‘୧୯୮୪ରେ ଅପହୃତ ବିମାନରେ ଥିଲେ ମୋ’ ବାପା, ଆଉ ମୁଁ ଉଦ୍ଧାରକାରୀ ଟିମ୍‌ରେ ଥିଲି’: ଏସ୍‌. ଜୟଶଙ୍କର

ଭୁବନେଶ୍ୱର,୧୪/୯(ସତ୍ୟପାଠ ବ୍ୟୁରୋ):  ୧୯୮୪ ମସିହାରେ ହୋଇଥିବା ଏକ ଅପହୃତ ବିମାନ ଭିତରେ ଥିଲେ ମୋ’ ବାପା । ଆଉ ମୁଁ ଉଦ୍ଧାରକାରୀ ଟିମ୍‌ର ସଦସ୍ୟ ଥିଲି। ’ ଜଣେ IFS ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିବାର ଅଳ୍ପ ଦିନ ମଧ୍ୟରେ ଏଭଳି ଅଜବ ଅନୁଭୂତି ହାସଲ କରିଥିବା ନେଇ ବଖାଣିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ।

ନେଟଫ୍ଲିକ୍ସରେ ପ୍ରସାରିତ ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଧାରାବାହିକ ‘ଆଇସି୮୧୫ ଦ କାନ୍ଦାହାର ହାଇଜାକ୍‌’ କୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ନିଜ ଅନୁଭୂତି ବଖାଣିଛନ୍ତି ବୈଦେଶିକ ମନ୍ତ୍ରୀ। ସିନେମାରେ ଯଦି ଠିକ୍‌ ତଥ୍ୟ ଉପସ୍ଥାପନ କରାଯିବନି ତା’ ହେଲେ ଲୋକେ ତାହା ଦେଖିବେ ନାହିଁ ବୋଲି ସେ କହିଛନ୍ତି।

ସୁଇଜରଲାଣ୍ଡର ଜେନେଭାରେ ଭାରତୀୟ ସମୁଦାୟଙ୍କ ସହ ବାର୍ତ୍ତାଳପ ସମୟରେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ ଘଟଣାକୁ ମନେ ପକାଇ ଜୟଶଙ୍କର କହିଛନ୍ତି, ୧୯୮୪ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଫ୍ଲାଇଟ ୪୨୧କୁ ହାଇଜାକ କରାଯାଇଥିଲା। ଅଲ ଇଣ୍ଡିଆ ଶିଖ୍‌ ଷ୍ଟୁଡେଣ୍ଡସ୍‌ ଫେଡେରେସନର ୭ ସଦସ୍ୟ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନକୁ ଅପହରଣ କରିନେଇଥିଲେ। ଉକ୍ତ ପ୍ଲେନ୍‌କୁ ପ୍ରଥମେ ଲାହୋର ପରେ କରାଚ ଓ ପରେ ଦୁବାଇରେ ଲ୍ୟାଣ୍ଡ କରାଯାଇଥିଲା।

ବିମାନରେ ୭୯ ଯାତ୍ରୀ ଥିବା ବେଳେ ସେଥିରେ ମୋ’ ପିତା ଥିବା ସୂଚନା ପାଇଥିଲି। ଅପରପକ୍ଷେ ଏହାର ମୁକାବିଲା ପାଇଁ ଗଠିତ ଟିମ୍‌ରେ ମୁଁ ବି ସଦସ୍ୟ ଥିଲି ବୋଲି ସେ କହିଛନ୍ତି ।

ଜୟଶଙ୍କର ୧୯୭୯ ମସିହାରେ ଭାରତୀୟ ବିଦେଶ ସେବାରେ ଯୋଗ ଦେଇଥିଲେ। ତାଙ୍କ ପିତା କୃଷ୍ଣାସ୍ୱାମୀ ସୁବ୍ରମଣ୍ୟମ ଜଣେ ପୂର୍ବ ସିଭିଲ ସର୍ଭିସ ମ୍ୟାନ୍‌ ଥିବା ସହ ଅନ୍ତରାଷ୍ଟ୍ରୀୟ ରଣନୀତିକାର ଓ ପତ୍ରକାର ବି ଥିଲେ।

ଜୟଶଙ୍କରଙ୍କ କହିବାନୁଯାୟୀ, ବିମାନ ଅପହରଣର ୪ ଘଣ୍ଟା ପରେ ସେଥିରେ ମୋ’ ପିତା ଥିବା ମୋତେ ସୂଚନା ପାଇଥିଲି। ଏହାପରେ ନିଜ ସରକାରୀ ଦାୟିତ୍ୱ ଓ ବ୍ୟକ୍ତିଗତ ଚିନ୍ତା ମଧ୍ୟରେ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ କହିଛନ୍ତି, ମୋ’ ଛୁଆ ସେତେବେଳେ ଖୁବ୍‌ ଛୋଟ ଥିବା ବେଳେ ମୋ’ ପତ୍ନୀ କାମ ପାଇଁ ବାହାରେ ଥିଲେ। ତେଣୁ ମୋତେ ମଧ୍ୟାହ୍ନରେ ଛୁଆ ପାଖକୁ ଯିବାର ଥିଲା। କିନ୍ତୁ ମୁଁ ମା’ଙ୍କୁ ଫୋନ୍‌ କରି ଘରକୁ ଯାଇପାରିବିନି ବୋଲି ମନା କରିଥିଲି।

ଗୋଟିଏ ପଟେ ମୁଁ ହାଇଜାକ୍‌ ସମସ୍ୟାର ସମାଧାନ ପାଇଁ ଗଠିତ ଟିମ୍‌ର ମୁଁ ସଦସ୍ୟ ଥିଲି, ଅପରପକ୍ଷେ, ବନ୍ଧକଙ୍କୁ ସୁରକ୍ଷିତ ଉଦ୍ଧାର ନିମନ୍ତେ ସରକାରଙ୍କ ଉପରେ ଚାପ ପକାଉଥିବା ପରିବାରରେ ବି ସାମିଲ ଥିଲି।

ମୋ’ ବାପା ଜଣେ ଡାଇବେଟିକ୍‌ ରୋଗୀ ହୋଇଥିବାରୁ ତାଙ୍କୁ ଇନସୁନିଲର ନିହାତି ଆବଶ୍ୟକ ଥିଲା। ଏହାପରେ ତୁରନ୍ତ ଦୁଇଟି ଆମ୍ବୁଲାନ୍ସ ଫ୍ଲାଇଟ ସେଠାରେ ପହଞ୍ଚିଲା। ଜୟଶଙ୍କରଙ୍କ ପିତାଙ୍କୁ ତୁରନ୍ତ ଜଣେ ଅପହରଣକାରୀଙ୍କ ସହ ଉକ୍ତ ପ୍ଲେନ୍‌କୁ ନିଆଯାଇ ଇନସୁନିଲ ଦିଆଯାଇଥିଲା। ଏହାପରେ ଅପହରଣକାରୀମାନେ ତୁରନ୍ତ ସବୁ ଦାବି ନ ମାନିଲେ ଅଧ ଘଣ୍ଟାରେ ଜଣେ ଲେଖାଏ ବନ୍ଧକଙ୍କୁ ମାରିଦେବେ ବୋଲି ଚେତାବନୀ ଦେଇଥିଲେ।

ଏହି ଅପହରଣ ନାଟକ ଦୀର୍ଘ ୩୬ ଘଣ୍ଟା ଧରି ଚାଲିଥିବା ବେଳେ ଶେଷରେ ଏଥିରେ ଯବନିକା ପଡ଼ିଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ବୋଲି ସେ କହିଛନ୍ତି।

Related Posts