ବିଧାୟକଙ୍କ ଗିରଫକୁ ବିରୋଧ: ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଦେବଗଡ: ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ ଘଟଣାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ବିରୋଧି ଓ ଶାସକ ମୁହାଁୁହିଁ ହୋଇଛନ୍ତି। ଏହି କ୍ରମରେ ବିଧାୟକ ଗିରଫ ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ବିଜେପି l ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯନ୍ତ ବନ୍ଦ ରହିବ ଦେବଗଡ଼। ପିଲାଙ୍କ ପରୀକ୍ଷା ଓ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର ସହ ଅଖ ଚକ ବନ୍ଦ ରହିବ।

ଏଥିସହ ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ଦଳ। ବନ୍ଦ ଡାକରା ସୂଚନା ଦେଇଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ।

ସୂଚନାଯୋଗ୍ୟ, ଆଜି ବିଧାୟକଙ୍କୁ ଭୁବନେଶ୍ଵରରୁ ଗିରଫ କରାଯାଇ ଦେବଗଡ ଅଣାଯାଇଛି। ତେବେ ବାଟରେ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଟିକେ ସୁସ୍ଥ ଅନୁଭବ କରିବା ପରେ ପୋଲିସ ତାଙ୍କୁ ଧରି ଦେବଗଡ ସିଜେଏମ ବିଚାରପତି ଘରେ ହାଜର କରାଇଛି। ବିଧାୟକ ଏବଂ ବିଡିଓ ବିବାଦ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ ଦେବଗଡ ଆଦର୍ଶ ଥାନା ସମ୍ମୁଖରେ ବିଜେପିର କର୍ମୀ, ନେତା ଏବଂ ବିଧାୟକ ଧାରଣା ଦେଇଛନ୍ତି। ଏଥିରେ ୩ ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକ ସାମିଲ୍ ହୋଇଛନ୍ତି। ବିଧାୟକଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝୀ, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଭୋଇ ଏବଂ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାୟକ। ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ବିଜେପି।

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା । ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍’।

ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ହିଁ ସାଧାରଣ ଲୋକଙ୍କ କାର୍ଯ୍ୟ ସହଜ ହୋଇଥାଏ । କିନ୍ତୁ କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରୁରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରିବା ସହ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ; ଯାହାଫଳରେ ଜନଅସନ୍ତୋଷ ଦେଖାଯାଉଛି । ଏହାର ଏକ ଉଦାହରଣ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗିରଫଦାରୀ’।

Related Posts