‘ଆମର ସଂଗ୍ରାମ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ଏହା ବନ୍ଧୁତାର ଲଢେଇ’; ଶଶି ଥରୁରଙ୍କୁ ଭେଟିଲେ ଦିଗ୍‌ବିଜୟ ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗେହଲଟ ଓହରିବା ପରେ ଏହି ନିର୍ବାଚନରେ ଶଶି ଥରୁର ଏବଂ ଦିଗ୍‌ବିଜୟ ସିଂ ଏହି ନିର୍ବାଚନରେ ଲଢିବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ ନେତା ଦିଗବିଜୟ ସିଂ ଗୁରୁବାର ଦଳର ସଂସଦ ଶଶି ଥରୁରଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁହେଁ ପରସ୍ପରକୁ କୋଳାଗ୍ରତ କରିଥିଲେ। ଥରୁର କହିଛନ୍ତି, ମୁଁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦିଗବିଜୟଙ୍କ ପ୍ରାର୍ଥୀତ୍ୱକୁ ସ୍ବାଗତ କରୁଛି। ଆମେ ଦୁହେଁ ସହମତ ହେଲୁ ଯେ ଆମର ସଂଗ୍ରାମ ପ୍ରତିଦ୍ୱନ୍ଦ୍ୱିତା ନୁହେଁ, ବରଂ ବନ୍ଧୁତାର ଲଢେଇ। ଆମେ କେବଳ ଚାହୁଁ ଯେ ଏହି ନିର୍ବାଚନରେ ଯିଏ ବି ଜିତିବ, ବିଜୟ କଂଗ୍ରେସର ହିଁ ହେବ। ଯିଏ ବି ଜିତିବ ସେ କଂଗ୍ରେସକୁ ସୁଦୃଢ଼ କରିବ ବୋଲି ଦୁହେଁ କହିଛନ୍ତି। ଗତକାଲି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ଦୁହେଁ ଆସନ୍ତା କାଲି ନାମାଙ୍କନ ଭରିବା ନେଇ ସୂଚନା ଦେଇଛନ୍ତି।

ତେବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୮। ଏକରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର ୧୭ରେ ମତଦାନ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।

Related Posts