ପ୍ରଦ୍ୟୁମ୍ନ ଶତପଥୀ
ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ଗବେଷକ
ବରିଷ୍ଠ ସାମ୍ବାଦିକ ତଥା ବହୁମୁଖି ପ୍ରତିଭାଦୀପ୍ତ ସର୍ଜନଶୀଳ ବ୍ୟକ୍ତିତ୍ଵ ଅଗ୍ରଜ ଶ୍ରୀରାମ ଦାଶ ଙ୍କ ଉପସ୍ଥାପନ ଟି ଆମକୁ ପ୍ରେରିତ କରୁଛି ଉପରୋକ୍ତ ଶୀର୍ଷକ ରେ ଏକ ଆଲେଖ୍ୟ ଉପସ୍ଥାପନ ପୂର୍ବକ ଆମର ସହୃଦୟ ବନ୍ଧୁ ବର୍ଗ ଙ୍କ ସନ୍ଦେହ ଦୂରିଭୁତ କରିବା ସଙ୍ଗେ ସଙ୍ଗେ ଗର୍ବବୋଧ ଅନୁଭବ କରିବା ଭଳି ତଥ୍ୟ ସନ୍ନିବେଶିତ କରି ଏକ ଦୀର୍ଘ ଆଲେଖ୍ୟ ଉପସ୍ଥାପନ କରିବା ପାଇଁ । ଆମେ ଏହା ମଧ୍ୟ ଜାଣୁ ଯେ ଅନେକ ଏହାର କଳେବର ଦେଖି ପଢିବାକୁ ଆଗ୍ରହୀ ହେବେ ନାହିଁ । ମାତ୍ର ଯେଉଁ ସ୍ବଳ୍ପ ସଂଖ୍ୟକ ବିଦ୍ୱାନ, ମାଟି ମନସ୍କ, ସଂସ୍କୃତି ଉପାସକ ଉକ୍ତ ମୁଖପୁସ୍ତକ ରେ ଆମ ସମ୍ପର୍କରେ ଅଛନ୍ତି, ସେମାନଙ୍କ ପାଇଁ ଏହା ଉଦ୍ଧିଷ୍ଟ । ଆମେ ଗର୍ବର ସହ ହଜାର ହଜାର ବାର କହି ଓ ଲେଖି ଆସିଛୁ ଯେ ଓଡ଼ିଆ ମାନେ ଅନେକ କ୍ଷେତ୍ରରେ ବିଶ୍ବଗୁରୁ । ଏକଥା ମଧ୍ୟ ଦମ୍ଭର ସହିତ ଆଲୋଚନା କରିଛୁ ଯେ ଓଡ଼ିଶା ର ପ୍ରତ୍ୟେକ ପର୍ବପର୍ବାଣୀ କୃଷି ଓ କୃଷକ କୁ ଉପଜିଵ୍ୟ କରି ଏବଂ ପ୍ରତ୍ୟେକ ସାମାଜିକ ବିଜ୍ଞାନ ସମ୍ମତ , ମାନବତାବାଦୀ ଦୃଷ୍ଟିଭଙ୍ଗୀ ଆଧାରିତ । ବିଶେଷ କରି ଆଜି ସର୍ବତ୍ର ବିଶ୍ବ ପଖାଳ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧେୟ ସଂଗ୍ରାମ କେଶରୀ ପାଇକରାୟ ( ଗାଲା) ମାନଙ୍କ ଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ବିଶେଷ ଙ୍କ ପଖାଳ ଖାଇବା ସ୍ଥିର ଚିତ୍ର ମୁଖ ପୁସ୍ତକ ପରଦା ରେ ପ୍ରତିଫଳିତ ।ଏହା ନିଶ୍ଚିତ ଭାବରେ ଏକ ସାମାଜିକ ସୁବାର୍ତ୍ତା ।
ଏହି ମୁଖ ପୁସ୍ତକ ରେ ମଧ୍ୟ ପଢିବାକୁ ମିଳିଲା ଯେ ଓଡ଼ିଆ ମାନେ ଗରିବ ଥିବାରୁ ପଖାଳ ଖାଇଥାନ୍ତି । ଏହାକୁ ପଢ଼ିବା ପରେ ଆମେ କୌଣସି ପ୍ରକାର ଆଶ୍ଚର୍ଯ୍ୟ ଚକିତ ହୋଇନାହୁଁ । ତା’ର କାରଣ ଇତିହାସ କୁହେ ଯେ ଓଡ଼ିଶା ର ଶତ୍ରୁ ଓଡ଼ିଶା ବାହାରେ ନୁହେଁ , ଓଡ଼ିଶା ଭିତରେ ଦେଖା ଯିବା ଦିନ ଠାରୁ ହିଁ ଓଡ଼ିଶାର ବିପର୍ଯ୍ୟୟ ଆରମ୍ଭ ହୋଇଛି । ୧୫୬୮ , ଏପ୍ରିଲ ୧ ତାରିଖ ରେ ଶିଖୀ ଓ ମନାଇ ଙ୍କ ବିଶ୍ବାସଘାତକତା ଯୋଗୁଁ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ହରିଚନ୍ଦନ ଓରଫ ମୁକୁନ୍ଦ ଦେବ ଗୋହିରା ଟିକିରି ରଣକ୍ଷେତ୍ରରେ ନିହତ ହେବା ପରେ ଉତ୍କଳ ର ସ୍ବାଧୀନତା ରବି ହୋଇଥିଲା ଅସ୍ତମିତ । ଶିଖୀ, ମନାଇ ଙ୍କ ଠାରୁ ଚରଣ ପଟ୍ଟନାୟକ ଙ୍କ ପର୍ଯ୍ୟନ୍ତ ଵ୍ୟର୍ଥଜନ୍ମା ଙ୍କ ଉଦାହରଣ ପ୍ରଚୁର ଏବଂ ଏବେ ତ ଏମାନଙ୍କ ବଂଶଧର ମାନେ ଖୁବ୍ ପ୍ରଭାବଶାଳୀ । ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଥିବା ପ୍ରଭାବଶାଳୀ ମାନଙ୍କ ଜୈବିକ ପରୀକ୍ଷା କଲେ ( ଡିଏନଏ ଟେଷ୍ଟ) କଲେ ଆମ କଥା ରେ ସତ୍ୟତା ପ୍ରତିପାଦିତ ହୋଇପାରିବ । ବ୍ୟକ୍ତିଗତ ଭାବେ ଏହି ମାନଙ୍କ ବଂଶଧର ବା ପନ୍ଥୀ ମାନଙ୍କ ଦ୍ଵାରା ଆମେ ୧୯୭୪ ମସିହା ରୁ ଏଯାବତ୍ ଦୀର୍ଘ ୪୮ ବର୍ଷ ଭିତରେ ଅନେକ ଙ୍କ ସମ୍ମୁଖୀନ ହୋଇ ଲହୁ ଲୁହାଣ ।
ଆଜି ମନେ ପଡୁଛି ,୧୯୯୨ ମସିହା, ଫେବୃଆରୀ ୩ ତାରିଖ , ରାତ୍ରି ସାଢେ଼ ଆଠଟା ସମୟରେ ଦୂର ଦର୍ଶନ-୨ ରେ ପ୍ରସାରିତ କାର୍ଯ୍ୟକ୍ରମ ” ତାନାବାନା” ର ଇତିହାସ ।ଘୋଷକ ସିଦ୍ଧାର୍ଥ ବସୁ ଘୋଷଣା କରିଦେଲେ ଯେ କବିରାଜ ଜୟଦେବ ଜଣେ ବଙ୍ଗୀୟ କବି , ମକର ସଂକ୍ରାନ୍ତି ରେ ତାଙ୍କର ଜନ୍ମ , ବୀରଭୂମି ଜିଲ୍ଲାରେ । ଆମେ ସେତେବେଳେ ଦିଲ୍ଲୀରେ ଥିଲୁ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ର ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସଙ୍ଗଠିତ କରି ମଣ୍ଡି ହାଉସ ସମ୍ମୁଖରେ ବିକ୍ଷୋଭ କଲୁ ଓ ଦାବି କଲୁ ଯେ ସିଦ୍ଧାର୍ଥ ବସୁ କ୍ଷମା ମାଗନ୍ତୁ । ସିଦ୍ଧାର୍ଥ ଜଣେ ବଙ୍ଗୀୟ ହୋଇ ଥିବାରୁ ସେ ଏଭଳି ତୃଟିପୂର୍ଣ୍ଣ ଘୋଷଣା କରିଛନ୍ତି । ସେତେବେଳେ କେନ୍ଦ୍ର ସୂଚନା ପ୍ରସାରଣ ବିଭାଗ ର ମନ୍ତ୍ରୀ ଥିଲେ ବଙ୍ଗୀୟ ଅଜିତ୍ ପାଞ୍ଜା ଏବଂ ପ୍ରସାର ଭାରତୀୟ ନିର୍ଦ୍ଦେଶକ ମଧ୍ୟ ଥିଲେ ବଙ୍ଗୀୟ ଭାସ୍କର ଘୋଷ । ସାଂସଦ ଅନାଦି ଚରଣ ଦାସ ଙ୍କ ସହିତ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଙ୍କୁ ଦେଖା କରି ଦାବି ପତ୍ର ଦେଇ ଓଡ଼ିଶା ରେ ଆନ୍ଦୋଳନ କରିବାକୁ ଭୁବନେଶ୍ୱର ଫେରି ଆସିଲୁ । ଐତିହାସିକ ଘୋଡ଼ା ମୂର୍ତ୍ତି ଛକ ( ଘୋଡା ଛକ) ଯାହାକୁ କେତେକ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ସେତେବେଳେ ର ବିଧାୟକ ଯଜ୍ଞେଶ୍ଵର ବାବୁ ଙ୍କ ବାସ ଭବନ ପରିସରରେ ଏକ ବୈଠକ ଡାକି ବିସ୍ତୃତ ଭାବରେ ଆଲୋଚନା କରି ଓଡ଼ିଆ ସ୍ବାଭିମାନ ପାଇଁ ଜୋରଦାର ଆନ୍ଦୋଳନ କରିବା ର ନିଷ୍ପତ୍ତି ହୋଇଥିଲା । ତତ୍ ପରଦିନ ଆମେ ସେତେବେଳର ସଂସ୍କୃତି ବିଭାଗ ର ମନ୍ତ୍ରୀ ସ୍ବର୍ଗତ ଶରତ କୁମାର କର ଙ୍କୁ ଦାବି ପତ୍ର ପ୍ରଦାନ କରିବା ପରେ ସେ ମହାଶୟ ଆମକୁ ଭଲ ପାଉଥିବାରୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଙ୍କ ବିଧାନ ସଭା କାର୍ଯ୍ୟାଳୟ କୁ ଦେଖାକରିବାକୁ ଯାଇଥିଲୁ । ବିଜୁ ବାବୁ ଙ୍କ ସହିତ ଆମର ସମ୍ପର୍କ ଭଲ ନଥିବାରୁ ସେ ଦାବି ପତ୍ର ପଢି ଆମକୁ ସ୍ଵଭାବ ସୁଲଭ ଭାବରେ ଗାଳି ଦେଲେ ” ୟୁ ବ୍ଲଡି , ୟୁ ହାଭ ନୋ ଓ୍ବାର୍କ , କ’ନ ହୋଇଗଲା ? ୟେସ୍ ଜୟଦେବ ଓ୍ବାଜ ବେଙ୍ଗ୍ଲୀ ” । ଗେଟ୍ ଆଉଟ୍ । ଆମେ ଆମର ସ୍ବାଭାବିକ ସ୍ବରରେ କହିଲୁ ଯେ ଆପଣ ଜଣେ ବଙ୍ଗୀୟ ମହିଳା ଙ୍କ ଠାରୁ ଜନ୍ମ ହୋଇଥିବାରୁ , ଆପଣ ଙ୍କ ମାତୃଭାଷା,ମାତୃ ସଂସ୍କୃତି ପ୍ରେମ ଉଛୁଳୁଛି । ଶୁଣନ୍ତୁ , ମୋ ଜାତି ର ସ୍ବାଭିମାନ ପାଇଁ , ସଂସ୍କୃତି ସୁରକ୍ଷା ପାଇଁ ଆଗାମୀ ମାର୍ଚ୍ଚ ୫ ତାରିଖ, ଆପଣ ଙ୍କ ଭଳି ସ୍ବଘୋଷିତ ଛଳନା ଧମ୍ମୀ କଳିଙ୍ଗ ଷଣ୍ଢ ଙ୍କ ଜନ୍ମ ଦିନ ରେ ଏହି ଦାବି କୁ ଆଧାର କରି ମୋ ଜାତି ର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଘୋଷଣା କରୁଛି । ତତ୍ ପରଦିନ ସବୁ ଦୈନିକ ଖବରକାଗଜ ରେ ” ଜନଚେତନା ପରିଷଦ ସଭାପତି ଙ୍କ ଆତ୍ମହୁତି ଘୋଷଣା” ଶୀର୍ଷକ ରେ ଖବର ପ୍ରକାଶ ପାଇଥିଲା ଏବଂ ଇଣ୍ଡିଆନ ଏକ୍ସପ୍ରେସ , ଷ୍ଟେଟସମ୍ୟାନ ରେ ବିସ୍ତୃତ ଭାବରେ ଖବର ପ୍ରକାଶ ପାଇଥିଲା । ତାହା ପରେ ଓଡ଼ିଶାର ତଥା କଥିତ ବଡ଼ବଡ଼ ସାହିତ୍ୟିକମାନେ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରି କବିରାଜ ଜୟଦେବ ବଙ୍ଗୀୟ ବୋଲି ସ୍ବପାଣ୍ଡିତ୍ୟ ପ୍ରଦର୍ଶନ ପୂର୍ବକ ଆଲେଖ୍ୟ ମାନ ପ୍ରକାଶ କରାଇଥିଲେ ।
ସେତିକିବେଳେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ପ୍ରାମାଣିକ ତଥ୍ୟ ସହିତ ଜଣେ ଯୁବ ଅଧ୍ୟାପକ , ଅଧୁନା ଅବସରପ୍ରାପ୍ତ , ଆମର ଏହି ମୁଖ ପୁସ୍ତକ ରେ ବନ୍ଧୁତା ସୂତ୍ରରେ ସମ୍ପର୍କିତ , ଆଜିର ଜନାଦୃତ ସାରସ୍ଵତ ସାଧକ, ସ୍ତମ୍ଭକାର ଡ଼ଃ ବେଣୁଧର ପାଢ଼ୀ , ସେତେବେଳେ ସେ ଥିଲେ ଉଦୟନାଥ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ । ସେ ଆମକୁ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ସାଥି, ସହଯୋଗୀ, ମହାନ୍ ଐତିହାସିକ, ଗବେଷକ, ଓଡ଼ିଶା- ବିହାର ବିଧାନ ସଭା ସଦସ୍ୟ ଚିର ବନ୍ଦନୀୟ ଜଗବନ୍ଧୁ ସିଂହ ଙ୍କ ଦ୍ଵାରା ଲିଖିତ “ପ୍ରାଚୀନ ଉତ୍କଳ” ବହିରେ ଥିବା ଅକାଟ୍ୟ ଯୁକ୍ତି, ପ୍ରାମାଣିକ ତଥ୍ୟ ସନ୍ନିବେଶିତ ପୃଷ୍ଠା ଦେଖାଦେଲେ । ତାହାକୁ ଉପଜିବ୍ୟ କରି ଆମର ଲେଖା ପ୍ରକାଶ ପାଇବା ପରେ ବୌଦ୍ଧିକ ଆନ୍ଦୋଳନ ର ନେତୃତ୍ବ ନେଇଥିଲେ ଐତିହାସିକ ଗବେଷକ ପ୍ରଫୁଲ୍ଲ ତ୍ରିପାଠୀ ଏବଂ ତାଙ୍କୁ ପଶ୍ଚାତ ରେ ସହଯୋଗ କରିଥିଲେ ସେତେବେଳେ ର ଶାସନ ସଚିବ, ପରବର୍ତ୍ତୀ ସମୟର ମୁଖ୍ୟ ଶାସନ ସଚିବ ଡ଼ଃ ଅଜିତ୍ ତ୍ରିପାଠୀ । ଠିକ୍ ମାର୍ଚ୍ଚ ୪ ତାରିଖ ଦିନ ଆମକୁ ଗିରଫ କରି ପୁରୀ ଜେଲରେ ରଖାଗଲା । ମାର୍ଚ୍ଚ ୫ ତାରିଖ ରେ ସଂସଦ ରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଘୋଷଣା କରିଥିଲେ ଯେ କବିରାଜ ଜୟଦେବ ଜାତୀୟ କବି , ଭାରତର ମହାନ୍ କବି , ତାଙ୍କର ଜନ୍ମ ସମ୍ପର୍କରେ ଗବେଷଣା କରାଯାଇ ସତ୍ୟ ପ୍ରକାଶ ପାଇବ । ଏହା ପରେ ଆମକୁ ମୁକ୍ତ କରାଯାଇଥିଲା । ମୁକ୍ତ ହୋଇ ଆମେ ବୌଦ୍ଧିକ ଆନ୍ଦୋଳନ କଲୁ । ଦୁଇ ତ୍ରିପାଠୀଙ୍କ ଅବଦାନ ଅତୁଳନୀୟ । ଏପରି ହେଲା ଯେ ବଙ୍ଗୀୟ ଐତିହାସିକ, ଗବେଷକ ମାନଙ୍କ ମଧ୍ୟରୁ ୪ ଜଣ ଭୁବନେଶ୍ୱର ଆସି ନବ ଗଠିତ ସଂସ୍କୃତି ବିଶ୍ଵବିଦ୍ୟାଳୟ ପ୍ରେକ୍ଷାଳୟ ରେ ଘୋଷଣା କଲେ ଯେ ” କବିରାଜ ଜୟଦେବଙ୍କ ଜନ୍ମ ଓଡ଼ିଶାରେ ” । ସେ ବିବାଦ ର ପରିସମାପ୍ତି ଘଟିଥିଲା ସତ୍ୟ ମାତ୍ର, ପୂର୍ବୋକ୍ତ ଓଡ଼ିଆ ପଣ୍ଡିତ ମାନେ ଲଜ୍ଜାବୋଧ କଲେ ନାହିଁ କି ତୃଟି ସ୍ବୀକାର କଲେ ନାହିଁ କି କେହି ମଧ୍ୟ ଏଭଳି କରିବାକୁ ଦାବି କଲେ ନାହିଁ । ସେମାନେ ନିନ୍ଦିତ ହେବା ପରିବର୍ତ୍ତେ ସମ୍ମାନିତ ହେଲେ , ମୃତ୍ୟୁ ପରେ ମଧ୍ୟ ପୂଜିତ । ଅତଏବ ଆମେ ପଖାଳ ଦିବସ ଉପରେ ଏଭଳି ମନ୍ତବ୍ୟ ରେ ଆଶ୍ଚର୍ଯ୍ୟ ଚକିତ ହେଉନାହୁଁ ।କଥା ହେଉଛି ଓଡ଼ିଆ ଙ୍କ ପଖାଳ ର ଇତିହାସ ହଜାର ହଜାର ବର୍ଷ ର । ରାମାୟଣ, ମହାଭାରତ ରେ ବର୍ଣିତ ହୋଇଛି ।ହଜାର ହଜାର ବର୍ଷ ର ଜଗନ୍ନାଥ ସଂସ୍କୃତି ରେ ପଖାଳ ର ସ୍ଥାନ ସ୍ଵତନ୍ତ୍ର , ୨୮୦୦ ବର୍ଷ ତଳେ ଗୌତମ ବୁଦ୍ଧ ଙ୍କ ସମୟରେ ଓଡ଼ିଆ ଙ୍କ ପଖାଳ ବର୍ଣିତ । ଏଠାରେ ଏକ ସାଧାରଣ ପ୍ରଶ୍ନ, ଧାନ ଚାଷ ର ଅନ୍ତୁଡିଶାଳ ଓଡ଼ିଶା ,ଧାନ ରୁ ଭାତ , ଭାତ କୁ ପଖାଳିଲେ ପଖାଳ । ଧୋଇବା ର ପ୍ରତିଶବ୍ଦ ହେଲା ପଖାଳିବା , ପଖାଳିତ , ସଂସ୍କୃତ ରେ ଏହା ପ୍ରକ୍ଷାଳନ । ମହାଭାରତ ରେ ମହାତ୍ମା ବିଦୁର ଙ୍କ ଘରେ କୃଷ୍ଣ ଙ୍କ ଶାଗ ପଖାଳ ର ବର୍ଣ୍ଣନା ରହିଛି ।ସେହିପରି ତ୍ରିପିଟକ ମଝିମ ନିକାୟ ଅନୁସାରେ ବୁଦ୍ଧଙ୍କର ଜଣେ ସାନବାପାଙ୍କ ନାଁ ଥିଲା ଧୋତଦନ (ଧୋତ ଉଦନ), ଯାହାର ଅର୍ଥ ହେଉଛି ‘ଧୁଆ ବା ପଖାଳ ଭାତରେ ଶ୍ରଦ୍ଧା ଯାହାର ସିଏ। ପାଖାପାଖି ଅଢ଼େଇ ହଜାର ବର୍ଷ ଆଗରୁ ବୁଦ୍ଧଙ୍କ ଅମଳରେ ପଖାଳର ଲୋକପ୍ରିୟତା ଥିଲା ।ଖ୍ରୀଅ ୬୦୦ଠାରୁ ୧୨୦୦ ପର୍ଯ୍ୟନ୍ତ ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଥିଲା ଧାନ ଓ ଗହମ । କଳିଙ୍ଗର ଧାନର ପ୍ରସିଦ୍ଧି ସୋମେଶ୍ୱରଙ୍କ ବିରଚିତ “ମାନସୋଲ୍ଲାସ”ରେ ବର୍ଣ୍ଣିତ ହୋଇ ଅଛି । ଶ୍ରୀମଦ ଶଙ୍କରଦେବଙ୍କ ଶ୍ରୀରାମଭାଗବତ ଗ୍ରନ୍ଥରେ (ଖ୍ରୀଅ ପଂଚଦଶ ଶତାଦ୍ଦୀରେ) ଚାଉଳକୁ ସିଝାଇ ସେଥିରେ ପାଣି ପକାଇ ରାତି ସାରା ରଖି ତାହାପରଦିନ ବାଇଗଣ ପୋଡ଼ା ଆଉ ମାଛ ପୋଡ଼ା ସହ ଖାଇବା ଅଧିକ ଜନପ୍ରିୟ ହୋଇଥାଏ ବୋଲି ଉଲ୍ଲେଖ ଅଛି ।ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ । ଉଷୁନା ପଖାଳ ଓ ଅରୁଆ ପଖାଳ ମଧ୍ୟରୁ ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି । ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି । ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ । ଅଦା ପକାଯାଇ ଚୁପୁଡ଼ା ପଖାଳ, ଟଭାରେ ଟଭା ପଖାଳ, ଜିରା, ଅଦା ଓ ମସଲାଦ୍ୱାରା ପ୍ରସୂତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ । ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମୟକୁ ଛାଡ଼ିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥାନ୍ତି ।ଗ୍ରୀଷ୍ମଦିନେ ଶ୍ରୀଜଗନ୍ନାଥଙ୍କ ପାଖରେ ପଖାଳ ଭୋଗ କରାଯାଇଥାଏ । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ଚାପଖେଳ ପାଇଁ ବାହାରନ୍ତି । ଖରାଦିନେ ଭକ୍ତମାନେ ମହାପ୍ରସାଦକୁ ପଖାଳ କରି ଖାଇବାର ଦେଖାଯାଏ । ପ୍ରତିଦିନ ସକାଳୁ ଶ୍ରୀମନ୍ଦିରରେ ଟଙ୍କ ତୋରାଣି ମିଳିଥାଏ, ଯାହା ମହା ପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।
ବଡ଼ଦେଉଳରେ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଛପନ ଭୋଗରେ ସନ୍ଧ୍ୟା ଧୂପ (ତୃତୀୟ ଧୂପ)ରେ ପଖାଳ ଲାଗି ହୋଇଥାଏ । ସନ୍ଧ୍ୟା ୭.୦୦ରୁ ୮.୦୦ଟା ସମୟରେ ଜୟ ମଙ୍ଗଳ ଆଳତି (ସନ୍ଧ୍ୟା ଆଳତି) ପରେ ଏହା ଅର୍ପଣ କରାଯାଏ। ମନ୍ଦିରରେ ଦୁଇ ପ୍ରକାରର ପଖାଳ ଭୋଗ ଭାବରେ ଲାଗି କରାଯାଇଥାପାଣି ପଖାଳ:୨୩ ଓଳି,ଚିପୁଡ଼ା ପଖାଳ: ୧୪ ଓଳି,
ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ମଧ୍ୟ ରହିଛି ।ଓଡ଼ିଶାର ପଶ୍ଚିମାଞ୍ଚଳରେ ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି ।ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ ।
ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଏ ।ମାତ୍ର ଓଡ଼ିଆ ମାନେ ୧୦୦ ପ୍ରକାର ପଖାଳ ପ୍ରସ୍ତୁତ କରୁଥିଲେ , ତନ୍ମଧ୍ୟରେ ଦଶଟି ପ୍ରଧାନ , ଯଥା ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ,ଟଭା ପଖାଳ,ଅଦା ପଖାଳ, କଞ୍ଚା ଆମ୍ବ ପଖାଳ, କାକୁଡ଼ି କୋରା ପଖାଳ, ବଡ଼ି ପଖାଳ ର ଚାହିଦା ଅଧିକ ଥିଲା ।ସଜ ପଖାଳ: ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ଯେଉଁ ପଖାଳ ପ୍ରସ୍ତୁତ କରାଯାଏ ତାକୁ ସଜ ପଖାଳ କୁହାଯାଏ । ସଜପଖାଳରେ କାଗିଜି ଲେମ୍ବୁ ଚିପୁଡ଼ି କିମ୍ବା ଦହି ଗୋଳାଇ ଖାଇଲେ ସ୍ୱାଦିଷ୍ଟ ହୋଇଥାଏ ।
