ଓଡ଼ିଶାର ପିପିଲି ସମେତ ୨୫ ବିଧାନସଭା ଉପନିର୍ବାଚନ ପାଇଁ ଖୁବ୍‌ ଶୀଘ୍ର ବୈଠକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶର ପ୍ରାୟ ୨୫ଟି ବିଧାନସଭା ଆସନ ଖାଲି ପଡ଼ିଛି। ଏଥିରେ ଓଡ଼ିଶାର ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟ ରହିଛି। ଏହି ୨୫ଟି ବିଧାନସଭା ଆସନ ପାଇଁ କେବେ ଉପନିର୍ବାଚନ କରାଯିବ ସେ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ତାରିଖ ଘୋଷଣା କରାଯାଇ ନାହିଁ। 

ତେବେ ଏ ନେଇ ଖୁବ୍‌ ଶୀଘ୍ର  ନିର୍ବାଚନ ଆୟୋଗ ବୈଠକ କରି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି। ଖାଲି ପଡ଼ିଥିବା ବିଧାନସଭା ଆସନ ସମ୍ବନ୍ଧିତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଭିତ୍ତିରେ ଉପନିର୍ବାଚନ କେବେ କରାଯିବ ସେ ନେଇ ମୁଖ୍ୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି।

କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଭୟାବହତାକୁ ନଜରରେ ରଖି ଭାରତୀୟ ନିର୍ବାଚନ ଆୟୋଗ ମେ ୩ ତାରିଖରେ ଓଡ଼ିଶାର ପିପିଲି ସମେତ ପଶ୍ଚିମବଙ୍ଗର ଦୁଇଟି ଆସନରେ ହେଵାକୁ ଥିବା ଭୋଟ ଗ୍ରହଣ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଉପ ନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। 

ମିଳିଥିବା ସୂଚନା ଅନୁସାରେ , ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ମେଘାଳୟ, ହିମାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ କରୋନା ସ୍ଥିତି ସଂପର୍କରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ତର୍ଜମା କରି ମୁଖ୍ୟ ନିର୍ବାଚନ ଆୟୋଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ। 

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହେବା ପରେ ଭୋଟ ଗ୍ରହଣ ସ୍ଥଗିତ ରହିଥିଲା। ପରେ ସାନି ବିଜ୍ଞପ୍ତି ଜାରି ହୋଇ ପ୍ରଥମେ ମେ ୧୩ ଏବଂ ପରେ ୧୬ରେ ଭୋଟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନୂତନ ପ୍ରାର୍ଥୀଭାବେ ବିଶ୍ବକେଶନ ହରିଚନ୍ଦନ ନାମାଙ୍କନପତ୍ର ଦାଖଲ କରିଥିଲେ।

  କରୋନା ଭୟାବହତାକୁ ନଜରରେ ରଖି ଏଥର ଉପନିର୍ବାଚନରେ ଆୟୋଗ ବୁଥ୍‌ମାନଙ୍କରେ ଭୋଟର ସଂଖ୍ୟାକୁ ବଢ଼ାଇବା ସଙ୍ଗେ ସଙ୍ଗେ ଟିକା ନେଇଥିବା କର୍ମଚାରୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରି ପାରନ୍ତି ସୂଚନା ରହିଛି। 

ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ହେବାକୁ ଥିବା ଉପନିର୍ବାଚନରେ ୨୫ଟି ଆସନ ମଧ୍ୟରୁ ଉତ୍ତର ପ୍ରଦେଶର ୬ଟି ଏବଂ ଉତ୍ତରାଖଣ୍ଡର ୨ଟି ଆସନରେ ନିର୍ବାଚନ ନହେବାର ସମ୍ଭାବନା ରହିଛି। କାରଣ ଏହି ଦୁଇ ରାଜ୍ୟରେ ଆସନ୍ତା ବର୍ଷ ଆରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସମ୍ବିଧାନର ଧାରା ଜନ ପ୍ରତିନିଧି ଆଇନ ୧୯୫୧ ର ଧାରା ୧୫୧(ଏ) ଅନୁଯାୟୀ ବିଧାନସଭାର କାର୍ଯ୍ୟକାଳ ବର୍ଷେରୁ କମ ରହିବା ସ୍ଥିତିରେ ଉପନିର୍ବାଚନ କରାଯାଇପାରିବ ନାହିଁ। ଏ ସବୁ ଦିଗରେ ବିଚାର କରି ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି ବୋଲି ଜଣାପଡ଼ିଛି।

Related Posts