ଆଖି ବୁଜିଲା ନନ୍ଦନକାନନର ଅସୁସ୍ଥ ହାତୀ ‘ପ୍ରେମା’, ପ୍ରାଣୀ ଉଦ୍ୟାନର ହାତୀ ସାଂଖ୍ୟ ୩ କୁ ହ୍ରାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚିକିତ୍ସାଧିନ ବୟସ୍କା ହାତୀ ପ୍ରେମା(୫୮)ର ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ହୋଇଛି। ସେ ଗତକଲିଠାରୁ ହାତୀଶାଳର ଚଟାଣରେ ଶୋଇ ରହୁଥିଲା। ଅସୁସ୍ଥତା ହେତୁ ସେ ଛିଡ଼ା ମଧ୍ୟ ହୋଇପାରୁନଥିଲା। ମହୁନ୍ତଙ୍କ ଶତ ଚେଷ୍ଟା ପରେ ମଧ୍ଯ ସେ ଚଟାଣରୁ ଉଠିପାରି ନଥିଲା। ଏହାପରେ ପ୍ରେମାକୁ ଉଠାଇ ଛିଡା କରିବା ଲାଗି ବିଶେଜ୍ଞଙ୍କ ସହାୟତା ଲୋଡା ଯାଇଥିଲା।

ପ୍ରେମାକୁ ଛିଡା କରାଇବା ଲାଗି ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ କମଳ ଲୋଚନ ପୁରୋହିତ, କେନ୍ଦ୍ରୀୟ ଚିଡିଆଖାନା ସଂଯୋଜକ ତଥା ଓୟୁଏଟି ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ପ୍ରଫେସର ନିରଞ୍ଜନ ସାହୁ ଓ ଚନ୍ଦକାରୁ ଜଣେ ମହୁନ୍ତ ଆସିଥିଲେ। ସେମାନଙ୍କ ତତ୍ୱାବଧାନରେ ପ୍ରେମା ପେଟ ତଳେ ବେଲଟ ବାନ୍ଧି ହାଇଡ୍ରା ମେସିନ ସାହାଯ୍ୟରେ ତାକୁ ଚଟାଣରୁ ଉଠାଯାଇଥିଲା। ଉଠିବା ପରେ ସେ ଆଗ ଗୋଡ ତଳେ ଲଗାଇ ଛିଡା ହେବାକୁ ଅକ୍ଷମ ହୋଇଥିଲା।

ପ୍ରଫେସର ଶ୍ରୀ ସାହୁ ପ୍ରେମାକୁ ସାଲାଇନ ଦେବା ପରେ ସେ ଧୀରେ ଧୀରେ ଗୋଡ ତଳେ ଲଗାଇବାକୁ ଚେଷ୍ଟା କଲେ ମଧ୍ୟ ଛିଡା ହୋଇ ନ ପାରି ତଳେ ବସି ପଡିଲା। ତାର ଅକ୍ଷମତାକୁ ଲକ୍ଷ କରି ତାକୁ ଆଉ ଛିଡା କରାଯାଇନଥିଲା। କିଛି ସମୟ ବସିବା ପରେ ପ୍ରେମା ପୁଣି ଗଡଘାଲି ତଳେ ଶୋଇ ଯାଇଥିଲା। ତାକୁ ପୁନର୍ବାର ଉଠାଇ ବସା ଯାଇଥିଲା। ଶେଷକୁ ପ୍ରେମାକୁ ଦୈନଦିନ ଏହିପରି ଛିଡା କରାଇବାକୁ ପ୍ରୟାସ କରାବା ସହିତ ତାକୁ ଉଭୟ ପାଖ ଲେଉଟାଇ ଶୋଇବାକୁ ନିଷ୍ପତ୍ତି ନେଇଥିଲେ ବିଶେଷଜ୍ଞ ଓ ନନ୍ଦନକାନନ କର୍ତ୍ତୃପକ୍ଷ । ସବୁ ଚେଷ୍ଟା ବିଫଳ ହେଲା । ଶେଷରେ ଆଜି ଅପରାହ୍ନରେ ପ୍ରେମାର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ ଯେ, ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ହୋଇଥିଲା। ତା ଆଗ ପାଖ ବାମ ଗୋଡ ପାଦର ନଖ ଫୁଲି ପୂଜ ଦେବାରୁ ତାକୁ ଚିକିତ୍ସା କରାଯାଉଥିଲା। ପରେ ବୈଷୟିକ କମିଟି ଓ ସ୍ଵାସ୍ଥ୍ୟ କମିଟିର ମିଳିତ ସ୍ୱାସ୍ଥ୍ୟ ପରୀକ୍ଷା ପରାମର୍ଶକ୍ରମେ ହୋଇଥିବା ଏକ ଛୋଟ ଫଙ୍ଗସ ଟ୍ୟୁମରକୁ ସେହି ମାସ ୨୩ ତାରିଖରେ ଅସ୍ତ୍ରୋପଚାର କରି କଢ଼ାଯାଇଥିଲା । କଢ଼ାଯାଇଥିବା ଟ୍ଯୂମର ଟିର ଓଜନ ୫୦ ଗ୍ରାମ ଥିଲା। ଟ୍ଯୁମରଟି ବାହାର କରାଯିବା ପରେ କ୍ଷତ ସ୍ଥାନଟିକୁ ଶୋଦ୍ଧନ କରି ସେଥିରେ ଔଷଧ ଲଗା ଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ପୂଜ ଦେବା ବନ୍ଦ ହେଉ ନ ଥିଲା। ଫଳରେ ପ୍ରେମାର ଅବସ୍ଥା ବାରମ୍ଵାର ବିଗିଡିବାରେ ଲାଗିଥିଲା। ଶେଷକୁ ଆଜି ପ୍ରେମା ବନ୍ଧା ହୋଇ ରହିଥିବା ହାତୀ ଶାଳର ଚଟାଣରେ ଶୋଇ ରହିଥିଲା। ମାହୁନ୍ତ ଯେତେ ଚେଷ୍ଟା କଲେ ମଧ୍ୟ ଉଠିପାରି ନଥିଲା। ପ୍ରେମାକୁ ୧୯୮୫ ମସିହାରେ ୨୧ ବର୍ଷ ବୟସ ହୋଇଥିବା ଅବସ୍ଥାରେ ଭନ୍ଦାଲୁରୁରୁ ନନ୍ଦନକାନନକୁ ଅଣାଯାଇଥିଲା। ପ୍ରେମାର ମୃତ୍ୟୁ ଫଳରେ ନନ୍ଦନକାନନର ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି। ଏବେ ପ୍ରାଣୀ ଉଦ୍ୟାନରେ ବାସନ୍ତୀ, ହୀରା ଓ ମାମା ନାମକ ୩ଟି ହାତୀ ରହିଛନ୍ତି।

Related Posts