“କଥା କହିବାକୁ କାହାକୁ ପଇସା ପଡେ ନାହିଁ”; ଧର୍ମେନ୍ଦ୍ରଙ୍କ ପୁରସ୍କାର ଫିକ୍ସିଂ ମନ୍ତବ୍ୟ ର ଜବାବ୍ ଦେଲେ ସମୀର ଦାଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ପୁରସ୍କାର ଫିକ୍ସିଂ ଓ ଶ୍ରେୟ ରାଜନୀତି ମନ୍ତବ୍ୟକୁ ନେଇ ଜବାବ ଦେଇଛି ବିଜେଡି । ଦଳ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶର ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ରହିଛି। ଯିଏ କଥା କଥାକେ ଗୁଜାରଟ ମଡେଲ କଥା କହେ। ତେବେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବାବଦରେ ଓଡିଶା ଆସି ୧୫ଟି ରାଜ୍ୟର ପ୍ରତିନିଧି ତାଲିମ ନେଇ ଯାଇଛନ୍ତି ।ସେଥିରେ ଗୁଜରାଟ ମଧ୍ୟ ଅଛି, ଏକଥା ସେମାନେ ବୁଝିବା ଉଚିତ ବୋଲି କହିଛନ୍ତି ସମୀର ଦାଶ । ସେହିପରି ଧର୍ମେନ୍ଦ୍ରଙ୍କ ପୁରସ୍କାର ଫିକ୍ସିଂ ବୟାନ ଉପରେ ମଧ୍ୟ ସେ ପ୍ରତିକ୍ରିୟା ଦେଇଛନ୍ତି। ଏନେଇ ସମୀର କହିଛନ୍ତି ଯେ, କଥା କହିବାକୁ କାହାରିକୁ ପଇସା ପଡେ ନାହିଁ । କିଏ କଣ କହୁଛନ୍ତି ତାର ଜବାବ ଆଗାମୀ ଦିନରେ ଓଡିଶା ବାସୀ ଦେବେ।

ତେବେ ଗତକାଲି ଦିଲ୍ଲୀ କନଷ୍ଟିଚ୍ୟୁସନ କ୍ଲବ ପକ୍ଷରୁ ଆୟୋଜିତ ଓଡିଶା ସାମ୍ବାଦିକତା ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେଇ ତେରଛା ବାଣ ମାରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାହାର ନାଁ ନନେଇ ପୁରସ୍କାର ପାଇବାକୁ କେମିତି କାରସାଦି କରାଯାଏ, କେମିତି ଫିକ୍ସିଂ ହୁଏ ତାର ଉଦହାରଣ ଦେଇ ବୁଝାଇଥିଲେ ଧର୍ମେନ୍ଦ୍ର । ସେପଟେ ଶ୍ରେୟ ପାଇଁ ହେଉଥିବା ରାଜନୀତିକୁ ମଧ୍ୟ ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିରୋ ହ୍ୟୁମାନ ଲସ କଥା ରାଜ୍ୟ ସରକାର କହୁଥିବା ବେଳେ, ଏଥିପାଇଁ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନକୁ ଭୁଲିଯାଉଛନ୍ତି । ୧୯୯୯ ମହାବାତ୍ୟା ପରେ ପ୍ରତି ପଂଚାୟତରେ ବାତ୍ୟା ଆଶ୍ରୟସ୍ଥଳ ଖୋଲାଯାଇଛି । ତେଣୁ ସାମ୍ବାଦିକମାନେ ଖବର କଲା ବେଳେ ସେହି କଥାକୁ ଉଲ୍ଲେଖ କରିବା ପାଇଁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । ଆଉ ଏକ ପ୍ରସଙ୍ଗ ଉଠାଇ ଓଡିଆଙ୍କ କଙ୍କଡା ପ୍ରକୃତି କଥା କହିଛନ୍ତି, କେନ୍ଦ୍ରମନ୍ତ୍ରୀ । ଅବଶ୍ୟ ଏଥିରେ କାହାକୁ ଟାର୍ଗେଟ କରୁଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ କିନ୍ତୁ ପୁରସ୍କାର ବିତରଣ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଷଣ ବଡ ରାଜନୈତିକ ବିତର୍କ ସୃଷ୍ଟି କରିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଜବାବ୍ ଦେଇଛି ବିଜେଡି।

Related Posts