
ପାଳଲହଡା ୨୩/୩ (ସତ୍ୟପାଠ ବ୍ୟୁରୋ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଜ୍ୟ ସଭାପତି ଡ଼. ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଆଜି ପାଳଲହଡା ଶରତ ଚନ୍ଦ୍ର କ୍ଲବ ଠାରେ ବିଧାନସଭା ସ୍ତରୀୟ ଶ୍ରଦ୍ଧାଞ୍ଜଳି ଦିବସ ଅନୁଷ୍ଠିତ ହୋଇଯାଇଛି | ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ଲିଙ୍ଗରାଜ ଦାସଙ୍କ ପୌରାହୀତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପାଳଲହଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଦଳମତ ନିର୍ବିଶେଷରେ ବହୁ ସଂଖ୍ୟାରେ ବ୍ୟକ୍ତିବିଶେଷ,ନେତା,ସାମାଜିକ କର୍ମୀ,ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଵା ସହ ସ୍ମୃତି ଚାରଣ କରିଥିଲେ |
ପାଳଲହଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଲମ ଗାଁ ତାଙ୍କର ଜନ୍ମ ଭୂମି ହୋଇ ଥିବା ବେଳେ ସେ ପାଳଲହଡା ବ୍ଲକର ଓଡ଼ଶ ଗ୍ରାମରେ ବିବାହ କରିଥିଲେ| ରାଜନୈତିକ ସଂଗଠନ, ସମ୍ପର୍କ ସାଙ୍ଗକୁ ସ୍ୱଶୁର ଘର ଅଞ୍ଚଳ ପାଳଲହଡା ପ୍ରତି ଡାକ୍ତର ପ୍ରଧାନଙ୍କର ସ୍ନେହ,ଭଲ ପାଇବା ରହିଥିଲା| ଏ ଅଂଚଳର ଅଧିକାଶ ପରିବାରରେ ତାଙ୍କର ବନ୍ଧୁ ବାନ୍ଧବ,ସାଙ୍ଗସାଥି,ସମ୍ପର୍କୀୟ, ଶୁଭେଛୁ ରହିଛନ୍ତି |ତାଙ୍କର ପାଳଲହଡା ସହିତ ଅତୁଳନୀୟ ସମ୍ପର୍କ ରହିଥିଲା ବୋଲି ବିଧାୟକ ଅଶୋକ କୁମାର ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ| ତାଳଚେର ବିଜେପି ମଣ୍ଡଳ ସଭାପତିରୁ ରାଜନୈତିକ ଜୀବନ ଆରମ୍ଭ କରି ରାଜ୍ୟ ବିଜେପି ସଭାପତି ପର୍ଯ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରି ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଭୁପୃଷ୍ଟ ପରିବହନ, ଓ କୃଷି ଭଳି ଗୁରୁତ୍ୱ ପୂର୍ଣ୍ଣ ବିଭାଗ ର ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ। ସେ ଜଣେ ସ୍ପଷ୍ଟବାଦୀ, ସ୍ନେହୀ,ଅମାୟିକ ଓ ଦରଦି ମଣିଷ ଥିଲେ| ତୃଣମୂଳ ସ୍ତରରୁ ଉତ୍ସର୍ଗୀକୃତ ମନୋଭାବ ପାଇଁ ସ୍ବର୍ଗତ ପ୍ରଧାନ ଶୀର୍ଷ ସ୍ତରରେ ପହଞ୍ଚି ପାରିଥିଲେ। ତାଙ୍କ ବିୟୋଗରେ ଦେଶ ଜଣେ ଆଦର୍ଶବାଦୀ ନେତାଙ୍କୁ ହରାଇଲା ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା|
ପାଳଲହଡା ପୂର୍ବତନ ବିଧାୟକ ମୁକେଶ ପାଳ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ| ପାଳଲହଡା ରେ ଡ଼. ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟାରେ ପ୍ରଥମେ ଟେଲିକମ BSNL ସେବା ଉପଲବ୍ଧ ହୋଇ ପାରିଥିଲା | ସେ ଜଣେ ଏ ଅଞ୍ଚଳର ଦୃଢ ସଂଗଠକ ରହିଥିଲେ| ତାଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇଥିବା ଶ୍ରୀ ପାଳ କହିଥିଲେ| ପ୍ରମୁଖ ବିଜେପି,କଂଗ୍ରେସ ଓ ବିଜେଡି ଦଳର ବହୁ ଦଳୀୟ ପଦାଧିକାରୀ,କାର୍ଯ୍ୟକର୍ତା ଙ୍କ ସମେତ ପାଳଲହଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣୀ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସାବିତ୍ରୀ ମାଝୀ, ପୂର୍ବତନ ଅଧ୍ୟକ୍ଷ ନବକିଶୋର ନାଏକ, କଂଗ୍ରେସ ର ବ୍ଲକ ସଭାପତି ଦୋଳ ଗୋବିନ୍ଦ ସାହୁ,ବରିଷ୍ଠ ନେତା ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନ, ମିହିର ପାଲ, ବାର ଆସୋସିଏସନ ସଭାପତି ମନୋରଞ୍ଜନ ପାଲ, ଅବସର ପ୍ରାପ୍ତ କର୍ମଚାରୀ ସଂଘ ,ଶିକ୍ଷକ ସଂଘ ଏବଂ ସାମ୍ବାଦିକ ସଂଘ ର ସଦସ୍ୟ ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ଓ ବୁଦ୍ଧିଜୀବୀ ବ୍ୟକ୍ତି ମାନେ ଉପସ୍ଥିତ ରହି ଡାଃ ପ୍ରଧାନ ଙ୍କ ସ୍ମୃତିଚାରଣ କରିଥିଲେ।
ରିପୋର୍ଟ: ସୁବ୍ରତ ଦାସ (ପାଲଲହଡା)