ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ଅଣ-ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହୋଇପାରିବେ ନାହିଁ : ସ୍ବାସ୍ଥ୍ୟ ବିଭାଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ନିୟୋଜିତ ହୋଇପାରିବେ ନାହିଁ ଅଣ-ସ୍ୱାସ୍ଥ୍ୟକର୍ମୀ। ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାର ମୁଖ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ କୁମାର ମହାପାତ୍ର।

ଏସିଏସ୍ ଙ୍କ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ ରୋଗୀଙ୍କ ଚିକିତ୍ସା ସମୟରେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସହାୟତା କରିବା ପାଇଁ ଯେପରି କୌଣସି ଅଣ-ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ୍। ଏହା ସହ ଚିକିତ୍ସା ପାଇଁ ହସ୍ପିଟାଲ୍  ଆସୁଥିବା ରୋଗୀମାନଙ୍କୁ କେବଳ ପ୍ରାଧିକୃତ ବ୍ୟକ୍ତି ହିଁ ଚିକିତ୍ସା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। 

ଗଞ୍ଜାମ ଜିଲ୍ଲାରୁ ଏମିତି ଏକ ଅଭିଯୋଗ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଗଞ୍ଜାମର ଏକ ହସ୍ପିଟାଲ୍ ସଂପର୍କିତ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଏଭଳି ଚିଠି ଜାରି କରାଯାଇଛି। 

ସ୍ବାସ୍ଥ୍ୟ ବିଭାଗର ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ଗଞ୍ଜାମ ଜିଲ୍ଲାରେ ଏକ ହସ୍ପିଟାଲ୍‌ରେ ଡାକ୍ତରଙ୍କ ଅଭାବ ଯୋଗୁ ଜଣେ ସୁରକ୍ଷାକର୍ମୀ ଜଣେ ରୋଗୀଙ୍କ ବ୍ଲଡ୍ ପ୍ରେସର ଚେକ୍ କରୁଥିବା ନେଇ ଅଭିଯୋଗ ହୋଇଥିଲା। 

ଅଭିଯୋଗ ଆସିବା ପରେ ଏହି ଘଟଣାର ତଦନ୍ତ କରାଯାଇଥିଲା। ଏବଂ ତଦନ୍ତରୁ ଜଣାପଡ଼ିଥିଲା ଯେ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଡ୍ୟୁଟିରେ ଥିଲେ। ସେ ମଧ୍ୟ ଉକ୍ତ ରୋଗୀଙ୍କ ରକ୍ତଚାପ ମାପିଥିଲେ। ତେବେ ଏହି ସମୟରେ ଉକ୍ତ ସୁରକ୍ଷାକର୍ମୀ ଜଣକ ଡାକ୍ତରଙ୍କୁ ସହଯୋଗ କରିଥିଲେ। ଏହି କାମ କିନ୍ତୁ ସୁରକ୍ଷାକର୍ମୀଙ୍କ କାର୍ଯ୍ୟ ନୁହେଁ। 

ସେଥିପାଇଁ ସରକାରୀ ହସ୍ପିଟାଲ୍ ଗୁଡ଼ିକରେ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ନେଇ ଏକ ଭୁଲ୍ ବାର୍ତ୍ତା ପ୍ରଚାର ହେଲା । ଏହି ଘଟଣାକୁ ସରକାର ଗୁରୁତ୍ୱର ସହିତ ବିଚାରକୁ ନେଇଛନ୍ତି। ଏଭଳି ଘଟଣା ଯେପରି ସରକାରୀ ଡାକ୍ତରଖାନା ଗୁଡ଼ିକରେ ପୁନର୍ବାର ନଘଟେ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। 

Related Posts