(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ସାରା ରାଜ୍ୟରେ ଅଫଲାଇନ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ମୋଟ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ଅଫଲାଇନ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ଏଥିପାଇଁ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଅପରିପକ୍ଷେ ପରୀକ୍ଷା ପାଇଁ ସ୍ବତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ ହୋଇଛି ବୋଲି ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି । ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ପରେ ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବହୁତ ଅସନ୍ତୋଷ ଦେଖାଦେଇଥିଲା ।
ତେବେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଆଉ ଥରେ ଅଫଲାଇନରେ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା କାଲିର ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପହଁଞ୍ଚି ଯାଇଛି । ଏହା ସାଙ୍ଗକୁ ପରୀକ୍ଷାରେ ନିୟୋଜିତ ହୋଇଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।
ଏପରିକି ପ୍ରତିଟି ପରୀକ୍ଷା କେନ୍ଦ୍ରରେ ଅବଜରଭର ନିୟୋଜିତ କରାଯାଇଛି ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଅପରିପକ୍ଷେ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାରେ ରେଗୁଲାରରେ ୬ ହଜାର ୫ ଶହ ୯୭ ଜଣ ଛାତ୍ରଛାତ୍ରୀ ଅଫଲାଇନ୍ରେ ମାଟ୍ରିକ୍ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ମୋଟ୍ ୧୫ ହଜାର ୧୫୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ। ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା। ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କରୋନାର କୋପ ଯୋଗୁ ତଥା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ସରକାରଙ୍କୁ ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା।
ଆସନ୍ତା କାଲିର ପରୀକ୍ଷା ପାଇଁ ମଧ୍ୟମାରେ ୬୧ ଜଣ ଛାତ୍ରଛାତ୍ରୀ ଓ ଏସଓଏସି ତଥା ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୮ ହଜାର ୪ ଶହ ୯୩ ଜଣ ପରୀକ୍ଷା ଦେବେ । ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମୋଟ୍ ୫୦୪ଟି ସେଣ୍ଟର ହୋଇଥିବା ବେଳେ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୨୭୮ଟି ସେଣ୍ଟର ହୋଇଥିବାର ବୋର୍ଡ ପକ୍ଷରୁ କୁହାଯାଇଛି ।