କଟକ ବାଲିଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ; ୧୦ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ବିଶ୍ବ ରେକର୍ଡ ଯୋଜନା

ଭୁବନେଶ୍ଵର ( ସତ୍ୟପାଠ ବ୍ୟୁରୋ ): କଟକ ବାଲିଯାତ୍ରାକୁ ବିଶ୍ବସ୍ତରରେ ଅଧିକ ପ୍ରଚାର ପାଇଁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଏକାଧିକ ନିଆରା ପଦକ୍ଷେପ ହାତକୁ ନିଆଯାଇଛି। ୨୦୧୯ରେ କଟକ ବାଲିଯାତ୍ରାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଉତ୍ସବର ମାନ୍ୟତା ମିଳିଥିବା ବେଳେ ଏଥର ଏହାକୁ କିନ୍ତୁ ବିଧିବଦ୍ଧ ଭାବେ ରାଜ୍ୟ ଉତ୍ସବ ଭାବେ ଆୟୋଜନ କରାଯାଉଛି।

ଏଥର ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ୧୦ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ବିଶ୍ବ ରେକର୍ଡ କରିବାକୁ ସ୍ଥିର ହୋଇଛି। ପୌର ନିଗମ ପକ୍ଷରୁ ବାଲିଯାତ୍ରାକୁ ନେଇ ଆୟୋଜିତ ହୋଇଥିବା ବୈଠକରେ ଏହି ସୂଚନା ଦିଆଯାଇଛି। ୨୦୧୯ରେ ଘୋ‌ଷଣା ହୋଇଥିଲେ ବି କଟକ ବାଲିଯାତ୍ରା ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ମେଳା ଭାବେ ଆୟୋଜନ କରାଯାଉଛି। ଏଥିପାଇଁ ପ୍ରଶାସନ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ତଥା ଡଙ୍ଗା ଭସା ଦିନ ବାଲିଯାତ୍ରା ପଡ଼ିଆରେ ୧୫ ମିନଟରେ ୧୦ ହଜାର କାଗଜ (ଓରିଗାମି) ଡଙ୍ଗା ପ୍ରସ୍ତୁତ କରି ଗିନିଜ୍‌ ୱାର୍ଲଡ ରେକର୍ଡରେ ବାଲିଯାତ୍ରାକୁ ସ୍ଥାନ ଦେବାକୁ ପ୍ରୟାସ କରାଯିବ। ଏଥିରେ ସହରର ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହିତ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବ।

ସେହିପରି ବାଲିଯାତ୍ରା ସମୟରେ ଯାତ୍ରା ପଡ଼ିଆ ନିକଟସ୍ଥ ମହାନଦୀରେ ୪୦ ଫୁଟର ଏକ ଫାଉଣ୍ଟେନ୍‌ କରାଯିବ। ଜାମ୍ମୁକାଶ୍ମୀର ଡାଲ୍‌ ହ୍ରଦରେ ନିର୍ମାଣ ହୋଇଥିବା ଫାଉଣ୍ଟେନ୍‌ ପରି ଏହା ହେବ। ଏଥିରେ ଆଲୋକ ଓ ଶବ୍ଦ ବ୍ୟବହାର କରି କଟକ ଓ ବାଲିଯାତ୍ରାର ଇତିହାସକୁ ପ୍ରଦର୍ଶନ କରାଯିବ। ଏକାକାଳୀନ ୫୦ ହଜାରରୁ ଅଧିକ ଲୋକ ଏହାକୁ ଖୋଲା ଆକାଶ ତଳେ ଦେଖିବାର ସୁଯୋଗ ପାଇବେ। ୫ରୁ ୧୫ ମିନିଟ୍‌ ମଧ୍ୟରେ ବିଭିନ୍ନ ବିଷୟକୁ ଏଥିରେ ପ୍ରଦର୍ଶନ କରାଯିବ। ବାଲିଯାତ୍ରା ସମୟରେ କଟକକୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ପଥରେ ବିଲ୍‌ବୋଡ୍‌ ମାଧ୍ୟମରେ କଟକ ଓ ନୌବାଣିଜ୍ୟର ଇତିହାସ ସହ ସହରର ବିଭିନ୍ନ ଐତିହାସିକ ସ୍ଥାନ ଗୁଡିକୁ ପ୍ରଦର୍ଶନ କରାଯିବ। ଏଥିରେ ସହର ବାହାରୁ ଆସୁଥିବା ଲୋକମାନେ କଟକ ଉପରେ ଜ୍ଞାନ ପାଇପାରିବେ।

