ପ୍ୟାରିସ୍ : ବୁଲଗେରିଆର ବାବା ଭାଙ୍ଗାଙ୍କ ଏକ ଭବିଷ୍ୟବାଣୀ ଏବେ ଚର୍ଚ୍ଚାରେ ରହିଛି। ସେ ୨୦୨୩ ପାଇଁ ଦେଇଥିବା ଭବିଷ୍ୟବାଣୀ ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି । ଯେଉଁମାନେ ବାବା ଭାଙ୍ଗାଙ୍କୁ ବିଶ୍ବାସ କରନ୍ତି ସେମାନେ ତାଙ୍କର ଭବିଷ୍ୟବାଣୀ ଠିକ୍ ବୋଲି ଦାବି କରନ୍ତି। ବାବା ଭାଙ୍ଗା ଆମେରିକାର ଇତିହାସରେ ଘଟିଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଏବଂ କୁର୍ସ୍କ ବୁଡ଼ାଜାହାଜ ଦୁର୍ଘଟଣା ସମେତ ସାମ୍ପ୍ରତିକ ଇତିହାସର କେତେକ ଭୟଙ୍କର ଘଟଣାର ସଠିକ୍ ପୂର୍ବାନୁମାନ କରିଥିବା କୁହାଯାଉଛି। ଦୃଷ୍ଟିଶକ୍ତିହୀନ ଏହି ଭବିଷ୍ୟତବକ୍ତା ମଧ୍ୟ ତାଙ୍କ ମୃତ୍ୟୁର ପ୍ରକୃତ ତାରିଖ କହିଥିଲେ। ବର୍ତ୍ତମାନ ତାଙ୍କ ମୃତ୍ୟୁର ୨୬ ବର୍ଷ ପରେ, ବାବା ଭାଙ୍ଗାଙ୍କ ୨୦୨୩ ପାଇଁ ଭବିଷ୍ୟବାଣୀ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଭୟଭୀତ କରିବା ପାଇଁ ଯଥେଷ୍ଟ।
ବାବା ଭାଙ୍ଗାଙ୍କ ପ୍ରକୃତ ନାମ ଭାଙ୍ଗେଲିଆ ପାଣ୍ଡେଭା ଗୁଷ୍ଟାରୋଭା। ୨୦୨୩ରେ ବାବା ଭାଙ୍ଗା ଏକ ଅନ୍ଧକାର ଏବଂ ମହା ବିପର୍ଯ୍ୟୟସ୍ଥିତିର ପୂର୍ବାନୁମାନ କରିଛନ୍ତି। ତାଙ୍କର ଭୟ ସୃଷ୍ଟିକାରୀ ଭବିଷ୍ୟବାଣୀରେ ପୃଥିବୀର କକ୍ଷପଥରେ ପରିବର୍ତ୍ତନ ମଧ୍ୟ ଅନ୍ତର୍ଭୁକ୍ତ। ଏଭଳି ସ୍ଥିତି ପରମାଣୁ ଆକ୍ରମଣ ଦ୍ୱାରା ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ୨୦୨୩ରେ କେତେକ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ଆବିଷ୍କାରକୁ ନେଇ ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି। ସେଥିରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଲ୍ୟାବ ଶିଶୁ ଜନ୍ମ। ୨୦୨୩ ମସିହାରେ ବିଶ୍ବ ଏକ ଭୟଙ୍କର ଯୁଦ୍ଧ ଏବଂ ବହୁତ ବଡ଼ ସୁନାମୀକୁ ମଧ୍ୟ ସାମ୍ନା କରିବ ବୋଲି ସେ ପୂର୍ବାନୁମାନ କରିଛନ୍ତି।
ୟୁରୋପର ମହାନ ଭବିଷ୍ୟବକ୍ତା ବାବା ଭାଙ୍ଗା ୩ ଅକ୍ଟୋବର ୧୯୧୧ରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୯୬ରେ ତାଙ୍କର ପରଲୋକ ହୋଇଥିଲା। ବାବା ଭାଙ୍ଗା ତାଙ୍କ ଜୀବନର ଅଧିକାଂଶ ସମୟ ବୁଲଗେରିଆର କୋଜହୁ ପର୍ବତର ରୁପାଇଟ୍ ଅଞ୍ଚଳରେ ବିତାଇଥିଲେ।