଙ୍କର ସ୍ବାଗତ ପାଇଁ ଭବ୍ୟ ଆୟୋଜନ କରାଯାଇଛି ।ତେବେ ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ବିତୀୟ ଥର ଓଡି଼ଶା ଗସ୍ତ ।

ଭୁବନେଶ୍ବର ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ପରେ ସ୍ଵତନ୍ତ୍ର କାରକେଡ ଯୋଗେ ସେ ସିଧାସଳଖ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗ ଦେବାକୁ ପହଞ୍ଚିଛନ୍ତି । ଏଠାରେ ପ୍ରାୟ ୧ଘଣ୍ଟାର କାର୍ଯ୍ୟକ୍ରମ ରହିଛି । ଏହାପରେ ଉତ୍କଳ ମଣ୍ଡପରୁ ସିଧାସଳଖ ରାଜଭବନ ଯାଇ ସେଠାରେ ଦିନ ୧ଟାରେ ମଧ୍ୟାହ୍ନ ଭୋଜନ କରିବେ । ଏହାପରେ ସେ ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଗସ୍ତର ଦ୍ବିତୀୟ ଦିନରେ ଅର୍ଥାତ ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ମୁର୍ମୁ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ କଟକରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଭାରତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ । ସେଠାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ପୁଣି ଦିଲ୍ଲୀ ଫେରିଯିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ବରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨ ଶହ ପୋଲିସ ଅଫିସରଙ୍କ ନଜରରେ ରହିଛି ପୁରା ସହର । ୧୪ ଏଡିସିପି ରାଙ୍କ୍ ଅଫିସର, ୩୫ ଏସିପି ରାଙ୍କ୍ ଅଫିସର, ୪୭ ଇନସ୍ପେକ୍ଟର ୧୮୮ ସବ ଇନସ୍ପେକ୍ଟର ଓ ୫୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି । କାର୍କେଡର ଇନଚାର୍ଜରେ ଜଣେ ଏସପି ରାଙ୍କ୍‌ ଅଫିସର ରହିବେ । କାର୍କେଡ୍ ମୁଭମେଣ୍ଟର ତଦାରଖ କରିବେ । ରାଷ୍ଟ୍ରପତିଙ୍କ ପାଇଁ ୩୦ଟି କାର କାର୍କେଡ଼ରେ ସାମିଲ ହୋଇଛନ୍ତି ।

Related Posts