ତାମିଲନାଡୁରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ୩ କେଜିରୁ ଉର୍ଦ୍ଧ ସୁନା ଓ ୧୮୦ କେଜି ରୂପା ଜବତ, ୪ ଅଟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଏକ ବଡ଼ ଧରଣର ଚୋରା ସୁନା ଚାଲାଣକୁ ଧରିଛି ବ୍ରହ୍ମପୁର ପୋଲିସ। ମିଳିଥିବା ସୂଚନା ଅନୁଯାୟୀ, ତାମିଲନାଡ଼ୁରୁ ଏକ କାରରେ ବିପୁଳ ପରିମାଣର ସୁନା ଓ ରୂପ ବ୍ରହ୍ମପୁରକୁ ଅଣାଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍‍ଙ୍କ ପାଖକୁ ସୂଚନା ଆସିଥିଲା। ଏସପିଙ୍କ ନିର୍ଦେଶରେ ଗୋଳନ୍ଥରା ଥାନା ପୋଲିସର ଅଧିକାରୀମାନେ ସାଧା ପୋଷାକରେ ପାଟ୍ରୋଲିଂ କରିଥିଲେ।

୫୯ ନମ୍ବର ଜାତୀୟ ରାଜପଥର ଗିରିସୋଲା ଗେଟ୍‍ ଠାରୁ ଗୋଳନ୍ଥରା ଥାନା ପର୍ଯ୍ୟନ୍ତ ଅଞ୍ଚଳରେ ପାଟ୍ରୋଲିଂ କରାଯାଇଥିଲା। ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ପଟରୁ ଆସି କାର(କେଏ୦୧ଏମଆର୧୫୪୫) ଓଡ଼ିଶା ସୀମା ଭିତରେ ପ୍ରବେଶ କରିଥିଲା। ରବିବାର ଭୋର୍‍ ସମୟରେ ଓଡ଼ିଶା ସୀମାକୁ ପ୍ରବେଶ କରିବାର କିଛି ଦୂର ପରେ ଅର୍ଥାତ ଗୋଳନ୍ଥରା ଥାନା ପାଖରେ କାରକୁ ଅଟକାଇଥିଲା ପୋଲିସ। କାର୍‍ ଚାଳକଙ୍କ ସମେତ ୪ଜଣ ଭିତରେ ବସିଥିଲେ। କାର୍‍ ଭିତରେ ପ୍ରାୟ ୩ କିଲୋ ୭ଶହ ଗ୍ରାମ ଓଜନର ସୁନା ଏବଂ ପ୍ରାୟ ୧୮୦ କିଲୋ ରୂପା ମିଳିଥିଲା। କାରରେ ବସିଥିବା ବ୍ୟକ୍ତିମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏପରିକି ଆବଶ୍ୟକ ବିଲ୍‍ ମଧ୍ୟ ତାଙ୍କ ପାଖରେ ନଥିଲା। ଏହାପରେ ସେ ୪ଜଣଙ୍କୁ ଥାନାକୁ ଆଣି ଏହାର ତଦନ୍ତ ପାଇଁ ଜିଏସଟି ବିଭାଗ ଏବଂ ଆୟକର ବିଭାଗକୁ ଯୋଗାଯୋଗ କରାଯାଇଛି। ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଦେଖିବାକୁ ଗଲେ ଏହା ପ୍ରଥମ ଘଟଣା ନୁହଁ। ବିଗତ କିଛି ଦିନ ଭିତରେ ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା ନେବାଆଣିବା ସମୟରେ ପୋଲିସ ଧରିଛି। ଏଣୁ ବ୍ରହ୍ମପୁରରେ ଏକ ବଡ଼ ଧରଣର ଚୋରା ସୁନା କାରବାର ଚାଲିଥିବା ସନ୍ଦେହ କରାଯାଉଛି।

Related Posts