ପୌର ନିର୍ବାଚନ: ନକଲି ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ନାଲି ଆଖି, ନିୟମ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଆସନ୍ତା କାଲି ପୌର ନିର୍ବାଚନ ପାଇଁ ହେବ ଭୋଟ୍‌ ଗ୍ରହଣ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଅଧିକାଂଶ ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚି ସାରିଛନ୍ତି। ବାକି ପୋଲିଂ ପାର୍ଟି ବୁଧବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ଲାଗି ୧୯୫ଟି ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ମୋବାଇଲ ପାର୍ଟିର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ୧୧୫ଟି ବୁଥ୍ ଅତି ସମ୍ବେଦନଶୀଳ ରହିଛି। ଏଥିପାଇଁ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି କିଛି ସ୍ଥାନରେ ଟଙ୍କା ବାଣ୍ଟିବା ନେଇ ଖବର ଆସିଛି । ଏନେଇ ଆମେ ଅବଗତ ଅଛୁ । ଜିଲ୍ଲା ପ୍ରଶାସନକୁ ଘଟଣାର ତଦନ୍ତ କରି ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନକଲି ଭୋଟର୍ ସାବଧାନ୍। ପଞ୍ଚାୟତରେ ଭୋଟ୍ ଦେଇ ପୌରଞ୍ଚଳରେ ଭୋଟ୍ ଦେଉଥିଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ନକଲି ଭୋଟର ସମ୍ପର୍କରେ ଖବର ଆସିଲେ କାର୍ଯ୍ୟନୁଷ୍ଠାନ ନିଆଯିବ।

ଅନ୍ୟପଟେ, ଭୋଟ୍ ଗ୍ରହଣ ଲାଗି ମୋଟ୍ ୨୨ ହଜାର ପୋଲିଂ କର୍ମଚାରୀ ମୁତୟନ ରହିବେ । ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ମତଦାନ ଜାରି ରହିବ । ୧୦୬ ପୌରପାଳିକା, ଏନଏସି ଓ ୩ ମହାନଗର ନିଗମରେ ମୋଟ୍ ୪୦ ଲକ୍ଷ ୫୫ ହଜାର ଭୋଟର ମତଦାନ କରିବେ। ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ୍ ହୋଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏଥର ଭୋଟ୍ ହେବ। ନିର୍ବାଚନ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପାଇଁ ୩୦ ପ୍ଲାଟୁନ ଫୋର୍ସ, କଟକ ମ୍ୟୁନିସିପାଲ କର୍ପୋରେସନ ପାଇଁ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏହାବାଦ ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ। ପ୍ରତି ବୁଥ୍‌ରେ ଜଣେ ଲେଖାଏ ହାବିଲଦାର, ନ ହେଲେ କନଷ୍ଟେବଳ ନ ହେଲେ ସଶସ୍ତ୍ର ପୁଲିସ୍‌ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଯେପରି କୌଣସି ବୁଥ ରେ ହିଂସା ନ ଘଟିବ ସେନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Related Posts