ଭୁବନେଶ୍ୱର (ସତ୍ୟପାଠ): ବହୁଚର୍ଚ୍ଚିତ ଝାରସୁଗୁଡା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ। ସରପଞ୍ଚ, ସମିତି ସଭ୍ୟ ନଆସିବାରୁ ବାତିଲ ହେଲା ଭୋଟିଂ।
କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଦିନ ସାଢେ଼ ୧୦ଟାରେ ଭୋଟିଂ ହେବାର ଥିଲା। ଏଥିପାଇଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର, ପୁଲିସ ଉପସ୍ଥିତ ହୋଇଥିଲେ। କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା ଓ ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ଫେରି ଯାଇଥିଲେ।
ସେପଟେ, ଏହି ଘଟଣା ପରେ ପୂର୍ବ ବିଧାୟିକା ଦୀପାଲି ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଅନୈତିକ ଓ ଅଗଣତାନ୍ତ୍ରିକ ଉପାୟରେ ପୁଲିସ ଏହି ଭୋଟିଂ ବନ୍ଦ୍ କରିବାକୁ ଉଦ୍ୟମ କରିଥିବା ବିଜେଡି ଅଭିଯୋଗ କରିଛି। ଏହା ଗୁଣ୍ଡାରାଜର ସରକାର। ବିନା ପ୍ରମାଣ, ଅଭିଯୋଗରେ ମୋ ଭାଇ ବିଶାଳ ଦାସ ଓ ପିଆରଆଇ ସଦସ୍ୟଙ୍କୁ ଗତକାଲିଠାରୁ ଛତିଶଗଡରେ ଅଟକ ରଖାଯାଇଥିବା ଦୀପାଲି ଅଭିଯୋଗ କରିଛନ୍ତି।