ଜାତୀୟ ଡାକ୍ତର ଦିବସ : କରୋନାର ପ୍ରଥମ ଲହରରେ ପ୍ରାଣ ହରାଇଥିବା ୨୫% ଡାକ୍ତରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ବୀମା ମିଳିଥିବା ବେଳେ ଦ୍ୱିତୀୟ ତରଙ୍ଗରେ ଜଣେ ବି ପାଇନାହାନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଆଜି ସମଗ୍ର ଦେଶ ଜାତୀୟ ଡାକ୍ତର ଦିବସ ପାଳନ କରୁଛି । ଏମିତିକି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଡାକ୍ତରମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ଯେତେବେଳ ଭାରତରେ କରୋନା ମହାମାରୀ ପ୍ରବେଶ କଲା ସେତେବେଳେ ଏହି ଡକ୍ଟର ମାନେ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିଥିଲେ। ସେହି ସମୟରେ ଡାକ୍ତର ମାନଙ୍କୁ କୋଭିଡ୍ ଯୋଦ୍ଧାର ମାନ୍ୟତା ଦିଆଗଲା ଏବଂ ଉତ୍ସାହିତ କରିବା ପାଇଁ ହେଲିକପ୍ଟରରେ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରାଗଲା। ତେବେ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନ ଡାକ୍ତରମାନେ କଣ ସୁରକ୍ଷିତ ଏବଂ ସଠିକ୍ ସମ୍ମାନ ପାଇଛନ୍ତି। ଦେଶରେ ମହାମାରୀର ଦୁଇଟି ଲହର ଦେଶ ଦେଖିଛି। ଏହି ଦୁଇଟି ଲହରରେ କରୋନା କାରଣରୁ ୧୫୫୦ ଡାକ୍ତରଙ୍କ ମୃତ୍ୟୁ ଘଟିଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଡକ୍ଟରଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ସୁବିଧା ମିଳି ପାରି ନାହିଁ । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ସଭାପତି ଡକ୍ଟର ଜୟଲାଲ ଏନଡିଟିଭିକୁ କହିଛନ୍ତି ଯେ କରୋନାର ଦ୍ୱିତୀୟ ତରଙ୍ଗରେ ପ୍ରାଣ ହରାଇଥିବା ଜଣେ ବି ଡାକ୍ତରଙ୍କ ପରିବାରକୁ ବୀମା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ମିଳି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାର ପ୍ରଥମ ତରଙ୍ଗରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ମାତ୍ର ୨୫ ପ୍ରତିଶତ ପରିବାର ଏହି ବୀମା ରାଶି ପାଇଛନ୍ତି । ଡକ୍ଟର ଜୟଲାଲ କହିଛନ୍ତି ଯେ ମୃତ ଡକ୍ଟରଙ୍କ ପରିବାରକୁ ବୀମା ପ୍ରଦାନ କରିବା ପାଇଁ ସରକାରଙ୍କ ସର୍ତ୍ତ ପାଇଁ ଅନେକ ଏଥିରୁ ବଞ୍ଚିତ ଅଛନ୍ତି। ତେବେ ସରକାରଙ୍କ ସର୍ତ୍ତ ହେଉଛି ଯେଉଁ ଡକ୍ଟର ସରକାରୀ କୋଭିଡ୍ କେୟାର ସେଣ୍ଟରରେ କାମ କରୁଥିବା ବେଳେ ପ୍ରାଣ ହରାଇଥିବେ ସେମାନଙ୍କୁ ଏହାର ସୁବିଧା ମିଳିବ । କିନ୍ତୁ ଘରୋଇ ଡାକ୍ତରଖାନାରେ କିମ୍ବା କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟ କରିବା ସମୟରେ ପ୍ରାଣ ହରାଇଥିବା ଡାକ୍ତରମାନେ ଏହି ସୁବିଧାରୁ ବଞ୍ଚିତ । ତେବେ ସମସ୍ୟା ଏତିକିରେ ସମାପ୍ତ ହୋଇ ନାହିଁ। ଯଦି ଆବଶ୍ଯକୀୟ ଦସ୍ତାବିଜ ଯୋଗୁଁ ମଧ୍ୟ ପୀଡ଼ିତାଙ୍କ ପରିବାର କ୍ଷତିପୂରଣ ପାଇଁ ଏବେବି ଘୁରି ବୁଲୁଛନ୍ତି । ଯେଉଁ ଡାକ୍ତରଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ପରିବାର ଲୋକେ ମୃତ୍ୟୁ ରେକର୍ଡ ଜିଲ୍ଲା ପ୍ରଶାସନକୁ, ସେଠାରୁ ରାଜ୍ୟ ସରକାରଙ୍କୁ, ସେଠାରୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଛି। ଯଦି ଦସ୍ତଖତରେ ସାମାନ୍ୟ ତ୍ରୁଟି ଥାଏ ତେବେ ତେବେ ଆବେଦନ ପ୍ରତ୍ୟାଖ୍ୟାନ କରି ଦିଆଯାଉଛି। ତେବେ ଆଇଏମଏ ତରଫରୁ 10 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରୁଛି। ଆଇଏମଏ ସଭାପତି କହିଛନ୍ତି ଯେ ସରକାର ଯଦି ଥାର୍ଡ ପାର୍ଟି ବୀମା