ମୋହନ ଭାଗବତଙ୍କ ବୟାନକୁ ନେଇ ବଢୁଛି ରାଜନୀତି , ମାୟାବତୀ କହିଲେ – ” ବିଜେପି-ଆରଏସଏସ ର କହିବା ଓ କରିବା ମଧ୍ୟରେ ବହୁତ ପାର୍ଥକ୍ୟ”

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଵୟାନକୁ ନେଇ ଏବେ ରାଜନୀତି ଜୋର ଧରିଛି । କଂଗ୍ରେସ, ଏଆଇଏମ୍ଏମ୍ ପରେ ଏବେ ବିଏସପି ସୁପ୍ରିମୋ ମାୟାବତୀ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି। ମାୟାବତୀ କହିଛନ୍ତି ଯେ କେନ୍ଦ୍ର ସମେତ ଯେଉଁ ରାଜ୍ୟ ଗୁଡ଼ିକରେ ବିଜେପି ସରକାର ଚଲାଉଛି, ସେମାନେ ସେଠାରେ ଭାରତୀୟ ସମ୍ବିଧାନର ଅନୁସରଣ କରିବା ପରିବର୍ତ୍ତେ ଆରଏସଏସର ସଂକୀର୍ଣ୍ଣ ଏଜେଣ୍ଡା ଅନୁସରଣ କରୁଛନ୍ତି। ମାୟାବତୀ କହିଛନ୍ତି ଯେ ମୋହନ ଭଗବତ ଦେଇଥିବା ବୟାନକୁ କେହି ସହଜରେ ଗ୍ରହଣ କରିବେ ନାହିଁ। ଆରଏସଏସ ଏବଂ ବିଜେପିର କହିବା ଓ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ସୂଚନାଯୋଗ୍ୟ ଯେ, ଆରଏସଏସ ମୁଖ୍ୟ ମୋହନ ଭଗବତ ରବିବାର ଦିନ ୟୁପିର ଗାଜିଆବାଦର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ , ସବୁ ଭାରତୀୟଙ୍କ ‌ଡିଏନ୍‌ଏ ଏକ। ହିନ୍ଦୁ ହୁଅନ୍ତୁ କିମ୍ବା ମୁସ୍‌ଲିମ୍‌ ସମସ୍ତ ଭାରତୀୟ ଏକ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁସଲିମମାନେ ଇସଲାମ ପ୍ରତି ବିପଦ ରହିଛି ବୋଲି ଭୟ ଭିତରେ ଫସି ରହିବା ଆଦୌ ଉଚିତ ନୁହେଁ । ଏହା ପର ଠାରୁ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି ଯେ, ” ମୋହନ ଭାଗବତ ଜୀ, ଆପଣ କଣ ଆପଣଙ୍କ ଶିଷ୍ୟ, ପ୍ରଚାରକ , ବିଶ୍ୱ ହିନ୍ଦୁ ପରିଷଦ / ବଜରଙ୍ଗ ଦଳର କର୍ମୀ ମାନଙ୍କୁ ମଧ୍ୟ ଏହି ବିଚାର ଦେବ କି ? ଆପଣ ମୋଦୀ ଜୀ ଏବଂ ବିଜେପିର ମୁଖ୍ୟମନ୍ତ୍ରୀ ମାନଙ୍କୁ ମଧ୍ୟ ଏହି ଶିକ୍ଷା ଦେବେ କି ?” ସେହିପରି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ଭଗବତଙ୍କ ବୟାନ ଉପରେ କଡା ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ‘ଲିଞ୍ଚିଂରେ ସାମିଲ ହେଉଥିବା ଲୋକେ ହିନ୍ଦୁତ୍ବ ବିରୋଧୀ’ । ଏହି ଅପରାଧୀମାନେ ଗାଇ ଏବଂ ମଇଁଷି ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ , କିନ୍ତୁ ଜୁନାଦ, ଅଖଲାକ୍, ପେହୁଲୁ, ରାକର, ଆଲିମୁଦ୍ଦିନଙ୍କ ନାମ ହିଁ ସେମାନଙ୍କୁ ମାରିବା ପାଇଁ ଯଥେଷ୍ଟ। ଏହି ଘୃଣା ହେଉଛି ହିନ୍ଦୁତ୍ୱର ଫଳ , ଏହି ଅପରାଧୀମାନେ ହେଉଛନ୍ତି ହିନ୍ଦୁତ୍ୱ ସରକାରଙ୍କ ମେରୁଦଣ୍ଡ ।” ଆରଏସ୍‌ଏସ୍‌ର ମୁସଲିମ ଶାଖା ‘ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ’ ପକ୍ଷରୁ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଆରଏସ୍ଏସ୍ ମୁଖ୍ୟ କହିଛନ୍ତି , ଭାରତ ସର୍ବଦା ଶାନ୍ତି, ସଦ୍‌ଭାବନା ଓ ଏକତାର ମନ୍ତ୍ର ଦେଇ ଆସିଛି। ମୁସଲିମମାନେ ଇସଲାମ ପ୍ରତି ବିପଦ ରହିଛି ବୋଲି ଭୟ ଭିତରେ ଫସି ରହିବା ଆଦୌ ଉଚିତ ନୁହେଁ ବୋଲି ମୋହନ ଭାଗବତ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋ ସୁରକ୍ଷା ନାମରେ ହିଂସା ଅକ୍ଷମଣୀୟ ଏବଂ ଏହି ମାମଲାରେ ଆଇନ ତା ବାଟରେ ଯିବା ଉଚିତ । ଯେଉଁମାନେ ଗୋ ସୁରକ୍ଷା ନାମରେ ହତ୍ୟା କରୁଛନ୍ତି ସେମାନେ ମଧ୍ୟ ହିନ୍ଦୁ ନୁହନ୍ତି ବୋଲି ଭାଗବତ କହିଥିଲେ । ଲିଞ୍ଚିଂରେ ସାମିଲ ହେଉଥିବା ଲୋକେ ହିନ୍ଦୁତ୍ବ ବିରୋଧୀ ଏବଂ ସେମାନେ ମାନବତାର ବିରୋଧୀ ବୋଲି ଭାଗବତ କହିଥିଲେ ।

Related Posts