ଭରତପୁର ଥାନା ମାମଲାରେ ଗଡ଼ିଲା ପଣ୍ଡା-ପ୍ରତୀକଙ୍କ ମୁଣ୍ଡ

ଭୁବନେଶ୍ୱର,୩୦/୯(ସତ୍ୟପାଠ ବ୍ୟୁରୋ): ଭରତପୁର ଥାନା ମାମଲାରେ ସାରା ଦେଶରେ ଓଡିଶା ନିନ୍ଦିତ ହେବା ପରେ ଏବେ ଏହାର ନ୍ୟାୟିକ ତଦନ୍ତ ନିର୍ଦେଶ ଦେଇଛନ୍ତି ସରକାର | ଅନ୍ୟପଟେ ଏ ଘଟଣାକୁ ଡିଲ୍ କରିବାରେ ସମ୍ପୂର୍ଣ ବିଫଳ ହୋଇଥିବା କମିଶନର ସଂଜୀବ ପଣ୍ଡା  ଓ DCP ପ୍ରତୀକ ସିଂଙ୍କୁ ଶେଷରେ ଗତକାଲି ବଦଳି କରିଛନ୍ତି ସରକାର | ସଂଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଟ୍ରେନିଂ ଏକାଡେମୀକୁ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି | ସେହିପରି ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି କରି ବଦଳି କରାଯାଇଛି। ସଂଜୀବ ପଣ୍ଡାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ମିଳିଛି। ସେହିପରି ପୁରୀ ଏସ୍‌ପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି।

ତେବେ ଭରତପୁର ଥାନା ମାମଲା ଉଭୟ ସଂଜୀବ ପଣ୍ଡା ଓ ପ୍ରତୀକ ସିଂଙ୍କ ପାଇଁ ଅଧିକ ବିବାଦୀୟ ହୋଇଥିଲା | ପ୍ରତୀକ ସିଂ ଏ ଘଟଣାରେ ଖବର ସରବରାହ ସଂସ୍ଥା ANI କୁ ପ୍ରତିକ୍ରିୟା ଦେଇ ସବୁ ଦୋଷ ଭାରତୀୟ ସେନାର ଯବାନ ଓ ତାଙ୍କ ବାନ୍ଧବୀଙ୍କୁ ଦେଇଥିଲେ | ଯାହା ପରେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହୋଇଥିଲା | ସେହିପରି ଭରତପୁର ଥାନା ଉଉଦ୍ଘାଟନ ସମୟରେ ସଂଜୀବ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏହା ଏକ ମଡେଲ ଥାନା | ଏଥିରେ ସିସିଟିଭି ସହିତ ସମସ୍ତ ସୁବିଧା ଉପଲବ୍ଧ ଅଛି | ହେଲେ ଏ ମାମଲା ପରେ ଥାନାରେ CCTV  ନଥିବା ସାମ୍ନାକୁ ଆସିଥିଲା | ଅନ୍ୟପଟେ ଘଟଣା ପରେ 5 ପୁଲିସ କର୍ମଚାରୀଙ୍କ ନିଲମ୍ବନ ବିରୋଧରେ ଭୁବନେଶ୍ୱରରେ ପୋଲିସଙ୍କ ମେଳି ଉଭୟ ସଂଜୀବ ଓ ପ୍ରତୀକଙ୍କ ଭୂମିକା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା | ପୋଲିସ ମେଳି ସରକାରଙ୍କୁ ଏକ ପ୍ରକାର ଚ୍ୟାଲେଞ୍ଜ ଭଳି ଥିଲା | ଏତେ ସବୁ ବିବାଦ ମଧ୍ୟରେ ଶେଷରେ ଉଭୟ CP-DCP ଥିବା ସଂଜୀବ ପଣ୍ଡା ଓ ପ୍ରତୀକ ସିଂଙ୍କୁ ବଦଳି କରିଛନ୍ତି ସରକାର |।

Related Posts