ସାରା ଦେଶ ଏବେ ଚହଳ ପଡିଛି ଅନ୍ ଲାଇନ୍ ଶିକ୍ଷାକୁ ନେଇ। କରୋନା କଟକଣା ମଧ୍ୟରେ ସ୍କୁଲ୍ କଲେଜ ବନ୍ଦ ଥିବା ବେଳେ ଏହାହିଁ ଏକମାତ୍ର ବିକଳ୍ପ ଭାବି ସମସ୍ତେ ଏବେ ଏହି ରାସ୍ତାରେ। ସମସ୍ତଙ୍କ ମନରେ ନୂଆ ଉନ୍ମାଦନା ଏହି ବିକଳ୍ପ ଧାରାରେ ଶିକ୍ଷା ପଦ୍ଧତିକୁ ନେଇ କିନ୍ତୁ ଏହାର ବାସ୍ତବତାକୁ ନିରୀକ୍ଷଣ କଲେ ଯେତିକି ଦୁଃଖ ଲାଗେ ତା’ଠାରୁ ଅଧିକ ଲଜ୍ଜା ଲାଗେ।
ଆମେ ଯଦି ଆମ ରାଜ୍ୟର ଚିତ୍ର ଦେଖିବା ତା’ହେଲେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତିରେ ଥିବାର ଲକ୍ଷ କରା ଯାଉଛି। କରୋନା କଟକଣା ମଧ୍ୟରେ ରାଜ୍ୟର ପ୍ରାଥମିକ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏବେ ଏହି ବିକଳ୍ପ ଶିକ୍ଷା ଦାନ ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଏକଥା ସତ୍ୟ ଆମ ପାଖରେ ଏହା ବ୍ୟତୀତ ଅନ୍ୟ ଉପାୟ କିଛି ନାହିଁ ହେଲେ ପ୍ରଶ୍ନ ଉଠୁଛି ଆମେ ଏଭଳି ବ୍ୟବସ୍ଥା ପାଇଁ କେତେଦୁର ପ୍ରସ୍ତୁତ ଅଛନ୍ତି ? ଯେଉଁ ରାଜ୍ୟରେ ମୋଟ୍ ପ୍ରାୟ ୫୪ ଲକ୍ଷ ସରକାରୀ ବିଦ୍ୟାଳୟ ( ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ) ମଧ୍ୟ ରୁ ପ୍ରାୟ ୪୬ ହଜାର ସ୍କୁଲ୍ ରେ ବିଜୁଳି ବ୍ୟବସ୍ଥା ନାହିଁ, ୩୪ ହଜାର ସ୍କୁଲ୍ ରେ କମ୍ପ୍ୟୁଟର୍ ନାହିଁ, ୪୦ ହଜାର ସ୍କୁଲ୍ ରେ ଖେଳ ପଡିଆ ନାହିଁ, ୯ ହଜାର ସ୍କୁଲ୍ ଜଣେ ମାତ୍ର ଶିକ୍ଷକ ରେ ଚାଲିଛି ସେଠାରେ ଅନ୍ ଲାଇନରେ ପାଠପଢା କଥା ଚିନ୍ତାକଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତାଠାରୁ ଅଧିକ ବ୍ୟସ୍ତ ଲାଗୁଛି।
ରାଜ୍ୟର ସମୁଦାୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୩୦ ପ୍ରତିଶତଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ନିକଟରେ ନାଁ ସ୍ମାର୍ଟ ଫୋନ ଅଛି ନାଁ ନେଟଓ୍ବାର୍କ ଅଛି। କେଉଁଠି ପିଲାଟିଏ ଗଛ ଉପରେ ଚଢି ପଢିବାର ଦେଖିବାକୁ ମିଳୁଛି ତ ପୁଣି କେଉଁଠି ଘରଠାରୁ ମାଇଲ୍ ମାଇଲ୍ ଦୁର ଚାଲି ଚାଲି ଯାଇ ନେଟଓ୍ବାର୍କ ଆସୁଥିବା ସ୍ଥାନରେ ପଢିବାକୁ ପଡୁଛି। ୭୦ ବର୍ଷର ସ୍ବାଧୀନତା ପରେ ଶିକ୍ଷା ପ୍ରତି ଆମ ଦୁର୍ବଳ ଦୃଷ୍ଟିଭଙ୍ଗୀ ଆଜି ଆମକୁ ଏଭଳି ସ୍ଥିତିରେ ରଖିଛି ଯାହାର ପରିଣାମ ଆଜି ଆମକୁ ଭୋଗିବାକୁ ପଡୁଛି। ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ଗତ ୪ ମାସଧରି ପାଠପଢା ପୁରାପୁରି ଶୁନ୍। ଏଯାଏ ସରକାରଙ୍କ ନିଦ ଭାଙ୍ଗି ନାହିଁ କ’ଣ କରି ପିଲାମାନଙ୍କୁ ପାଠ ପଢାଯିବ। ଚିଠି ପରେ ଚିଠି ପଠାଇ ଉଚ୍ଚ ଅଧିକାରୀମାନେ ବସି ଯାଉଛନ୍ତି। ତଳ ସ୍ତରରୁ ତଥ୍ୟ ସଂଗ୍ରହ କରିବା ଆଳରେ ଅଧା ବର୍ଷ ଯାଇ ସାରିଲାଣି ଅଥଚ ଏଯାଏ କାର୍ଯ୍ୟ ଖଷଡା ପ୍ରସ୍ତୁତ ହୋଇ ପାରିଲା ନାହିଁ। ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମାନଙ୍କୁ ଛାଡିଦେଲେ ଏବେ ଏହି ଅନ୍ ଲାଇନ୍ ଶିକ୍ଷା ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କ ପାଇଁ ଦିବା ସ୍ବପ୍ନ ପାଲଟି ଯାଇଛି। ସାଧାରଣତଃ ଜଣେ ଅବିଭାବକ ଏଭଳି ସ୍ଥିତିରେ ନିଜର ପିଲାଟିକୁ ଗୋଟିଏ ସ୍ମାର୍ଟ ଫୋନ କିଣିକରି ଦେବା କଷ୍ଟକର ବ୍ୟାପାର। ଏହା ସାଙ୍ଗକୁ ବଳି ଯାଇଛି ନେଟଓ୍ବାର୍କ ସମସ୍ୟା। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଇଛି। କେନ୍ଦ୍ରୀୟ ବୋର୍ଡ ଚଳିତ ବର୍ଷ ପାଇଁ ପାଠ୍ୟକ୍ରମ କାଣ୍ଟଛାଣ୍ଟ କରି ସାରିଥିଲେବି ଏଯାଏ ରାଜ୍ୟ ସରକାର ସ୍ପଷ୍ଠ କରିନାହାନ୍ତି। ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ହ୍ଵାଟ୍ସଆପ ଗ୍ରୁପରେ ଏଯାଏ ସାମିଲ ହୋଇ ପାରୁନାହାନ୍ତି। ଭାତ ହାଣ୍ଡିରୁ ଗୋଟିଏ ପରି ମାଲକାନଗିରି ଜିଲ୍ଲାର ଆନ୍ଦ୍ର ସୀମାନ୍ତ ଅଞ୍ଚଳ ପଟ୍ଟାଙ୍ଗି ବ୍ଲକର ମାତ୍ର ସଦର ମହକୁମାକୁ ଛାଡିଦେଲେ ବାକି କୌଣସି ଅଞ୍ଚଳରେ ନେଟଓ୍ବାର୍କ ସୁବିଧା ନାହିଁ। ଗ୍ରାମାଞ୍ଚଳର କୌଣସି ବିଦ୍ୟାଳୟରେ ନେଟଓ୍ବାର୍କ ସୁବିଧା ନାହିଁ। ହୁଏତ ଆମେ ଭାବୁଥିବା ରାଜ୍ୟର ଉପାନ୍ତ ଅଞ୍ଚଳର ଏହା ଚିତ୍ର ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସମାନ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ। ସ୍ମାର୍ଟ ଫୋନ ଥିଲେବି ନେଟଓ୍ବାର୍କ ପାଇ ନିକଟସ୍ଥ ପାହାଡ ମୁଣ୍ଡିଆ ଉପରକୁ ଯିବାକୁ ପଡୁଛି। କେତବେଳେ ନେଟଓ୍ବାର୍କ ନାହିଁତ ପୁଣି କେତେବେଳେ ନେଟଓ୍ବାର୍କ ଆସିବା ବେଳକୁ କ୍ଲାସ ସରିଯାଉଛି। ଖୋଦ ଚନ୍ଦକା, ଡମପଡା, ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଏବେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। କଲେଜ କଥା ନକହିବା ଭଲ। ଜୁନ ୧୭ରୁ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଥିବାବେଳେ ଏହା ମଧ୍ୟରେ ୪୫ ଦିନ ଅତିକ୍ରାନ୍ତ ହୋଇ ସାରିଲାଣି ଅଥଚ ଚିତ୍ର ସ୍ପଷ୍ଠ ହୋଇ ପାରୁନାହିଁ। କାଁଭାଁ କିଛି ଡିଗ୍ରୀ କଲେଜରେ ଅନ୍ ଲାଇନ୍ କ୍ଲାସ ଆରମ୍ଭ ହୋଇଥିବା ବେଳେ ଯୁକ୍ତ ୨ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଯାଏ ନିର୍ଦ୍ଦିଷ୍ଟ କିଛି ସରକାରୀ ନିର୍ଦ୍ଦେଶନାମା ପହଞ୍ଚି ନାହିଁ। ଗଣଶିକ୍ଷା ମନ୍ତ୍ରୀ ତୁହାକୁ ତୁହା ବୈଠକ କରି ଚାଲିଛନ୍ତି ହେଲେ କୌଣସି ସୁଫଳ ମିଳୁନାହିଁ। ଅନ୍ୟ ପଟରେ ଉଚ୍ଚଶିକ୍ଷା ବିଭାଗ ଅନ୍ଧାରରେ ବାଡି ବୁଲାଉଛି। କେତବେଳେ ୟୁଜିସି ଦ୍ବାରା ପରୀକ୍ଷା ପାଇଁ ହୋଇଥିବା ନିଷ୍ପତ୍ତିର ପୁନଃର୍ବିଚାର ପାଇଁ ଦାବି କରାଯାଉଛି ତ ପୁଣି କେତେବେଳେ ନୂତନ ଶିକ୍ଷା ନୀତିକୁ ନେଇ ଦ୍ବନ୍ଦରେ ପଡିଯାଉଛି।
ବାସ୍ତବତା କିନ୍ତୁ ରାଜ୍ୟର ସମ୍ପୂର୍ଣ୍ଣ ଅଲଗା ଆଉ ଏଭଳି ସ୍ଥିତିରେ ରାଜ୍ୟ ସରକାର ଚିତ୍ର ସ୍ପଷ୍ଠ କରିବା ଦରକାର ଅନ୍ ଲାଇନ ଶିକ୍ଷାର ସ୍ଥିତି ଆଉ ସମ୍ଭାବନାକୁ ନେଇ। ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ଏଯାଏ ପ୍ରକାଶ ପାଇ ପାରିଲା ନାହିଁ। ଖୁବ୍ ଶିଘ୍ର ସରକାର କେରଳ ଓ ଦିଲ୍ଲୀ ପରି ରାଜ୍ୟର ଶିକ୍ଷା ପଦ୍ଧତିକୁ ଅନୁସରଣ କରି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସହଜ ବ୍ୟବସ୍ଥା ପ୍ରଣୟନ କରିଲେ ହୁଏତ ଏହି ସମସ୍ୟାର ସମାଧାନ ହୋଇପାରେ। ଏଭଳି ବିପର୍ଯ୍ୟୟ ସମୟରେ ଜଣେବି ଛାତ୍ରଛାତ୍ରୀ ଯେପରି ଶିକ୍ଷା ଦାନରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ସରକାରଙ୍କୁ ଧ୍ୟାନ ଦେବା ନିହାତି ଦରକାର।