ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ଆଜି ଶପଥ ନେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ । ପ୍ରସ୍ତୁତି ଶେଷ ହୋଇଛି । ସକାଳ ୧୦ଟା ୧୫ ରେ ସାନ୍ତାଳୀ ଶାଢୀ ପିନ୍ଧି ଶପଥ ନେବେ ଦ୍ରୌପଦୀ ମୁର୍ମୁ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମଣା ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇବେ। ଏହା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବ। ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରମ୍ପରିକ ଶୋଭାଯାତ୍ରାରେ ଆସି ସଂସଦରେ ପହଞ୍ଚିବେ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ସାଂସଦ, ସରକାରଙ୍କ ବେସାମରିକ ଓ ସାମରିକ ଅଧିକାରୀମାନେ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ସଂସଦର ଏହି ସେଣ୍ଟ୍ରାଲ୍ ହଲ ସବୁଦିନ ପାଇଁ ଇତିହାସ ହୋଇଯିବା ଆଗରୁ ନିଜର ସ୍ବର୍ଣ୍ଣିମ ପୃଷ୍ଠାରେ ଲେଖିବ ଦୁଇଟି ବଡ ଘଟଣା । ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ପ୍ରଥମ ଥର ପାଇଁ ଦେଖିବ ଏହି ସେଣ୍ଟ୍ରାଲ୍ ହଲ । ଆଉ ଏହା ମଧ୍ୟ ଏହି ସେଣ୍ଟ୍ରାଲ୍ ହଲ ପାଇଁ ହେବ ଶେଷ ଶପଥ ଗ୍ରହଣ ଉତ୍ସବ ।

ଏହା ଆଗରୁ ସକାଳ ୯ଟା ୨୨ରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ବାଗତ କରିବେ। ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁ କାବେରୀ ଛାଡ଼ି ଦରବାର ହଲ୍ ଅଭିମୁଖେ ବାହାରିବେ। ଏହାପରେ ରାଷ୍ଟ୍ରପତିଙ୍କ ଲିମୋସିନରେ ବସି ଉଭୟ ସଂସଦ ଅଭିମୁଖେ ଯିବେ । ଗେଟ୍ ନମ୍ବର ୫ରେ ପହଞ୍ଚିବା ପରେ ସକାଳ ୧୦ଟା ୩ରେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସେମାନଙ୍କୁ ପାଛୋଟି ନେବେ। ଏହାପରେ ଶୋଭାଯାତ୍ରା, ସଂସଦର କେନ୍ଦ୍ରୀୟ କକ୍ଷ ପର୍ଯ୍ୟନ୍ତ ଯିବ। ୧୦ଟା ୧୪ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ. ଭି. ରମନା, ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇବେ।

ତେବେ ଶପଥ ସମାରୋହ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ସାଂସଦଙ୍କୁ ସାଥିରେ ଧରି ନବନିଯୁକ୍ତ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ଭେଟିଛନ୍ତି । ଶପଥ ସମାରୋହରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଶପଥ ଗହଣ ଉତ୍ସବରେ ଦେଶର ତୁଙ୍ଗ ରାଜନେତା ଏବଂ ବ୍ୟକ୍ତିବିଶେଷ ଯୋଗ ଦେବେ ।

Related Posts