(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଚଳିତ ମୌସୁମୀ ଋତୁରେ ନିଅଣ୍ଟିଆ ବର୍ଷା ଚିନ୍ତାର କାରଣ ପାଲଟିଛି। ଓଡ଼ିଶାର ୩୧୪ ଟି ବ୍ଲକ୍ ମଧ୍ୟରୁ ୨୧୩ ରେ କୃଷି କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ପରିସ୍ଥିତି ଉପରେ ନଜର ରଖିବାକୁ ଏବଂ ପ୍ରତିଦିନ ଏହାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ପଟ୍ଟନାୟକ ମଙ୍ଗଳବାର ଦିନ ରାଜ୍ୟର ମରୁଡ଼ି ସମୀକ୍ଷା କରି ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କୃଷକମାନଙ୍କୁ ସହାୟତା କରିବା ପାଇଁ ଫସଲ ଯୋଜନା କାର୍ଯ୍ୟକାରୀ କରିବାକୁ କହିଛନ୍ତି । ମରୁଡ଼ି ସ୍ଥିତିର ମୁକାବିଲା ତୁରନ୍ତ ପଦକ୍ଷେପ ନେବାକୁ ସେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।
ଏହି ଅବସରରେ ସେ ଜରୁରୀକାଳୀନ ଫସଲ ଯୋଜନା, ଜଳସେଚନ ପ୍ରଣାଳୀରେ ଅବିଭକ୍ତ ଜଳ ଯୋଗାଣ ଏବଂ ଏମ୍ଜିନରେଗା କାର୍ଯ୍ୟାନ୍ୱୟନରେ ଘନିଷ୍ଠ ସମନ୍ୱୟ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏତଦ୍ ବ୍ୟତୀତ ୭ ଦିନ ମଧ୍ୟରେ ସମସ୍ତ ଉଠା ଜଳସେଚନ ପଏଣ୍ଟକୁ ସକ୍ରିୟ କରିବାକୁ ଏବଂ ଅଧ ଏକରରୁ ଅଧିକ ଚାଷଜମି ପାଇଁ ଚାଷ ପୋଖରୀ ଖୋଳିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ କେନାଲ ତଳମୁଣ୍ଡରେ ଥିବା ଚାଷୀଙ୍କ ପାଇଁ ଜଳସେଚନ ଜଳ ସୁନିଶ୍ଚିତ କରିବା ଏବଂ ଭୂତଳ ଜଳକୁ ରିଚାର୍ଜ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଫସଲ ଖରାପ ହେଲେ ବିକଳ୍ପ ଫସଲ ପାଇଁ ଚାଷୀଙ୍କୁ ମଞ୍ଜି ଏବଂ ମିନି କିଟ୍ ଯୋଗାଇବା ଏବଂ ବିଦ୍ୟମାନ ଫସଲକୁ ସଂରକ୍ଷଣ ରଖିବା ପାଇଁ ରିହାତି ହାରରେ ଚାଷୀଙ୍କୁ ଡିଜେଲ ପମ୍ପ ଯୋଗାଇବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜନସାଧାରଣ ତଥା ପଶୁମାନଙ୍କ ପାଇଁ ପାନୀୟ ଜଳର ଅଭାବ ନହେବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଓ ପୌରପାଳିକା କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । କୃଷକ ତଥା ସାଧାରଣ ଜନତାଙ୍କ ଉପରେ ମରୁଡ଼ିର ପ୍ରଭାବ ହ୍ରାସ କରିବାକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଏପର୍ଯ୍ୟନ୍ତ ରାଜ୍ୟରେ ୩୦ ପ୍ରତିଶତ ନିଅଣ୍ଟଣ୍ଟ ବର୍ଷା ହୋଇଛି । ଯଦିଓ ଏହା ଧାନ ଫସଲ ପାଇଁ ସମସ୍ୟା ସୃଷ୍ଟି କରିପାରେ, ଅଣଧାନ ଫସଲ ପାଇଁ କୌଣସି ଅସୁବିଧା ଲକ୍ଷ୍ୟ କରାଯାଇ ନାହିଁ ବୋଲି ସେ କହିଛନ୍ତି ।
ଗତ ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୨୩ ବର୍ଷ ପରେ ରାଜ୍ୟରେ ପୁଣିଥରେ ବର୍ଷାର ଏପରି ସଂକଟ ଦେଖାଦେଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ରାଜ୍ୟରେ ୯୨୮.୭ ମିମି ବର୍ଷା ରେକର୍ଡ ହେଉଥିବା ବେଳେ ଚଳିତଥର ମାତ୍ର ୬୬୧.୧ ମିମି ବର୍ଷା ହୋଇଛି। ୧୯୯୮ ମସିହା ଅଗଷ୍ଟ ଶେଷ ବେଳକୁ ରାଜ୍ୟରେ ୨୯% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା। ସେହିବର୍ଷ ଜୁନ୍ ୧ରୁ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟରେ ମାତ୍ର ୬୫୭.୫ ମିମି ବର୍ଷା ହୋଇଥିଲା।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ସ୍ବାଭାବିକ ଭାବେ ଅଗଷ୍ଟରେ ୫ରୁ ୬ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଗତବର୍ଷ ରାଜ୍ୟରେ କେବଳ ଅଗଷ୍ଟରେ ୫ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ପ୍ରତି ଲଘୁଚାପ ପିଛା ୫୫ ମିମିରୁ ୬୦ମିମି ବର୍ଷା ହୋଇଥିଲା। ଲଘୁଚାପ ଯୋଗୁଁ ମୌସୁମୀ ବି ସକ୍ରିୟ ରହିଥିଲା। ଫଳରେ ଗତବର୍ଷ ଅଗଷ୍ଟରେ ୪୨%ରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ମାତ୍ର ୨ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଗୋଟିଏ ଲଘୁଚାପ ପିଛା ମାତ୍ର ୨୦ରୁ ୨୫ ମିମି ଯାଏ ବର୍ଷା ହୋଇଛି।