ସରକାରଙ୍କ ପାଇଁ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୧୦ ମାର୍ଚ୍ଚ ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବିତ ହୋଇପାରେ । ବିଳମ୍ବ ହେବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ । ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା । ଏହି କାର୍ଯ୍ୟ ଯଥା ଶୀଘ୍ର ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାମ ଶେଷ ହୋଇନାହିଁ । ତେଣୁ ନିର୍ବାଚନ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି। ଗତ ମାର୍ଚ୍ଚ ୧୦ରେ କମିଶନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏପ୍ରିଲ ୩୦ ସୁଦ୍ଧା ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଥିଲା । ଏହା ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ କମିଶନଙ୍କ ପକ୍ଷରୁ ଚିଠି ଲେଖାଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କ କାର୍ଯ୍ୟ ସରିନଥିବାରୁ ନିର୍ବାଚନ ଉଚିତ୍ ସମୟରେ ହେବା ନେଇ ଆଶଙ୍କା ଦେଖାଦେଇଛି । ଆସନ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ଏବେ ଅଡୁଆରେ ପଡିଥିବାରୁ ଏହି ପ୍ରକ୍ରିୟା ଶେଷ କରିବାକୁ ଜାଣିଶୁଣି ବିଳମ୍ବ କରୁଥିବା କୁହାଯାଉଛି। ସୂଚନାଯୋଗ୍ୟ, ପୌର ଓ ପଂଚାୟତ ନିର୍ବାଚନରେ ପୂର୍ବରୁ ୬୪ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଲୋକାଲ ବଡି ଇଲେକସନରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜ୍ୟ ସରକାର ଏବେ ସଙ୍କଟରେ ପଡିଯାଇଛନ୍ତି। 

Related Posts