NIRF ରାଙ୍କିଂ, ପ୍ରଥମ ୧୦୦ରେ ନାହିଁ ରାଜ୍ୟର ଗୋଟିଏ ହେଲେ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ତାଲିକାରେ ବାଣୀବିହାରକୁ ୮୮ତମ ସ୍ଥାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା NIRF ରାଙ୍କିଂ। ତେବେ ଏହି ରାଙ୍କିଂ ରେ ମହାବିଦ୍ୟାଳୟ ତାଲିକାରେ ଓଡ଼ିଶାକୁ ନିରାଶ ହେବାକୁ ପଡ଼ିଛି। ଟପ୍ ୧୦୦ ତାଲିକାରେ ରାଜ୍ୟ ସରକାରଙ୍କ କୌଣସି ବି ମହାବିଦ୍ୟାଳୟ ନାହିଁ।ସରକାରୀ କିମ୍ବା ଘରୋଇ କୌଣସି ବି ଓଡ଼ିଶାର ମହାବିଦ୍ୟାଳୟ NIRFର କଲେଜ୍ କାଟାଗୋରୀରେ ସ୍ଥାନ ପାଇପାରିନାହାନ୍ତି ।

ସେପଟେ ବିଶ୍ଵବିଦ୍ୟାଳୟ ତାଲିକାରେ ସରକାରୀ ବିଶ୍ଵବିଦ୍ୟାଳୟ ଭାବରେ ଏକମାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ୮୮ ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ସେପଟେ ରାଜ୍ୟର କିଛି ଘରୋଇ ବିଶ୍ଵବିଦ୍ୟାଳୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଓଡ଼ିଶାର ସୋଆ ବିଶ୍ୱବିଦ୍ୟାଳୟ ୩୦ ତମ ରାଙ୍କରେ ରହିଛି । ଏହାପଛରେ କିଟ୍ ୩୪ ତମ ସ୍ଥାନରେ ଥିବା ବେଳେ ୩୯ରେ ରାଉରକେଲା NIT, ୬୫ତମ ସ୍ଥାନରେ ଭୁବନେଶ୍ୱର IIT ରହିଛି ।

ପ୍ରତିବର୍ଷ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ପ୍ରକାଶ ପାଇଥାଏ । ଓଭରଅଲ୍ ଇନଜିନିୟରିଂ, ବିଶ୍ୱବିଦ୍ୟାଳୟ, ରିସର୍ଚ୍ଚ, ମ୍ୟାନେଜଜମେଣ୍ଟ, ମେଡିକାଲ୍ ସମେତ ବିଭିନ୍ନ ବିଭାଗରେ ଶିକ୍ଷାନୁଷ୍ଠାନର ମାନ୍ୟତା ନିର୍ଦ୍ଦାରଣ ହୁଏ । ଶିକ୍ଷାର ମାନ, ଶିକ୍ଷାର ବାତାବରଣ, ଛାତ୍ରଛାତ୍ରୀଙ୍କ ସଫଳତା ଏଭଳି ବିଭିନ୍ନ ମାନଦଣ୍ଡକୁ ନେଇ ରାଙ୍କିଂ ପ୍ରସ୍ତୁତ କରାଯାଏ । ତେବେ ଏହି ତାଲିକାରେ ରାଜ୍ୟର ସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକର ନୈରାଶ୍ୟ ଜନକ ପ୍ରଦର୍ଶନକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି।

Related Posts