ଗୁଜରାଟରେ ଆପ ସରକାରକୁ ଆସିଲେ ରାଜ୍ୟରେ ପୁରୁଣା ପେନସନ୍‌ ଯୋଜନା ଲାଗୁ ହେବ: ଅରବିନ୍ଦ କେଜ୍ରିୱାଲ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜରାଟ ବିଧାନସଭା ନିର୍ବ‌ାଚନ ପାଇଁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟରେ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। କେଜ୍ରିୱାଲ ମଙ୍ଗଳବାର ବଡ଼ୋଦରାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି, ଯଦି ଆପ୍‌ ଗୁଜରାଟରେ କ୍ଷମତାକୁ ଆସେ ତେବେ ‌ସେ ରାଜ୍ୟରେ ପୁରୁଣା ପେନସନ୍‌ ଯୋଜନା ଲାଗୁ କରିବେ। ବଡ଼ୋଦରା ଟାଉନ ହଲ୍‌ ବୈଠକରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ କେଜ୍ରିୱାଲ ଏହି ପ୍ରତିଶ୍ରୁତି ଦେଇଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ଗୁଜରାଟରେ ସରକାରୀ କର୍ମଚାରୀ ପୁରୁଣା ପେନସନ୍‌ ଯୋଜନା କାର୍ଯ୍ୟକାରୀ କରିବାପାଇଁ ଦାବି କରି ଅନେକ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ସେମାନଙ୍କୁ ମୁଁ ନିଶ୍ଚିତ କରାଉଛି ଯେ ଯଦି ରାଜ୍ୟରେ ଆପ୍‌ ସରକାର ଗଠନ କରିବ ତେବେ ଗୁଜରାଟରେ ପୁରୁଣା ପେନସନ୍‌ ଯୋଜନା କାର୍ଯ୍ୟକାରୀ ହେବ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପୂର୍ବରୁ ଘୋଷଣା କରି କହିଥିଲେ ଯେ, ଯଦି ତାଙ୍କ ଦଳ ଗୁଜରାଟରେ କ୍ଷମତାକୁ ଆସେ ତେବେ ସେ ପୁରୁଣା ପେନସନ୍‌ ଯୋଜନା କାର୍ଯ୍ୟକାରୀ କରିବେ। ଗୁଜୁରାଟରେ ଦୀର୍ଘଦିନ ହେବ ସରକାରୀ କର୍ମଚାରୀ ମାନେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଦାବି କରୁଛନ୍ତି। ନିକଟରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଏହି ଦାବି ନେଇ ସାମୁହିକ ଛୁଟିରେ ମଧ୍ୟ ପଳାଇଥିଲେ। ଫଳରେ ରାଜ୍ୟର ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ଏହି ପୁରୁଣା ପେନସନ କୁ ରାଜ୍ୟରେ ଶାସନାଧୀନ ବିଜେପି ସରକାର ବିରୋଧରେ ବିରୋଧୀ ମାନେ ଅସ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଅନ୍ୟପଟେ କେଜ୍ରିୱାଲ ମଙ୍ଗଳବାର ବଡ଼ୋଦରା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ମୋଦୀ ସମର୍ଥକଙ୍କ ଭିଡ଼କୁ ସାମ୍ନା କରିବାକୁ ପଡ଼ିଥିଲା। ମୋଦୀ ସମର୍ଥକ ମାନେ କେଜ୍ରିୱାଲଙ୍କୁ ବିମାନବନ୍ଦରରେ ଦେଖି ମୋଦୀ-ମୋଦୀ ସ୍ଲୋଗାନ ଦେଇଥିଲେ।

Related Posts