ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି ଦିନ ପୂରା ଦେଶବାସୀ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ନିଜ ନିଜ ଘରେ ଭଗବାନ ରାମଙ୍କ ନାଁରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଇ ମହର୍ଷୀ ବାଲ୍ମିକୀ ବିମାନବନ୍ଦର, ଅଯୋଧ୍ୟାଧାମ ରେଳ ଷ୍ଟେସନ ଓ ଆଉ କେତେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛି। ସାରା ଦେଶର ଜନସାଧାରଣଙ୍କ ପରି ମୁଁ ମଧ୍ୟ ରାମଭକ୍ତ ଓ ଜାନୁଆରୀ ୨୨କୁ ମୁଁ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛି। ଜନୁଆରୀ ୨୨ ତାରିଖ ଦିନ ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନ କରିବେ ସେତେବଳେ ୧୪୦ କୋଟି ଦେଶବାସୀ ନିଜ ନିଜ ଘରେ ଶ୍ରୀ ରାମ ଜ୍ୟୋତି ଜାଳନ୍ତୁ। ଦୀପାବଳି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ୨୨ ଜାନୁଆରୀ ସନ୍ଧ୍ୟାରେ ସାରା ଭାରତରେ ଉଜ୍ଜ୍ୱଳ ହେବା ଉଚିତ୍।
ମୋଦି ଆହୁରି କହିଛନ୍ତି ଯେ, ସମସ୍ତେ ଚାହାଁନ୍ତି କି ସେମାନେ ନିଜେ ଅଯୋଧ୍ୟାକୁ ଆସନ୍ତୁ ଜାନୁଆରୀ ୨୨ ସମାରୋହରେ ଯୋଗ ଦିଅନ୍ତୁ, କିନ୍ତୁ ସମସ୍ତଙ୍କ ପାଇଁ ଆସିବା ସମ୍ଭବ ନୁହେଁ । ତେଣୁ ମୁଁ ସମସ୍ତ ରାମ ଭକ୍ତମାନଙ୍କୁ ଅନୁରୋଧ କରୁଛି ଯେ ଜାନୁଆରୀ ୨୨ ତାରିଖରେ ଏହି କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେମାନେ ନିଜ ସୁବିଧା ଅନୁଯାୟୀ ଅଯୋଧ୍ୟାକୁ ଆସନ୍ତୁ ଏବଂ ଜାନୁଆରୀ ୨୨ ରେ ଏଠାକୁ ଆସିବାକୁ ମନ ସ୍ଥିର କରନ୍ତୁ ନାହିଁ । ଆପଣମାନେ ୫୫୦ ବର୍ଷ ଅପେକ୍ଷା କଲେଣି, ଆଉ କିଛି ଦିନ ଅପେକ୍ଷା କରନ୍ତୁ ।
ଏହି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ଅଯୋଧ୍ୟା ଗ୍ରସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ଆଜି ୧୫.୭୦୦ କୋଟି ଟଙ୍କାର ଅନେକ ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।