ଚିଠା ରାଜନୀତିର ନୂଆ ଏପିସୋଡ; ମୁନ୍ନାଙ୍କ ପାଖରେ ୧୪ ବିଧାୟକ

ଭୁବନେଶ୍ୱର,୩୧/୧୦(ସତ୍ୟପାଠ ବ୍ୟୁରୋ):  ଦୁଇ ରାଜ୍ୟସଭା ସାଂସଦଙ୍କ ପରେ ଜଣେ ପରେ ଜଣେ ବରିଷ୍ଠ ନେତା ଦଳ ଛାଡ଼ୁଛନ୍ତି । ଏପରିକି ଗତକାଲି ବରୀର ପୂର୍ବତନ ବିଧୟିକା ସୁନନ୍ଦା ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏଭଳି ସ୍ଥିତିରେ କିନ୍ତୁ ଦଳର ନେତାମାନେ କିଭଳି ବିଜେପି ସରକାରକୁ ଭାଙ୍ଗି ପୁଣି କ୍ଷମତାକୁ ଫେରିବେ ସେ ରଣନୀତି ଚଳାଇଛନ୍ତି । ଆଉ ବିଜେପିକୁ ଭାଙ୍ଗି କେତେ ବିଧାୟକଙ୍କୁ ଦଳକୁ ଆଣିଲେ ସରକାର ଗଠନ ହେବ ଚିଠା ଧରି ସେ ହିସାବ କରୁଛନ୍ତି । ଚିଠା ରାଜନୀତିର ନୂଆ ଏପିସୋଡ ନେଇ ଆସିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁ ।

ଗତକାଲି ନବରଙ୍ଗପୁରରେ ଆୟୋଜିତ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ, ବି‌ଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବୋଲି ମୁନ୍ନା କହିଛନ୍ତି । ସେ ଆହୁରି କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ଜଣ ନେତା ବିଜେପିରେ ଯୋଗ ଦେଇଥିଲେ। ଆଉ ବିଜେପି ଟିକେଟ୍‌ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ଜଣ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି। ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍‌ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି ବୋଲି ମୁନ୍ନା କହିଛନ୍ତି।

ତେବେ ମୁନ୍ନା ପ୍ରଥମ ନୁହଁ ତାଙ୍କ ପୂର୍ବରୁ ଦଳର ଆଉଜଣେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ବିଜେଡି କିଭଳି ପୁଣି କ୍ଷମତାକୁ ଫେରିବ ସେ ଅଙ୍କ କଷିଥିଲେ । ଏକ ସଭାରେ ଦେବାଶିଷ କହିଥିଲେ, ବିଜେପିର ୭ ଜଣ ବିଧାୟକଙ୍କ ନାଁରେ ନିର୍ବାଚନୀ ଅନିୟମିତତା ମାମଲା ଚାଲିଛି । ଏହି ୭ ଆସନରେ ଖୁବଶୀଘ୍ର ଉପନିର୍ବାଚନ ହେବ । ବିଜେଡି ଏହି ୭ ଆସନ ଜିତିଲେ କଂଗ୍ରେସ ସହ ମିଶି ସରକାରକୁ ଫେରିବ ।

ସେତେବେଳେ କିନ୍ତୁ ଏହା ଦେବାଶିଷଙ୍କ ବ୍ୟକ୍ତିଗତ ମତ କହି ବିଜେଡି ତାଙ୍କଠାରୁ ଦୁରେଇ ଯାଇଥିଲା । କଂଗ୍ରେସ ମଧ୍ୟ ଦେବାଶିଷଙ୍କ ମେଣ୍ଟ ମନ୍ତବ୍ୟକୁ କଡା ସମାଲୋଚନା କରିଥିଲା । ଏବେ ଏହାର କିଛି ଦିନ ପରେ ପୁଣି ମୁନ୍ନା ଖାଁ ନୂଆ ଗଣିତ ସହ ସାମ୍ନାକୁ ଆସିଛନ୍ତି । ତେବେ ୨୪ ବର୍ଷ ପରେ ଦଳ କ୍ଷମତାଚ୍ୟୁତ ହେବାପରେ ଏବେ ବିଜେଡିକୁ ଦଳର ନେତା ମାନେ ବାଏ ବାଏ କହୁଥିବା ବେଳେ କର୍ମୀଙ୍କ ମନୋବଳ ବଢ଼ାଇବାକୁ କିଛି ନେତା ଏଭଳି ମନ୍ତବ୍ୟ ଦେଉଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Related Posts