୪ଟି ଶାବକ ଜନ୍ମ ଦେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଆଫ୍ରିକୀୟ ସିଂହୀ ‘ବିଜ୍‌ଲି’

ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲା ଖୁସି ଖବର । ଆଫ୍ରିକୀୟ ସିଂହୀ ‘ବିଜ୍‌ଲି’(୬) ତୃତୀୟ ଥର ପାଇଁ ମା ହୋଇଛି । ତା ଗର୍ଭରୁ ୪ଟି ଶାବକ ଜନ୍ମ ହୋଇଛନ୍ତି। ସିଂହ ସଫାରିର ଖାଦ୍ୟ ଗ୍ରହଣ କକ୍ଷରେ ଶାବକ ଜନ୍ମଲାଭ କରିଛନ୍ତି।

ପ୍ରଥମ ଶାବକ ଅପରାହ୍ନ ୨ଟା ୩୨ ମିନିଟରେ, ଦ୍ବିତୀୟ ୪ଟା ୧୬ ମିନିଟରେ, ତୃତୀୟଟି ସନ୍ଧ୍ୟା ୫ଟା ୩୬ ମିନିଟରେ ଓ ଚତୁର୍ଥ ଶାବକଟି ୭ଟା ୨୧ ମିନିଟରେ ଜନ୍ମ ନେଇଛି। ନବଜାତ ଶାବକ ୪ଟିଙ୍କୁ ବିଜ୍‌ଲି ଚାଟୁଥିବା ଓ କୋଳ ଭିତରେ ନେଇ ରଖୁଥିବା ଦୃଶ୍ୟ କର୍ମଚାରୀମାନେ ଦେଖିବାକୁ ପାଇଛନ୍ତି। ଶାବକ ମାନଙ୍କର ଲିଙ୍ଗ ଚିହ୍ନଟ ହୋଇପାରି ନାହିଁ।

ବିଜ୍‌ଲି ସିଂହ ସମ୍ରାଟ ମିଳନରୁ ଶାବକ ୪ଟିଙ୍କୁ ଜନ୍ମ ଦେଇଛି। ବିଜ୍‌ଲିକୁ ୨୦୨୦ ଡିସେମ୍ବରରେ ଇନ୍ଦୋରସ୍ଥିତ କମଳା ନେହରୁ ଚିଡ଼ିଆଖାନାରୁ ଆଉ ଗୋଟିଏ ସାଥୀ ସହିତ ଅଣା ଯାଇଥିଲା। ବିଜ୍‌ଲି ୨୦୨୦ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ଗର୍ଭରୁ ୨ଟି ଶାବକ ଜନ୍ମ ଦେଇ ଥିଲା। ଶାବକ ଜନ୍ମ ଦେବା ପରେ ଯତ୍ନ ନ ନେବାରୁ ତା’ଠାରୁ ଶାବକଙ୍କୁ ଅଲଗା କରି ଆଣି ଜନ୍ତୁରକ୍ଷକଙ୍କ ତତ୍ତ୍ବାବଧାନରେ ରଖି ଲାଳନପାଳନ କରାଯାଇଥିଲା। ହେଲେ ଗୋଟିଏ ଶାବକର ମୃତ୍ୟୁ ହୋଇଯାଇଥିଲା। ଏକ ମାଈ ଶାବକ କଳ୍ପନା ଏବେ ବଞ୍ଚି ରହିଛି। ଏହାପରେ ଦ୍ବିତୀୟ ଗର୍ଭରୁ ୨୦୨୧ ଜୁଲାଇ ୨୧ରେ ବିଜ୍‌ଲି ୩ଟି ଶାବକ ଜନ୍ମ ଦେଇଥିଲା। ଜନ୍ମ ଦେବାପରେ ଗୋଟିଏର ମୃତ୍ୟୁ ହୋଇଥିଲା। ଆଉ ଦୁଇଟିଙ୍କୁ ମା’ ଠାରୁ ଅଲଗା କରି ଆଣି ଲାଳନ ପାଳନ କରାଯାଇଥିଲା। ସେ ମଧ୍ୟରୁ ଗୋଟିଏର ମୃତ୍ୟୁ ହେବାରୁ ଗୋଟିଏ ଜୀବିତ ରହିଛି।

ଏବେ ଜନ୍ମିତ ୪ଟିଙ୍କୁ ମିଶାଇ ବିଜ୍‌ଲି ୩ଥର ଗର୍ଭଧାରଣରେ ମୋଟ ୧୧ଟି ଶାବକ ଜନ୍ମ ଦେଇଛି। କିନ୍ତୁ ଏଥରର ନବଜାତ ଶାବକ ଦୁଇଟିଙ୍କୁ ମିଶାଇ ମୋଟ ୬ଟି ଜୀବିତ ଅଛନ୍ତି। ବିଜ୍‌ଲି ଓ ତା’ ଛୁଆଙ୍କ ଗତିବିଧି ଉପରେ ନଜର ରଖିବା ଲାଗି କର୍ମଚାରୀଙ୍କୁ ସଜାଗ ରଖାଯାଇଛି। ଏହି ଶାବକ ଜନ୍ମଲାଭ ପରେ ନନ୍ଦନକାନନର ସିଂହ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୧୨ଟି ଆଫ୍ରିକୀୟ (୪ ଅଣ୍ଡିରା, ୪ ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୪ ଶାବକ), ବର୍ଣ୍ଣଶଙ୍କର ଜାତୀୟ ୭ଟି (୪ ସିଂହ ଓ ୩ ସିଂହୀ) ଓ ଗୋଟିଏ ଏସୀୟ ସିଂହୀ ଅଛନ୍ତି

Related Posts