ଏହାକୁ ଭୃସଙ୍ଗ ପତ୍ର (ଭୁର୍ସୁଙ୍ଗା ପତ୍ର ବା ଭେରସୁଙ୍ଗା ପତ୍ର), ଟଭାଗଛର ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ ।
ବାସି ପଖାଳ: ଭାତ ପଖାଳିବାର ୧୦-୧୨ ଘଣ୍ଟା ବା ୧ ଦିନ ବା ଆହୁରି କିଛି ସମୟ ରଖି ଏହା ତିଆରି କରାଯାଇଥାଏ । ଏହା କିଛି ପରିମାଣରେ ଟଙ୍କ (ଖଟା) ମଧ୍ୟ ଲାଗିଥାଏ । ଏହା ଖଟା ହୋଇଥିବାରୁ ଏଥିରେ ଲେମ୍ବୁ ବା ଦହି ପକାଇବାର ଆବଶ୍ୟକତା ନ ଥାଏ ।
ଜିରା ପଖାଳ: ଜିରା, ଭୃସଙ୍ଗ ପତ୍ର ଆଦିକୁ ଭାଜି ପଖାଳରେ ମିଶାଇ ଏହା ତିଆରି କରାଯାଇଥାଏ ।
ଦହି ପଖାଳ: ଏହା ସଜ ବା ବାସି ପଖାଳରେ ଦହି ଓ ଭଜା ଜିରା, ରସୁଣ, ଭୃଷଙ୍ଗ ପତ୍ର ଆଦି ଛୁଙ୍କ ଦେଇ ତିଆରି କରାଯାଇଥାଏ ।ପଖାଳ ସହ ଆମ୍ବ, ଆଳୁଚକଟା ଓ ଛତୁ ତାଟିଆବସା
ଚାଇଁ ପଖାଳବା ଗରମ ପଖାଳ : ଏହା ସଜ ଭାତରେ ଗରମ ନ ଛାଡ଼ୁଣୁ ପାଣି ମିଶାଇ ତିଆରି କରାଯାଇଥାଏ ଓ ଗରମ ଗରମ ଖିଆଯାଇଥାଏ । ଏଥିରେ ଗାଈ କ୍ଷୀର ବା ମିଇଁଷି ଘିଅ ପକାଇ ମଧ୍ୟ କେହି କେହି ଖାଇଥାନ୍ତି।ପଖାଳ ସହ ବଡ଼ିଚୁରା ଓ ଭଜା ତଥା ଧନିଆ, ନଡ଼ିଆ, ପୋଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି, ଆମ୍ବୁଲ ଆଦିରେ ତିଆରି ଚଟଣି ଖିଆଯାଇଥାଏ । ରସୁଣ, ଲଙ୍କା ଓ ପଞ୍ଚୁ ଫୁଟଣରେ ଛୁଙ୍କଦେଇ ପ୍ରସ୍ତୁତ କରାଯାଇଥିବା ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ଖଡ଼ା, ସଜନା, କଳମ ଆଦି ଶାଗ ମଧ୍ୟ ଖିଆଯାଇଥାଏ । ବିଭିନ୍ନ ପ୍ରକାରର ପତର ପୋଡ଼ା, ମାଛ, କଙ୍କଡ଼ା ଛେଚା, ବିଶେଷ କରି ରସୁଣ ବା ପିଆଜ ଯୁକ୍ତ ଭେଣ୍ଡି, ଜହ୍ନି, ସାରୁ ଚକଟା, ବଡ଼ିଚୁରା ସହିତ ପଖାଳ ଖିଆଯାଏ । ପଖାଳକୁ ବିଭିନ୍ନ ପ୍ରକାରର ଆଚାର ସହିତ ମଧ୍ୟ ଖିଆ ଯାଇଥାଏ । ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ତା’ ଡେମ୍ଫରୁ ଯେଉଁ ନସି ବା ନସା ବାହାରେ ତାହା ପଖାଳ ଭାତରେ ବ୍ୟବହାର କରାଯାଏ ।ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ ।ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ ।ସେହିପରି ଆମର ପରମ୍ପରା ଓ ଆରାଧନା ରେ ମଧ୍ୟ ପଖାଳ ର ସ୍ଥାନ ସ୍ଵତନ୍ତ୍ର ।ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ମଧ୍ୟ ରହିଛି ।