ବଦଳରେ ଯଦି ସିଧାସଳଖ ଡାକ୍ତରଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ଘୋଷଣା କରିଥାନ୍ତେ, ତେବେ ଏହି ସମସ୍ୟା ହୋଇ ନଥାନ୍ତା। ଦିଲ୍ଲୀ ସମେତ ଅନେକ ରାଜ୍ୟ ସରକାର ମଧ୍ୟ ଏଭଳି ଘୋଷଣା କରିଛନ୍ତି। ଆଇଏମ୍ଏ ସଭାପତିଙ୍କ ସୂଚନା ମୁତାବକ କେବଳ ଦିଲ୍ଲୀ ଏବଂ ବିହାରରେ ୧୧୫ ଜଣ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି। ୮ ଜଣ ଗର୍ଭବତୀ ମହିଳା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଡକ୍ଟର ଜୟଲାଲ କହିଛନ୍ତି ଯେ କରୋନାରେ ଅଧିକାଂଶ ସରକାରୀ ଡାକ୍ତରଙ୍କ ମୃତ୍ୟୁ ଘଟିଛି ଏବଂ ପୀଡିତାଙ୍କ ପରିବାରର ଲୋକଙ୍କୁ ସିଧାସଳଖ ସହାୟତା ପ୍ରଦାନ କରିବା ପାଇଁ ଆଇଏମଏ ସ୍ୱାସ୍ଥ୍ୟ ସଚିବଙ୍କୁ ମଧ୍ୟ ଭେଟିଛି, କିନ୍ତୁ କୌଣସି ଫଳାଫଳ ମିଳିପାରି ନାହିଁ। ମହାମାରୀ ସମୟରେ ଡାକ୍ତର ମାନଙ୍କ ଉପରେ ପଡୁଥିବା ଚାପକୁ ହ୍ରାସ କରିବା ପାଇଁ ଡାକ୍ତର ମାନଙ୍କ ପାଇଁ ଆଇଏମ୍ଏ ଏକ କେନ୍ଦ୍ରୀୟ କ୍ୟାଡର ଦାବି କରିଛି। କରୋନା ସମୟରେ ଡାକ୍ତରମାନେ ଅଧିକାଂଶ ରାଜ୍ୟର ମେଡିକାଲ ପୁଲରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସଂଖ୍ୟାରେ ମଧ୍ୟ ଏକ ବଡ଼ ପାର୍ଥକ୍ୟ ରହିଛି। ଅଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତର ଭାରତୀୟ ରାଜ୍ୟ ତୁଳନାରେ ଦକ୍ଷିଣ ଭାରତରେ ଡାକ୍ତରଙ୍କ ସଂଖ୍ୟା ଅଧିକ। ତେଣୁ କେନ୍ଦ୍ର UPSC ପରି ଡାକ୍ତର ପୁଲ୍ ର ଏକ କେନ୍ଦ୍ରୀୟ କ୍ୟାଡର ପ୍ରସ୍ତୁତ କରିବା ପାଇଁ ସେ ଦାବି କରିଛନ୍ତି। ଯାହାଫଳରେ ଯେତେବେଳେ ବି ମହାମାରୀ କିମ୍ବା ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତର ମାନେ ଯେକୌଣସି ସ୍ଥାନରେ କାମ କରିପାରିବେ। ତେବେ ଆଉ ଏକ ବଡ ସମସ୍ୟା ହେଉଛି କରୋନା କାଳରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଡାକ୍ତର ଜୟଲାଲ (ଆଇଏମଏ ସଭାପତି) ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ୨୩ ଟି ରାଜ୍ୟ ସରକାର ଡାକ୍ତରଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଆଇନ ପ୍ରଣୟନ କରିଛନ୍ତି, କିନ୍ତୁ ଏହାର କାର୍ଯ୍ୟକାରୀତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଆମର ଦାବି ହେଉଛି ଯେ କେନ୍ଦ୍ର ସରକାର ଆଇନ ଆଣି CrPC ଏବଂ IPC ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଉଚିତ। ସେ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ଆଇନ ପ୍ରଣୟନ ହେବାର ୧୧ ବର୍ଷ ବିତି ଯାଇଥିଲେ ସୁଦ୍ଧା ଅଧିକାଂଶ ପୋଲିସ କମିଶନର ଏହି ଆଇନ ବିଷୟରେ ଅବଗତ ନୁହନ୍ତି।ସେ ଦାବି କରିଛନ୍ତି ଯେ ଡାକ୍ତରଖାନାକୁ ଏକ ପ୍ରୋଟେକ୍ଟେଡ୍ ଜୋନ୍ ଭାବରେ ଘୋଷଣା କରାଯିବା ଉଚିତ ଯାହା ଦ୍ବାରା ସୁରକ୍ଷା ସମ୍ବନ୍ଧୀୟ ଦାୟିତ୍ବ ପ୍ରଶାସନ ଉପରେ ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ମହାମାରୀ ସହ ଲଢୁଥିବା ଡାକ୍ତରଙ୍କ ପାଇଁ କୌଣସି ଆର୍ଥିକ ପ୍ରୋତ୍ସାହନ କିମ୍ବା ପଦୋନ୍ନତି ଭଳି କୌଣସି ଯୋଜନା ନାହିଁ। ମାହାମାରୀରେ ଆକ୍ରାନ୍ତ ହେଲେ ସେମାନଙ୍କୁ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡୁଛି । ସେହିପରି ଭାବେ କରୋନାରେ ପ୍ରାଣ ହରାଇଥିବା ଡାକ୍ତର ମାନଙ୍କୁ ଶହୀଦ ମାନ୍ୟତା ଦେବା ସହ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଆଇଏମ୍ଏ ଦାବି କରିଛି।

Related Posts