ଭୀମଭୋଇ ମେଡିକାଲ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ମୃତ ଛାତ୍ର ନିଶାନ୍ତଙ୍କ ମୋବାଇଲ୍‌ ଚାଟିଂ, ରାଗିଂ ଚାଲିଥିଲା ଚାଟିଂରେ ଉଲ୍ଲେଖ

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ଅଭିଯୋଗ | ପରେ କଲେଜ ପ୍ରଶାସନ ଖଣ୍ଡନ ପରେ ଏବେ ଏହି ଘଟଣା ନୂଆ ମୋଡ ନେଇଛି |

ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ସେପଟେ ଆଜି ସାମ୍ନାକୁ ଆସିଛି ମୃତ ଛାତ୍ର ନିଶାନ୍ତଙ୍କ ମୋବାଇଲ୍‌ ଚାଟିଂ। ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ତାଙ୍କ ମୋବାଇଲ୍‌ ଚାଟିଂ ସାମ୍ନାକୁ ଆସିଛି। କଲେଜରେ କିଭଳି ରାଗିଂ ଚାଲିଥିଲା ଚାଟିଂରେ ଉଲ୍ଲେଖ ରହିଛି। ଖେଳ ପଡ଼ିଆକୁ ଜୋର୍‌ ଜବରଦସ୍ତ ଡାକୁଥିଲେ ସିନିୟର। କିନ୍ତୁ ଜୁନିଅରଙ୍କୁ ଖେଳିବା ପାଇଁ ଆଦୌ ଅନୁମତି ଦେଉନଥିଲେ। ପାର୍କ ଯିବାକୁ ମଧ୍ୟ ଜୁନିଅରଙ୍କୁ ଅନୁମତି ନଥିବା ଚାଟିଂରେ ଉଲ୍ଲେଖ ରହିଛି। କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଡରୁଥିବା ଲେଖିଛନ୍ତି ନିଶାନ୍ତ।

ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ ନିଶାନ୍ତ। ୨୨ ତାରିଖ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ। ତା’ପରେ ଛାତରୁ ଡେଇଁ ପଡ଼ିଥିବା ଆଲୋଚନା ହେଉଛି। ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ପରିବାର ଲୋକ ଆଣିଥିଲେ ରାଗିଂ ଅଭିଯୋଗ। ଏବେ ଚାଟିଂ ସାମ୍ନାକୁ ଆସିବା ପରେ କଲେଜ କର୍ତ୍ତୃପକ୍ଷ ପାଇଁ ଅଡୁଆ ବଢ଼ିବ ବୋଲି ଆଲୋଚନା ହେଉଛି।

ବାପା ମାଙ୍କର ଏକମାତ୍ର ପୁଅ ଥିଲେ ମୃତ ନିଶା । ବାପା ପ୍ରଫେସର, ମା ଶିକ୍ଷୟିତ୍ରୀ। ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ ନିଶାନ୍ତ। ଆଉ ସ୍ୱପ୍ନକୁ ସାକାର କରିବା ପାଇଁ ପରିଶ୍ରମ କରିଥିଲେ। ସଫଳତା ବି ପାଇଥିଲେ। ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସର୍ବଭାରତୀୟ କୋଟାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନାଁ ଲେଖାଇଥିଲେ। ଡାକ୍ତର ହେବେ ଓ ପରିବାରର ଖ୍ୟାତି ବଢ଼ାଇବେ। ଏହାଥିଲା ତାଙ୍କର ଲକ୍ଷ୍ୟ। ହେଲେ କଲେଜରେ ମାତ୍ର ଦଶ ଦିନ ରହଣିରେ ଦଶା ଭୋଗିଲେ ପରିବାର ଲୋକେ। କଣ ହେଲା କେଜାଣି ଏବେ ନିଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ। ଯଦି ଆତ୍ମହତ୍ୟା, କଣ ହୋଇପାରେ ଆତ୍ମହତ୍ୟାର କାରଣ? ଯଦି ହତ୍ୟା କିଏ, କାହିଁକି କଣ ପାଇଁ ନିଶାନ୍ତଙ୍କୁ ହତ୍ୟା କରିବ? କେବଳ ରାଗିଂ ପାଇଁ ଜୀବନ ଯାଇଛି ନା ଘଟଣା ପଛରେ ଆଉ କିଛି କାରଣ ରହିଛି?

Related Posts