ଆମେରିକା ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆମେରିକା ଗସ୍ତରେ ଯିବେ ପିଏମ୍ ମୋଦୀ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଖୁବ ଶୀଘ୍ର ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରିପୋର୍ଟ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୨୪ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବା ପାଇଁ ଆମେରିକା ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟ ପ୍ରଥମଥର ମୁହାଁମୁହିଁ ହେବ । ଏହାପୂର୍ବରୁ ଏହି ଉଭୟ ନେତା ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ଅତି କମରେ ତିନିଥର ସାକ୍ଷାତ କରିସାରିଛନ୍ତି । 

ଚଳିତ ବର୍ଷ ମାର୍ଚ୍ଚରେ କ୍ୱାଡ ଶିଖର ସମ୍ମିଳନୀରେ ଦୁହେଁ ପ୍ରଥମେ ସାକ୍ଷାତ ହୋଇଥିଲେ । ଏହା ପରେ ଉଭୟ ଏପ୍ରିଲ ମାସରେ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସମୟରେ ଭେଟିଥିଲେ । ଶେଷ ଥର ପାଇଁ ଏହି ଦୁଇ ନେତାଙ୍କୁ ଚଳିତ ବର୍ଷ ଜୁନ୍ ମାସରେ ଜି -୭ ବୈଠକରେ ଦେଖିବାକୁ ମିଳିଥିଲା । ବାଇଡେନଙ୍କ ଦ୍ବାରା ଆୟୋଜିତ ଏହି ଶିଖର ସମ୍ମିଳନୀରେ ଭାରତ ସମେତ ଅଷ୍ଟ୍ରେଲିଆ ଓ ଜାପାନର ପ୍ରଧାନମନ୍ତ୍ରୀ ସାମିଲ ହେବେ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ବାଇଡେନ ଭର୍ଚୁଆଲ ମୋଡରେ ପ୍ରଥମ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତି ଅନୁଯାୟୀ, ଏଥର ହେବାକୁ ଥିବା ଶିଖର ସମ୍ମିଳନୀରେ ଚଳିତ ବର୍ଷ ମାର୍ଚ୍ଚରେ ଘୋଷଣା ହୋଇଥିବା କୋଭିଡ -୧୯ ଟିକାକରଣ ପଦକ୍ଷେପ ଉପରେ ସମୀକ୍ଷା କରିବେ । 

ଏତଦ୍ ବ୍ୟତୀତ ସାମ୍ପ୍ରତିକ ପରିସ୍ଥିତିରେ ଆଉ କିଛି ବିଶ୍ବସ୍ତରୀୟ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିବେ। ଯେମିତିକ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ ଏବଂ ଭିତ୍ତିଭୂମି, ସାଇବର ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ଶିକ୍ଷା ଇତ୍ଯାଦି ବିଷୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ସେପଟେ , ସେପ୍ଟେମ୍ବର ୨୫ରେ, ପିଏମ୍ ମୋଦୀ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୬ତମ ଅଧିବେଶନର ଉଚ୍ଚ ସ୍ତରୀୟ ବିଭାଗର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ। 

Related Posts