ଓଡ଼ିଶାର ପଶ୍ଚିମାଞ୍ଚଳ ରେ ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ପଖାଳ ଖାଇବାର ପରମ୍ପରା ରହିଛି ।
ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କଦ୍ୱାରା ଶାଳୀ ବା କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ ।
ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ବଡ଼ସିଂହାର ଭୋଗବେଳେ ପଖାଳ ଓ କଦଳୀ ଭଜା ଅର୍ପଣ କରାଯାଏ ।କରୋନା ସମୟରେ ଭୁବନେଶ୍ୱର ର ଅଖିଳ ଭାରତ ଆୟୁର୍ଵିଜ୍ଞାନ ଭେଷଜ ପ୍ରତିଷ୍ଠାନ ର ଭେଷଜ ବିଶାରଦ ଙ୍କ ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଆ ମାନେ ପଖାଳ ର ଔଷଧୀୟ ଗୁଣ ସମ୍ପର୍କରେ ଅବଗତ ଥିଲେ । ପଖାଳ ପିତ୍ତ ନାଶକ । ଚାଇଁ ପଖାଳ ଖାଇ ତା ତୋରାଣି ମୁନ୍ଦେ ପିଇଦେଲେ କୋଷ୍ଠ କାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଅଜୀର୍ଣ୍ଣ ଓ ପେଟବ୍ୟଥା ଆଦି ନିବାରିତ ହୋଇଥାଏ । ବାଧିକି ଥିବା ଲୋକର ପଥ୍ୟ ଭାବେ ଏହା ବ୍ୟବହାର କରା ଯାଇଥାଏ । ହାଣ୍ଡି କାଞ୍ଜିଦ୍ୱାରା ପେଟ ଥଣ୍ଡା ରହେ । ପିତ୍ତ ରୋଗ ବିସୂଚିକା, ଅତିସାର (Diarrehoea) ଇତ୍ୟାଦିରେ ପଖାଳ ତୋରାଣି ଅତ୍ୟନ୍ତ ପ୍ରଶମନକାରୀ ଓ ଉପକାରୀ ଅଟେ । ମୂତ୍ରକୃଚ୍ଛ (dysurea)ରେ ପଖାଳ ଉପକାରୀ ଅଟେ । କଫ ପ୍ରଧାନ ରୋଗରେ ବାସି ପଖାଳ ଦେବା ଉଚିତ ନୁହେଁ । ପିତ୍ତ ଆଉ ବାତ ରୋଗଗୁଡ଼ିକରେ ସ୍ଥାନ ବିଶେଷରେ ପଖାଳ ଦିଆଯାଇ ପାରିବ ।
ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ି ଯାଇଥାଏ । ସେହିପରି ସୋଡ଼ିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ ।୧୫୧୨ ମସିହାରେ କବୀର ଙ୍କ ପୁରୀ ଆଗମନ ସମୟରେ ଭକ୍ତମାନଙ୍କୁ ଟଙ୍କ ତୋରାଣି ପରସାଯିବା ସମ୍ପର୍କରେ” କବୀର ଚଉରା ମଠରେ” ଲିପିବଦ୍ଧ । ଟଙ୍କ ତୋରାଣି କ’ଣ ? ଅଭଡା ଅନ୍ନ+ ଦହି+କଞ୍ଚାଲଙ୍କା+ ଲେମ୍ବୁ ରସ+ଭୁଷୁଙ୍ଗା ପତ୍ର+ ଜିରା ଗୁଣ୍ଡ = ଟଙ୍କ ତୋରାଣି ।ଆଜି ମନେ ପଡୁଛି ଗାନ୍ଧୀଙ୍କ ପଞ୍ଚମ ଓଡ଼ିଶା ଗସ୍ତ , ମେ, ୧୨ ତାରିଖ୧୯୩୪ ମସିହାରେ ଗାନ୍ଧୀଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନ ଭୋଜନପରେ ଯେଉଁ ଭାତ ବଳିଯାଇଥିଲା, ଓଡ଼ିଆ କର୍ମୀମାନେ ତାକୁ ନଷ୍ଟ ନକରି ପଖାଳ କରିଦେଇଥିଲେ ଓ ସେଇ ପଖାଳକୁ ପଦଯାତ୍ରୀମାନେ ପୁଣି ଉପରଓଳି ଖାଇ ପାରିଥିଲେ । ଏହା ଦେଖି ମହାତ୍ମା ଗାନ୍ଧୀ କହିଥିଲେ, “ଓଡ଼ିଶାର ଲୋକ ଠିକ ଜାଣିଛନ୍ତି ଖାଦ୍ୟର ସଦବ୍ୟବହାର” ।