ସେପ୍ଟେମ୍ବର ୨ରେ ଭାରତୀୟ ନୌସେନାରେ ସାମିଲ ହେବ ଭାରତର ସର୍ବବୃହତ୍ ବିମାନବାହୀ ଯୁଦ୍ଧପୋତ ଜାହାଜ ‘ଆଇଏନଏସ ବିକ୍ରାନ୍ତ’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ସର୍ବବୃହତ୍ ବିମାନବାହୀ ଯୁଦ୍ଧପୋତ ଜାହାଜ ଆଇଏନଏସ ବିକ୍ରାନ୍ତ ଆସନ୍ତା ସେପ୍ଟେମ୍ବର ୨ରେ କାର୍ଯ୍ୟକ୍ଷମ ହେବ । ଏହିଦିନ ଆଇଏନଏସ ବିକ୍ରାନ୍ତ ବିଧିବଦ୍ଧ ଭାବରେ ଭାରତୀୟ ନୌସେନା ରେ ସାମିଲ ହେବ। ଏହି ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନୌସେନା ମୁଖ୍ୟ ଆଡମିରାଲ ହରିକୁମାର ଯୋଗ ଦେବେ ବୋଲି ନୌସେନାର ଉପମୁଖ୍ୟ ଭାଇସ-ଆଡମିରାଲ ଏସ.ଏନ.ଗୋରମେଡ୍ ସୂଚନା ଦେଇଛନ୍ତି ।ଏହି ଯୁଦ୍ଧରପୋତ ଭାରତୀୟ ନୌସେନାର ଶକ୍ତି ବୃଦ୍ଧିକରିବା ସହ ଏହି ଅଂଚଳରେ ସ୍ଥିରତା ରକ୍ଷା ଦିଗରେ କାର୍ଯ୍ୟକରିବ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଆଇଏନଏସ ବିକ୍ରାନ୍ତର ସାମୁଦ୍ରିକ ପରୀକ୍ଷଣ ଗତ ବର୍ଷ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବାବେଳେ ଏହାର ୪ର୍ଥ ସାମୁଦ୍ରିକ ପରୀକ୍ଷଣ ଗତ ଜୁଲାଇ ୧୦ରେ ସମାପ୍ତ ହୋଇଥିଲା । ଭାରତୀୟ ନୌସେନାର ଡାଇରୋକ୍ଟରେଟ୍ ଅଫ ନାଭାଲ ଡିଜାଇନ ପକ୍ଷରୁ ଏହି ଯୁଦ୍ଧପୋତର ଡିଜାଇନ୍ କରାଯାଇଛି । ଏପରି କ୍ଷମତା ହାସଲ କରିବାରେ ଭାରତ ବିଶ୍ବର ଅଳ୍ପ କିଛି ଦେଶଙ୍କ ମଧ୍ୟରେ ସାମିଲ ହୋଇଛି । ଏହି ଅତ୍ୟାଧୁନିକ ଜାହାଜ ୮୬୦ ଫୁଟ ଲମ୍ବ, ୨୦୩ ଫୁଟ ଚଉଡ଼ା ଓ ଓଜନ ପ୍ରାୟ ୪୫ ହଜାର ମେଟ୍ରିକ ଟନ । ପ୍ରାୟ ୨୩ ହଜାର କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ଏଥିରେ ପ୍ରାୟ ୨୧୫୦୦ ଟନ ଓଜନର ସ୍ବତନ୍ତ୍ର ଗ୍ରେଡ ଷ୍ଟିଲ ଲାଗିଛି । ଏହା ଏତେବଡ଼ ଯେ ଏଥିରେ ଏକାସମୟରେ ୧୭୦୦ କର୍ମଚାରୀ ରହିପାରିବେ ।

Related Posts