ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନୂଆବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ। ସେଥିପାଇଁ ନଭେମ୍ୱର ମାସ ସୁଦ୍ଧା ଇ- କେୱାଇସି ଯାଞ୍ଚ ସରିବ । ତେବେ ସବୁଠାରୁ ବଡ଼ କଥା ହେଲା ଇ- କେୱାଇସି ପ୍ରକ୍ରିୟା ମଧ୍ୟରେ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ସମ୍ପୂର୍ଣ ପ୍ରକ୍ରିୟା ସରିବା ପରେ ପ୍ରକୃତ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସାମ୍ନାକୁ ଆସିବ | ଏନେଇ ଆଜି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ଏବେ ବି ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ । ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ । ଇ-କେୱାଇସି ଯାଞ୍ଚ ସରିବା ପରେ ହିତାଧିକାରୀମାନଙ୍କୁ ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବ । ୨୦୨୫ ଜାନୁଆରୀରେ ସମସ୍ତଙ୍କୁ ନୂଆ ରାସନ କାର୍ଡ ମିଳିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର ।
ତେବେ ମୃତ୍ୟୁ ପରେ ବି ବହୁ ହିତାଧିକାରୀଙ୍କ ନାମରେ କାର୍ଡ ରହିଛି । ଯାହାକୁ ଭୂତ କାର୍ଡ କୁହାଯାଉଛି । ଏହି କାର୍ଡରେ ଆସୁଥିବା ରାସନ୍ ବାଟମାରଣା ହେଉଛି । ସେଗୁଡିକୁ କଡ଼ାକଡ଼ି ଭାବେ ଯାଞ୍ଚ କରି ଏବେ କାଟି ଦିଆଯାଉଛି । ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବା ପରେ ଖାଲି ପଡୁଥିବା ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯିବ । ସେମାନଙ୍କୁ ନୂଆ ରାସନ୍ କାର୍ଡ ମିଳିବ । ପ୍ରତି କାର୍ଡରେ ଯୋଡ଼ା ହୋଇଥିବା ପରିବାରର ସମସ୍ତ ସଦସ୍ୟଙ୍କର ଆଧାରଯୁକ୍ତ ଇ-କେୱାଇସି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।