ପିସିସି ସଭାପତିମାନେ ମଲ୍ଲିକାର୍ଜୁନ ଖରଗେ ଙ୍କୁ ଭିତିରିଆ ସମର୍ଥନ କରୁଛନ୍ତି: ଶଶି ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖରଗେ ଓ ସାଂସଦ ଶଶି ଥରୁରଙ୍କ ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା ହେଉଛି। ଏବେ ଦୁଇ ପ୍ରାର୍ଥୀ ନିଜ ନିଜ ପ୍ରଚାର ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରୁଥିବା ବେଳେ ଏକ ବଡ ଅଭିଯୋଗ ଆଣିଛନ୍ତି ଶଶି ଥରୁର। ସେ କହିଛନ୍ତି ଯେ, ବହୁ ରାଜ୍ୟର ପିସିସି ସଭାପତି ମାନେ ଖରଗେ ଙ୍କୁ ଭିତିରିଆ ସମର୍ଥନ କରୁଛନ୍ତି।

ତେବେ ନିଜର ନିର୍ବାଚନୀ ପ୍ରଚାର ପାଇଁ ଦିଲ୍ଲୀ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବାକୁ ଥରୁର ଦିଲ୍ଲୀ ଆସିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ଦଳର ବହୁ ବରିଷ୍ଠ ନେତା ଓ କିଛି ରାଜ୍ୟର ପିସିସି ସଭାପତି ମାନେ ଖରଗେଙ୍କୁ ସମର୍ଥନ କରୁଛନ୍ତି। ସେ ଅସନ୍ତୋଷ ଜାହିର କରି କହିଛନ୍ତି ଯେ କିଛି ପିସିସି ସଭାପତି ଖରଗେଙ୍କ ସମର୍ଥନରେ ବୈଠକ ମଧ୍ୟ କରୁଛନ୍ତି। ହେଲେ ତାଙ୍କ ଗସ୍ତ ସମୟରେ ସେମାନେ ଅନୁପସ୍ଥିତ ରହୁଥିବା ଥରୁର ଅଭିଯୋଗ କରିଛନ୍ତି। ଏପରିକି କିଛି ନେତାଙ୍କୁ ଯୋଗାଯୋଗ କରିବା ମଧ୍ୟ ସମ୍ଭବ ହେଉନାହିଁ। ଦଳର ଭୋଟର ମାନଙ୍କର ଯେଉଁ ତାଲିକା ତାଙ୍କୁ ଦିଆଯାଇଛି ସେଥିରେ କିଛି ନେତାଙ୍କ ଭୁଲ ଠିକଣା ଥିବା ବେଳେ କିଛି ନେତାଙ୍କ ଯୋଗାଯୋଗ ନମ୍ବର ନଥିବା ଥରୁର ଅଭିଯୋଗ କରିଛନ୍ତି।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ନିଜର ପ୍ରଚାର ପାଇଁ ଥରୁର କେରଳ ଏବଂ ତାମିଲନାଡୁ ଗସ୍ତରେ ଯାଇଥିଲେ। ହେଲେ ସେଠାରେ ତାଙ୍କ ବୈଠକକୁ ଦଳର ବହୁ ବରିଷ୍ଠ ନେତା ଆସିନଥିଲେ। ଏହାକୁ ନେଇ ଥରୁର ନିଜ ଅସନ୍ତୋଷ ଜାହିର କରିଛନ୍ତି।

ତେବେ କିଛି ପିସିସି ସଭାପତି ମାନେ ଖୋଲା ଖୋଲି ଖରଗେଙ୍କ ସପକ୍ଷରେ ପ୍ରଚାର କରିବାକୁ ବିରୋଧ କରି ନିକଟରେ ଥରୁର ଦଳର କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ସିଇସିଙ୍କ ପକ୍ଷରୁ କଡା ନିର୍ଦ୍ଦେଶନାମା ଜାରି କରାଯାଇ ଦଳର ପଦ ପଦବୀରେ ଥିବା ନେତା ମାନଙ୍କୁ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇ ଦଶନ୍ଧି ପରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନ ପାଇଁ ଆସନ୍ତା ଅକ୍ଟୋବର ୧୭ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏବେ ପ୍ରାର୍ଥୀ ମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି। ଏହି ନିର୍ବାଚନରେ ୯୦୦୦ରୁ ଉର୍ଦ୍ଧ କଂଗ୍ରେସ ନେତା ନିଜର ମତ ସାବ୍ୟସ୍ତ କରିବାକୁ ଥିବା ବେଳେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖରଗେଙ୍କୁ ଦଳର ଅଧିକାଂଶ ନେତା ଖୋଲାଖୋଲି ସମର୍ଥନ କରୁଥିବା ଦେଖାଯାଇଛି ।

Related Posts