କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ନେତା ଶରଦ ପାୱାରଙ୍କ ସହ ଟେଲିଫୋନର କଥା ହେଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ମାଗିଲେ ସମର୍ଥନ

ନୂଆଦିଲ୍ଲୀ : ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଙ୍କୁ ଚୟନ କରାଯାଇଥିବା ବେଳେ, ଆଜି (ଶୁକ୍ରବାର) ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ଙ୍କ ଉପସ୍ଥିତିରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହା ପରେ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏନସିପି ନେତା ଶରଦ ପାୱାରଙ୍କ ସହ ଟେଲିଫୋନର କଥା ହୋଇଛନ୍ତି। ଏଥିରେ ସେ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବା ଲାଗି ନିବେଦନ କରିଛନ୍ତି।

କୁହାଯାଉଛି ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନ ଲାଗି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି। ସେହିପରି ସମର୍ଥନ ପ୍ରସଙ୍ଗରେ ସେ ପାର୍ଟି ସହ କଥା ହେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହା ପୂର୍ବରୁ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ପୂର୍ବାହ୍ନରେ ସଂସଦ ଭବନ ପହଞ୍ଚିଥିଲେ । ଏଠାରେ ରାଷ୍ଟ୍ରପତି ନିର୍ବାଚନ ଲାଗି ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରସ୍ତାବକ ହୋଇଥିଲେ।

ଦ୍ରୌପଦୀ ମୁର୍ମୁ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ମଧ୍ୟ ଉପସ୍ଥିତ ଥିଲେ। ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀପତ୍ର ଦାଖଲରେ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ଏନଡିଏର ଏକତା ମଧ୍ୟ ଦେଖିବାକୁ ମିଳିଥିଲା। ବିଜେଡି, ଜେଡିୟୁ ନେତାମାନଙ୍କ ସହ ଜଗନମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ ନେତାମାନେ ମଧ୍ୟ ଦ୍ରୌପଦୀଙ୍କ ପ୍ରାର୍ଥୀପତ୍ର ଦାଖଲରେ ଉପସ୍ଥିତ ଥିଲେ ।

Related Posts