ପୁଣି ଭାରତ ଆକାଶରେ ଉଡିଲା ପାକିସ୍ତାନ ଡ୍ରୋନ: ସୀମା ସୁରକ୍ଷାବଳ ପକ୍ଷରୁ ଗୁଳିମାଡ

ଶ୍ରୀନଗର: ପୁଣି ଉଡିଲା ପାକିସ୍ତାନ ଡ୍ରୋନ । ଭାରତ ଆକାଶରେ ପାକିସ୍ତାନ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି | ଜମ୍ମୁର ଅର୍ନିଆ ଅଞ୍ଚଳରେ ଏହି ଡ୍ରୋନଟି ଉଡୁଥିଲା | ତେବେ ସୀମା ସୁରକ୍ଷାବଳ ପକ୍ଷରୁ ଡ୍ରୋନକୁ ଗୁଳିମାଡ କରାଯାଇଛି । ପରେ ସନ୍ଦିଗ୍ଧ ଡ୍ରୋନ୍‌ଟି ପାକିସ୍ତାନ ପାର୍ଶ୍ବକୁ ଫେରିଯାଇଥିବା କହିଛି ବିଏସଏଫ (BSF) । ଆଜି ଭୋର ପାଖାପାଖି 4ଟା 45ରେ ଘଟଣା ଘଟିଛି ।

ଅର୍ନିଆ ଅଞ୍ଚଳରେ ହଠାତ ଆକାଶରେ ଏକ ଲାଇଟ ଦେଖାଯାଇଥିଲା । ବିଏସଏଫ ସଙ୍ଗେ ସଙ୍ଗେ ଆଲର୍ଟ ହୋଇଯାଇଥିଲେ । ଡ୍ରୋନକୁ ଗୁଳିମାଡ କରି ଖସାଇବାକୁ ଚେଷ୍ଟା କରିଥିଲେ । ପାଖାପାଖି 300 ମିଟର ଦୂରରେ ଡ୍ରୋନ ଉଡୁଥିବା ଫୋର୍ସ ପକ୍ଷରୁ କୁହାଯାଇଛି । ସେନା ଗୁଳିମାଡ କରିବା କ୍ଷଣି ଡ୍ରୋନ ପାକିସ୍ତାନ ପାର୍ଶ୍ବକୁ ପଳାଇଯାଇଥିଲା । ଏହା ପରେ ଭାରତ ବିଏସଏଫ ଭାରତ-ପାକିସ୍ତାନ ଏବଂ ଭାରତ ବାଂଲାଦେଶ ସୀମାରେ ସର୍ଚ୍ଚ ଅପରେସନ ଚଳାଇଛି ।ସୀମାରେ ଡ୍ରୋନ କାର୍ଯ୍ୟକଳାପ ବଢିବାରେ ଲାଗିଛି । ମଇ 15, ମଇ 8, ମଇ 29, ଫେବୃଆରୀ 24ରେ ସୀମାରେ ଡ୍ରୋନ ଠାବ ହୋଇଥିଲା । ଏହା ପରେ ସେଠାରେ ସ୍ବତନ୍ତ୍ର ଅପରେସନ ଆରମ୍ଭ ହୋଇଥିଲା । ପୋଲିସ କର୍ଡନ ସର୍ଚ୍ଚ ଅପରେସନ କରି ଏକ ଡ୍ରୋନ ଠାବ କରିଥିଲା । ଯେଉଁଥିରେ 3ଟି ରିମୋଟ ନିୟନ୍ତ୍ରଣ IED, 3ଟି ବିସ୍ଫୋରଣ ବୋତଲ, ଗୋଟିଏ ବଣ୍ଡଲ କୋର୍ଡଟେକ୍ସ ଚାର, ଗୋଟିଏ ପିଷ୍ଟଲ ଓ 6ଟି ମାଗାଜିନ, 70 ରାଉଣ୍ଡ ଗୁଳି ଜବତ କରିଥିଲା ।

ଭାରତ ସୀମାର ପାକିସ୍ତାନ ପାର୍ଶ୍ୱରୁ ଡ୍ରୋନ୍ ଆସିଥିବା ଘଟଣା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦେଶ ପାଇଁ କ୍ଷତି ପହଞ୍ଚାଉଛି । ତେବେ ଭାରତୀୟ ସେନା ସଜାଗ ରହି ପାକିସ୍ତାନ ର ଚାଲ କୁ ପଣ୍ଡ କରୁଥିବା ଦେଖିବାକୁ ମିଳିଛି |

Related Posts