ଅନ୍ୟପଟେ ‌ବାଲିଯାତ୍ରା ପଡ଼ିଆକୁ ସବୁଜ ଓ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ ଓ ପଲିଥିନ୍‌ ମୁକ୍ତ କରିବାକୁ ଯୋଜନା ହୋଇଛି। ଯାତ୍ରା ବୁଲି ଆସୁଥିବା ଯାତ୍ରୀ ଖାଲି ପାଣି ବୋତଲ, ଖାଲି ବସ୍କୁଟ, ଚିପ୍‌ସ ପ୍ୟାକେଟ ଇତ୍ୟାଦିକୁ ଫେରାଇଲେ ନିଗମ ପକ୍ଷରୁ ଟଙ୍କା ଦିଆଯିବ। ଏଥିପାଇଁ ପଡ଼ିଆ ମଧ୍ୟରେ ୨୦ରୁ ଅଧିକ ଷ୍ଟଲ ଲଗାଯିବ। ଯେଉଁଠାରେ ଖାଲି ବୋତଲ, ଜରି ଆଦିକୁ ଦେଲେ ଟଙ୍କା ଫେରସ୍ତ କରାଯିବ।

ଏଥିରେ ଲୋକେ ପଡ଼ିଆରେ ଏହାକୁ ଫୋପାଡ଼ିବା ବଦଳରେ କାଉଣ୍ଟରରେ ଦେବେ। ବାଲିଯାତ୍ରା ପଡ଼ିଆର ଆଖପାଖ ରାସ୍ତାରେ ଏକାଧିକ ଲାଇଟ୍‌ ସ୍ଥାୟୀ ଭାବେ ଲଗାଯିବ। ୨୧ଟି ସ୍ଥାନରେ ଆରଆଣ୍ଡବି ପକ୍ଷରୁ ପାର୍କିଂ ସ୍ଥାନ ପ୍ରସ୍ତୁତ କରାଯାଇ ନିଗମକୁ ପ୍ରଦାନ କରାଯିବ। ‌ଯାତ୍ରା ପଡିଆର ୧୦ ହଜାର ବର୍ଗଫୁଟ ସ୍ଥାନରେ ନିଗମ ଅଞ୍ଚଳରେ ଥିବା ଏସ୍‌ଏଚ୍‌ଜି ମହିଳା ଗ୍ରୁପଙ୍କୁ ଷ୍ଟଲ୍‌ ଦେବାକୁ ବ୍ୟବସ୍ଥା କରାଯାଇଛି। ଉଠାଦୋକାନୀଙ୍କୁ ଯାତ୍ରାର ୮ଦିନ ପାଇଁ ଦେଢଶହ ଟଙ୍କା ଦେଇ ଅନୁମତି ନେବାକୁ ପଡିବ ବୋଲି ବୈଠକରେ କୁହାଯାଇଛି। ୨୪ ଘଣ୍ଟା ଧରି ତିନିଟି ସିଫଟ୍‌ରେ ସଫେଇ କର୍ମଚାରୀ ଯାତ୍ରା ପଡ଼ିଆ ସଫା କରିବାକୁ ନିୟୋଜିତ ହେବେ। ପଡ଼ିଆର ବିଭିନ୍ନ ସ୍ଥାନରେ ଶହେଟି ଶୌଚାଳୟ ରହିବ ବୋଲି ନିଗମର ସମ୍ମିଳନୀ କକ୍ଷରେ ଆୟୋଜିତ ବାଲିଯାତ୍ରା ପ୍ରସ୍ତୁତି ବୈଠ‌କରେ ସୂଚନା ଦିଆଯାଇଛି।

ତେବେ ଏହି ବୈଠକରେ ବାଲିଯାତ୍ରା ପଡ଼ିଆ ପ୍ଲଟ୍‌କୁ ନିଲାମ କରିବାକୁ ବହୁ କର୍ପୋରେଟର ବିରୋଧ କରିଥିଲେ। ଏଥିରେ ବିଧାୟକ ମହମ୍ମଦ ମୋକିମ୍‌ ଓ ସୌଭିକ୍ ବିଶ୍ବାଳ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କମିସନର ନିଖିଲ ପୱନ୍‌ କଲ୍ୟାଣ, ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ। ୨୦୨୨ର ବାଲିଯାତ୍ରା ରାଜ୍ୟସ୍ତରୀୟ ବାଲିଯାତ୍ରା ଭାବେ ପାଳନ କରାଯିବ। ଏଥିପାଇଁ ଚଳିତ ଯାତ୍ରାରେ ଅନେକ ସ୍ବତନ୍ତ୍ର ବିଷୟ ଆୟୋଜନ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଚୟନୀ କହିଛନ୍ତି। ଚଳିତ ବ‌ାଲିଯାତ୍ରାରେ ବିଭିନ୍ନ ବିଷୟ ଆୟୋଜନ କରାଯାଇ ଦେଶ ଓ ବିଦେଶରେ ଏହାକୁ ଅଧିକ ପରିଚିତ କରାଇବା ଦିଗରେ ଉଦ୍ୟମ କରାଯାଉଛି ବୋଲି କମିସନର ଶ୍ରୀ କଲ୍ୟାଣ କହିଛନ୍ତି।

Related Posts