ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ନିମାପଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ସେ କହିଛନ୍ତି, ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇ ନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ୍ ରଦ୍ଦ ହୋଇଛି । ଅନେକଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଆଉ ଏକାଧିକ ନମ୍ବର ରହିଛି । ଗୋଟିଏ ଆକାଉଣ୍ଟ ସହ ସେହି ନମ୍ବର ଯେପରି ଆଧାର କାର୍ଡ ସହ ସଂଯୋଗ ଥିବ, ତାହାଲେ ସୁଭଦ୍ରା ଟଙ୍କା ଯୋଗାଇବାରେ ସୁବିଧା ହେବ ।
ପ୍ରଭାତୀ ପରିଡ଼ା କହିଛନ୍ତି, ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ କରନ୍ତୁ। ରାଜ୍ୟର ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ ହୋଇନି। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ। ଯାହାର ଦୁଇ ତିନିଟି ଆକାଉଣ୍ଟ ରହିଛି, ସେମାନଙ୍କର ଏଭଳି ସମସ୍ୟା ହେଉଛି। ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ।
ସେ ଆହୁରି କହିଛନ୍ତି, ୨ ଲକ୍ଷ ୬୭ ହଜାର ରଦ୍ଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ୍ ଅଫିସ୍କୁ ପଠାଯାଇଛି । ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନୱାଡ଼ି କର୍ମୀ । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ।