(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଆଗାମୀ ବିଧାନସଭା ଅଧିବେଶନରେ ସରକାରଙ୍କ ପକ୍ଷରୁ ଆଇନରେ କେତକ ସଂଶୋଧନ ଅଣାଯିବାର ସମ୍ଭାବନା ରହିଛି । ଏ ପ୍ରସଙ୍ଗରେ ବିଭାଗୀୟ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ସୂଚନା ମିଳୁଛି । ଉଲ୍ଲେଖଯୋଗ୍ୟ ଯେ ପୌର ଓ ପଞ୍ଚାୟତ ନିର୍ବାଚନରେ ପ୍ରଚଳିତ ଆଇନ୍ ବ୍ୟବସ୍ଥା ଅନୁଯାୟୀ ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ଏହାକୁ ବାଦ୍ ଦେଲେ ସାମ୍ବିଧାନ ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଓଡିଶାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୩୮.୭୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି । ତିନିବର୍ଗଙ୍କ ଲାଗି ସଂରକ୍ଷଣ ୬୫.୭୫ ପ୍ରତିଶତ ଥିବାବେଳେ ବିଭିନ୍ନ ବର୍ଗ ମଧ୍ୟରେ ମହିଳାମାନଙ୍କ ପାଇଁ ମଧ୍ୟ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରହିଛି ।
ସୂଚନାଯୋଗ୍ୟ ଯେ କୋର୍ଟ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ ଚାକିରି କ୍ଷେତ୍ରରେ ସଂରକ୍ଷଣସୀମା ୫୦ ପ୍ରତିଶତରୁ ଟପିବନାହିଁ। ଏହି ରାୟ ଆସିବା ପରେ ପଛୁଆବର୍ଗଙ୍କ ପାଇଁ ଚାକିରିରେ ୨୭ପ୍ରତିଶତ ସଂରକ୍ଷଣ ଅକାମୀ ହୋଇ ଏହାକୁ ୧୧.୭୫ ପ୍ରତିଶତକୁ ହ୍ରାସ କରିବା ପାଇଁ ସରକାର ବାଧ୍ୟ ହୋଇଛନ୍ତି । ସେହିଭଳି ନୂଆପଡା ଏନ୍ଏସି ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ମଧ୍ୟ ସଂରକ୍ଷଣ ସୀମା ୫୦ପ୍ରତିଶତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ଏହି ରାୟ ୨୦୧୮ ସେପ୍ଟେମ୍ବର ମାସରୁ ହୋଇଛି ।
ସୁପ୍ରିମ୍କୋର୍ଟଙ୍କ ଏହି ରାୟ ଯୋଗୁଁ ପଛୁଆବର୍ଗଙ୍କ ଲାଗି ଆଉ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ସମ୍ଭବ ହେଉନଥିବାରୁ ୨୦୧୮ରୁ ଏଯାବତ୍ ପୌର ନିର୍ବାଚନକୁ ସରକାର ବିଳମ୍ବ କରୁଛନ୍ତି । ନିର୍ବାଚନ ନହେଉଥିବା କାରଣରୁ ରାଜ୍ୟରେ ଏବେ ପ୍ରାୟ ସମସ୍ତ ପୌରସଂସ୍ଥା ଅମଲାତନ୍ତ୍ର ଶାସନ ଚାଲିଛି ।
ସୂଚନା ମୁତାବକ ପଞ୍ଚାୟତିରାଜ ସଂସ୍ଥାଗୁଡିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚରେ ଶେଷ ହେବାକୁ ଯାଉଛି। ଏହା ପୂର୍ବରୁ ନିର୍ବାଚନ କରାନଗଲେ ଏହି ସଂସ୍ଥାଗୁଡିକ ବି ସରକାରୀ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ । ନିର୍ବାଚନ ଘୋଷଣା ପୂର୍ବରୁ କେଉଁ ୱାର୍ଡ ଓ କେଉଁ ପଦବୀ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ଓ ଅସଂରକ୍ଷିତ ତାହା ରାଜ୍ୟ ସରକାର ଏହାକୁ ସ୍ଥିର କରିବା ଆବଶ୍ୟକ ।
ଏଥିପାଇଁ ନିର୍ବାଚନମଣ୍ଡଳୀ ସ୍ତରରେ ବ୍ୟାପକ ସଂଶୋଧନର ଆବଶ୍ୟକତା ରହିଛି । ପ୍ରଚଳିତ ଆଇନ୍ ସୁପ୍ରିମ୍କୋର୍ଟଙ୍କ ରାୟର ବିରୋଧ କରୁଥିବାରୁ ନିର୍ବାଚନମଣ୍ଡଳୀ ପୁର୍ନଗଠନ ଓ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ସରକାରଙ୍କୁ ପ୍ରଚଳିତ ଆଇନ୍ରେ ସଂଶୋଧନ ଆଣିବାକୁ ପଡିବ କିମ୍ବା ଏହାକୁ ଉଚ୍ଛେଦ କରି ନୂଆ ଆଇନ୍ ପ୍ରଣୟନ କରିବାକୁ ପଡିବ।
ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଆଇନ୍ ବିଭାଗ ସହ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଦାୟିତ୍ୱରେ ଥିବା ବେଳେ ତାଙ୍କ ନିୟନ୍ତ୍ରଣରେ ଥିବା ତିନିଟି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ଆଇନ୍ଗତ ପ୍ରକ୍ରିୟା ଅକ୍ଟୋବର ଶେଷସୁଦ୍ଧା ଶେଷ ହେବବୋଲି କୁହାଯାଉଛି । ଏଥିପାଇଁ ବିଧାନସଭାର ମୌସୁମୀ ଅଧିବେଶନରେ ଏ ସଂକ୍ରାନ୍ତୀୟ ବିଲ୍ ଆସିପାରେ ବୋଲି ଉଭୟ ସରକାରୀ ଓ ବିରୋଧି ଆଶା କରୁଛନ୍ତି ।
ଏବେ ବିଜେଡି ଯେଭଳି ପ୍ରତ୍ୟେକ ବ୍ଲକରେ ତାହାର ସାଂଗଠନିକ ସ୍ଥିତିକୁ ସୁଦୃଢ କରୁଛି ସେଥିରୁ ଶାସକଦଳ ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତିକାର୍ଯ୍ୟ ଜୋରଦାର କରୁଥିବା ସ୍ପଷ୍ଟ ହୋଇଛି । ସେପଟେ ବିଜେପି ମଧ୍ୟ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରି ମାହୋଲ ସୃଷ୍ଟି କରିବା ଆରମ୍ଭ କରିଛି।