ବଲିଉଡକୁ ମୁସଲିମ ସମ୍ପ୍ରଦାୟର ସବୁଠାରୁ ବଡ ଅବଦାନ ରହିଛି : ଶରଦ ପାୱାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲିଉଡକୁ ମୁସଲିମଙ୍କ ଅବଦାନ ଅଧିକ ରହିଛି, ସେମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ। ଏନସିପି ମୁଖ୍ୟ ଶରଦ ପାୱାର ଏଭଳି ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ, ବଲିଉଡରେ ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ଅବଦାନ ରହିଛି ଏବଂ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାୱାର କହିଛନ୍ତି ଯେ, ଦେଶର ସମସ୍ତ କ୍ଷେତ୍ରରେ ସଂଖ୍ୟାଲଘୁ ଏବଂ ଉର୍ଦ୍ଦୁ ଭାଷାର ଯୋଗଦାନ ରହିଛି। ଆଜି ସମସ୍ତ କ୍ଷେତ୍ର ଯେପରିକି, କଳା କିମ୍ବା କବିତା ହେଉ, ସବୁଠାରୁ ବଡ ଅବଦାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଏବଂ ଉର୍ଦ୍ଦୁ ଭାଷାର ରହିଛି। ବଲିଉଡକୁ ଶୀର୍ଷକୁ ନେବାରେ ମଧ୍ୟ ମୁସଲମାନ ସଂଖ୍ୟାଲଘୁମାନଙ୍କ ସର୍ବାଧିକ ଅବଦାନ ରହିଛି। ଏହାକୁ ଅଣଦେଖା କରାଯାଇପାରିବ ନାହିଁ।

ଏହି କାର୍ଯ୍ୟକ୍ରମରେ ପାୱାର ଆହୁରି କହିଛନ୍ତି ଯେ, ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ଅନୁଭବ କରୁଛନ୍ତି ଯେ ଦେଶର ଏତେ ବଡ ଅଂଶ ହୋଇଥିଲେ ମଧ୍ୟ ସେମାନଙ୍କୁ ଉଚିତ ସମ୍ମାନ ମିଳୁନି। ସେମାନଙ୍କୁ ଉଚିତ୍ ସମ୍ମାନ କିପରି ମିଳିବ ଏହା ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ସରକାରୀ ନିଯୁକ୍ତି ପରୀକ୍ଷାରେ ଉର୍ଦ୍ଦୁ ଭାଷା ବ୍ୟବହାର କରିବାକୁ ଦାବି କରୁଥିବା ଜଣେ ପୁରାତନ ବକ୍ତାଙ୍କୁ ଉତ୍ତର ଦେଇ ପାୱାର ଉର୍ଦ୍ଦୁ ଭାଷାକୁ ପ୍ରଶଂସା କରିବା ସହ ଅନେକ ଲୋକ ବହୁ ବର୍ଷ ଧରି ଏହା ସହ ଜଡିତ ରହିଛନ୍ତି। ଆମକୁ ଉର୍ଦ୍ଦୁ ବିଦ୍ୟାଳୟ ଏବଂ ଶିକ୍ଷା ବିଷୟରେ ଚିନ୍ତା କରିବା ଉଚିତ୍ ବୋଲି ପାୱାର କହିଛନ୍ତି।

Related Posts