ଯାଜପୁରରେ ରାଜନୈତିକ ହିଂସା, ହାରିଥିବା ପ୍ରାର୍ଥୀଙ୍କ ସମର୍ଥକଙ୍କୁ ଆକ୍ରମଣ, ପ୍ରତିବାଦରେ ଥାନା ଘେରାଉ

ସରିଛି ପଞ୍ଚାୟତ ନିର୍ବାଚନ । ଘୋଷଣା ହୋଇସାରିଲାଣି ବିଜୟୀ ପ୍ରାର୍ଥୀଙ୍କ ନାମ । କିନ୍ତୁ ଏବେ ବି ଥମୁନି ହିଂସା । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତରେ ନିର୍ବାଚନୀ ପରବର୍ତୀ ରାଜନୈତିକ ହିଂସା ଦେଖିବାକୁ ମିଳିଛି | ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ଉପରେ ବିଜୟୀ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟିଛି ମଙ୍ଗଳପୁର ଥାନା ମଙ୍ଗଳପୁର ପଞ୍ଚାୟତର ବଣସାହି ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପରାଜିତ ସରପଞ୍ଚ ପ୍ରାର୍ଥୀ ପଙ୍କଜିନୀ ମହାପାତ୍ରଙ୍କ ସମର୍ଥକମାନେ ନିର୍ବାଚନର ପରାଜୟ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକ ସାରି ସେମାନେ ପ୍ରାୟ ୧୧ଟାବେଳେ ବାହାରି ନିଜ ନିଜ ଘରକୁ ଫେରୁଥିବା ବେଳେ ବଣସାହିରେ ବିଜୟୀ ସରପଞ୍ଚ ପ୍ରାର୍ଥୀ ସସ୍ମିତା ଧଳ ଏବଂ ତାଙ୍କ ସ୍ବାମୀ ତଥା ପୂର୍ବତନ ସରପଞ୍ଚ ଶିଶିର ଧଳଙ୍କ ସମର୍ଥକମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଜଣାଯାଇଛି। ଏଥିରେ ଉଭୟ ପକ୍ଷର ୧୦ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ତେବେ ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ଉଭୟ ଗୋଷ୍ଠୀର ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏଣେ ଏହି ଆକ୍ରମଣର ପ୍ରତିବାଦ କରି ପରାଜିତ ସରପଞ୍ଚ ପ୍ରାର୍ଥୀ ପଙ୍କଜିନୀ ମହାପାତ୍ରଙ୍କ ସମର୍ଥକମାନେ ମଙ୍ଗଳପୁର ଥାନା ଆଗରେ ଧାରଣାରେ ବସିଛନ୍ତି। ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Related Posts