ଆମର ମନେ ଅଛି ଆମେ ଯେତେବେଳେ ବ୍ରତ ( ବ୍ରତୋପନୟନ) ହୋଇଥିଲୁ , ସେତେବେଳେ ମାମୁଁ ଘରକୁ ପଖାଳ ଖାଇବାକୁ ଯାଇଥିଲୁ , ଏହା ଏକ ହଜାର ହଜାର ବର୍ଷ ର ପରମ୍ପରା । ଠିକ୍ ସେହିପରି କନ୍ୟା ମାନେ ବିବାହ ପୂର୍ବରୁ ବିଭିନ୍ନ ବନ୍ଧୁ ବାନ୍ଧବ ଙ୍କ ଘରକୁ ପଖାଳ ଖାଇବାକୁ ଯାଇଥାନ୍ତି ଏବଂ ବହୁ ଉପହାର ପାଇଥାନ୍ତି । ସେତେବେଳେ ବି ଝିଅ ଶାଶୁ ଘରକୁ ଯିବା ସମୟରେ ଯେଉଁ କାନ୍ଦଣା ଗୀତ ଗାଇଥାନ୍ତି, ସେଥିରେ ଥାଏ ପଖାଳ ପ୍ରସଙ୍ଗ । ଏହି ପଖାଳ କୁ ଆଧାର କରି ବହୁ ଢଗଢମାଳି ହଜାର ହଜାର ବର୍ଷ ଧରି ଓଡ଼ିଆ ସମାଜ ରେ ଚଳିଆସିଛି ।ଝିଅ ଶାଶୁ ଘରକୁ ଯିବା ଆଗରୁ ଶାଶୁଘରେ ପଖାଳଖିଆ ବନ୍ଦ ହୋଇ ଯିବାର ଆଶଙ୍କା କରି ବାହୁନିଥାଏ –
“ ପାହାନ୍ତା ପଖାଳ ସପନ ହେବ ଲୋ ମୋ ମାଆରାଣୀ
ବାଳ ବାନ୍ଧିବାକୁ ତେଲ ନ ଥିବ ଲୋ ମୋ ମାଆରାଣୀ ॥ ”
ଝିଅ ଶାଶୁ ଘରକୁ ଯିବା ଆଗରୁ ତାକୁ ବନ୍ଧୁ ବାନ୍ଧବ ଓ ସାଇ ପଡ଼ିଶା କନିଆଁ ଡାକରା ବା ତୋରାଣି ପିଆପାଇଁ ଡାକିଥାନ୍ତି। ଝିଅଟିର ଅନ୍ତର୍ବେଦନାକୁ ପ୍ରତିଫଳିତ କରେ ଏଇ କାନ୍ଦଣା ଗୀତ-
“ ଦେଠେଇ ତୋହର ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ଜୀବନ
ହାତକୁ ବନ୍ଧେଇ ଦେଲେ ମୋ ଜୀବନ
ସାଇ ପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକାଇ ନେଲେ ଲୋ ମୋ ଜୀବନ
ଫରୁଆ ପାନିଆ ଦେଲେ ମୋ ଜୀବନ॥
ସଙ୍ଗୀତସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ପ୍ରସିଦ୍ଧ ଲୋକ ଗୀତ ‘ଆସ ଜୀବନଧନ ମୋର ପଖାଳ କଂସା’ରୁ କେଇଧାଡ଼ି:
“ ଓଡ଼ିଆ ଜୀବନ ଦୁଆ ଶାଗ ପଖାଳ
ଜଗନ୍ନାଥ ରସି ଖାଏ ମନେ ତୁ ଭାଳ
ଚାଖି ନାହିଁ ଯିଏ ଥରେ
ଧିକ ତା’ ଜନମରେ
ମଣିଷ ଯାକରେ ସେତ ଅଣ ପୁରୁଷା
ଆସ ଜୀବନ ଧନ ମୋର ପଖାଳ କଂସା॥
ଏଠାରେ ପ୍ରଶ୍ନ ଉଠେ କାହିଁକି ମାର୍ଚ୍ଚ ୨୦ ତାରିଖ ?
ବୈଜ୍ଞାନିକ କାରଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବାକୁ ପଡିବ । ମାର୍ଚ୍ଚ ୨୧ ତାରିଖ ହେଉଛି ବର୍ଷକ ମଧ୍ୟରେ ଗୋଟିଏ ଦିନ , ଯେଉଁ ଦିନ ରାତି ୧୨ ଘଣ୍ଟା ଓ ଦିନ ୧୨ ଘଣ୍ଟା । ମାର୍ଚ୍ଚ ୨୨ ରୁ ଦିନ ବଢିବ, ରାତ୍ରି କମିବ । ବିଶେଷ କରି ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖ ” ଶୀତଳ ଅଳସୀ ତିଥି ।
(ଏହି ପ୍ରବନ୍ଧ ଟି ର ଲେଖକ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ଗବେଷକ ପ୍ରଦ୍ୟୁମ୍ନ ଶତପଥୀ। ଏହା ତାଙ୍କର ଫେସବୁକ ରୁ ସଂଗୃହିତ)